ଭୁବନେଶ୍ୱର,୧୬ା୧୧(ସୁଚିସ୍ମିତା ସାହୁ): ରାଜ୍ୟରେ ଶୂନରୁ ୬ ବର୍ଷ ବୟସ ମଧ୍ୟରେ ୧୮ ହଜାର ୪୫୧ ଜଣ ଦିବ୍ୟାଙ୍ଗ ଶିଶୁ ରହିଛନ୍ତି। ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗର ୨୦୨୫-୨୬ ବର୍ଷର ସର୍ଭେରୁ ଏହି ତଥ୍ୟ ସାମ୍ନାକୁ ଆସିଛି। କୋରାପୁଟ ଜିଲାରେ ସର୍ବାଧିକ ୧୫୦୦ ଦିବ୍ୟାଙ୍ଗ ଶିଶୁ ଚିହ୍ନଟ ହୋଇଥିବାବେଳେ ମୟୂରଭଞ୍ଜରେ ୧୪୪୩, ସୁନ୍ଦରଗଡ଼ ୧୧୭୮, ଗଞ୍ଜାମ ୧୧୨୮ ଏବଂ ବାଲେଶ୍ୱରରେ ୧୦୫୯ ଜଣ ରହିଛନ୍ତି। ତେବେ ପୂର୍ବ ସର୍ଭେ ତୁଳନାରେ ୨ବର୍ଷରେ ଦିବ୍ୟାଙ୍ଗ ଶିଶୁଙ୍କ ସଂଖ୍ୟାରେ ପାଖାପାଖି ୬ଗୁଣ ବୃଦ୍ଧି ହୋଇଥିବାରୁ ସର୍ଭେର ସଠିକତା ଓ ଗଣନା ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠିଛି। ୨୦୨୩-୨୪ ମସିହାରେ ବିଭାଗୀୟ ରିପୋର୍ଟରେ କୋରାପୁଟ ଜିଲାରେ ୨୫୪ ଜଣ ଦିବ୍ୟାଙ୍ଗ ଶିଶୁ ଥିବା ଦର୍ଶାଯାଇଥିଲା। ସେହିପରି ନୟାଗଡ଼ରେ ଏହି ସଂଖ୍ୟା ୮୦ ଥିଲା। ୨୦୨୪-୨୫ରେ ବିଭାଗ ପକ୍ଷରୁ କୌଣସି ସର୍ଭେ କରାଯାଇ ନ ଥିବାବେଳେ ୨୦୨୫-୨୬ ସର୍ଭେରେ କୋରାପୁଟରେ ଏହି ସଂଖ୍ୟା ୧୫୦୦ ଓ ନୟାଗଡ଼ରେ ଦିବ୍ୟାଙ୍ଗ ସଂଖ୍ୟା ୩୫୮କୁ ବୃଦ୍ଧି ପାଇଛି। ସେହିପରି ଅନୁଗୋଳରେ ୪୫୦, ବଲାଙ୍ଗୀର ୮୯୦, ବରଗଡ଼ ୩୮୩, ଭଦ୍ରକ ୩୦୨, ବୌଦ୍ଧ ୧୫୫, ଦେବଗଡ଼ ୧୬୨, ଢେଙ୍କାନାଳ ୩୮୯, ଗଜପତି ୩୫୦, ଜଗତ୍ସିଂହପୁର ୨୬୮, ଯାଜପୁର ୯୪୨, ଝାରସୁଗୁଡ଼ା ୧୯୫, କଳାହାଣ୍ଡି ୯୨୩, କନ୍ଧମାଳରେ ୮୦୦ ଜଣ ଦିବ୍ୟାଙ୍ଗ ଶିଶୁ ରହିଛନ୍ତି। ସେହିପରି କଟକରେ ୫୩୩, କେନ୍ଦ୍ରାପଡ଼ା ୪୬୧, କେନ୍ଦୁଝର ୫୬୫, ଖୋର୍ଦ୍ଧା ୬୬୩, ମାଲକାନଗିରି ୪୪୦, ନବରଙ୍ଗପୁର ୭୮୨, ନୂଆପଡ଼ା ୬୨୮, ପୁରୀ ୩୭୬, ରାୟଗଡ଼ା ୬୩୭, ସମ୍ବଲପୁର ୪୫୬ ଏବଂ ସୋନପୁରରେ ୨୮୯ ଜଣ ଦିବ୍ୟାଙ୍ଗ ଶିଶୁ ଚିହ୍ନଟ ହୋଇଛନ୍ତି। ତେବେ ମୟୂରଭଞ୍ଜରେ ସବୁଠୁ କମ୍ ୯୮ଜଣ ଦିବ୍ୟାଙ୍ଗ ଶିଶୁ ରହିଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ରାଜ୍ୟରେ ଚିହ୍ନଟ ଦିବ୍ୟାଙ୍ଗଙ୍କ ମଧ୍ୟରେ କୋରାପୁଟରେ ସର୍ବାଧିକ ୧୩୯ ସିକଲସେଲ୍ର ଶିଶୁ ରହିଥିବା ବେଳେ ବଡ଼ଗଡ଼ ଓ ନବରଙ୍ଗପୁରରେ ଦୃଷ୍ଟିହୀନ ଶିଶୁ ରହିଛନ୍ତି। ଗଞ୍ଜାମରେ ୧୭୨ଜଣ ମାନସିକ ବିକାରଗ୍ରସ୍ତ ଶିଶୁ ରହିଥିବା ବିଭାଗୀୟ ତଥ୍ୟ ରହିଛି। ବିଭିନ୍ନ କ୍ଷେତ୍ରରେ ଦିବ୍ୟାଙ୍ଗ ରହିଥିବା ଶିଶୁଙ୍କ ତଥ୍ୟ ରହିଛି।
ସୂଚନାଯୋଗ୍ୟ, ଦିବ୍ୟାଙ୍ଗ ଶିଶୁଙ୍କୁ ଚିହ୍ନଟକରି ସରକାରୀ ସହାୟତା ଓ ସାମାଜିକ ସୁରକ୍ଷା ପରିସରଭୁକ୍ତ କରିବାକୁ କେନ୍ଦ୍ର ସରକାର ବାରମ୍ବାର ଗୁରୁତ୍ୱାରୋପ କରିବା ସହ ଏନେଇ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେମାନଙ୍କ ଶିକ୍ଷା, ସ୍ବାସ୍ଥ୍ୟ, ଥଇଥାନ ଓ ଅନ୍ୟାନ୍ୟ ସୁବିଧା ସୁନିଶ୍ଚିତ କରିବାକୁ ହେଲେ ପ୍ରଥମେ ସେମାନଙ୍କର ଠିକ୍ ତଥ୍ୟ ରହିବା ଜରୁରୀ। କିନ୍ତୁ ଜିଲାସ୍ତରରେ ଶିଶୁ ମଙ୍ଗଳ ଅଧିକାରୀମାନେ କେତେ ନିଷ୍ଠାର ସହ ଏହି ଗଣନା କରୁଛନ୍ତି, ତାହାକୁ ନେଇ ସନ୍ଦେହ ପ୍ରକାଶ ପାଇଛି। ସର୍ଭେରେ ତ୍ରୁଟି ରହିଲେ ଅନେକ ଯୋଗ୍ୟ ଶିଶୁ ସରକାରୀ ଯୋଜନା ଓ ସହାୟତାରୁ ବଞ୍ଚତ୍ତହେବା ଆଶଙ୍କା ରହିଛି। ତେଣୁ ଜିଲାୱାରି ତଥ୍ୟର ଯାଞ୍ଚ ସହ ପୂର୍ବ ସର୍ଭେ ଓ ବର୍ତ୍ତମାନର ସଂଖ୍ୟା ମଧ୍ୟରେ ଥିବା ଅସଙ୍ଗତିର କାରଣ ଖୋଜିବା ଆବଶ୍ୟକ। କେବଳ ସଂଖ୍ୟା ସଂଗ୍ରହ ନୁହେଁ, ପ୍ରତ୍ୟେକ ଦିବ୍ୟାଙ୍ଗ ଶିଶୁଙ୍କୁ ଚିହ୍ନଟକରି ଆବଶ୍ୟକ ସହାୟତା ଯୋଗାଇଦେବା ଦିଗରେ ବିଭାଗ ଦାୟିତ୍ୱବାନ୍ ହେବା ଜରୁରୀ ବୋଲି ମତ ପ୍ରକାଶ ପାଇଛି।