Categories: ରାଜ୍ୟ

ଘରୋଇ ହିଂସାର ଶିକାର ମହିଳା, ଶିଶୁଙ୍କୁ ସହାୟତା ଦେବ ନଂ.୧୮୧

ଭୁବନେଶ୍ୱର, ୩୦।୫(ବ୍ୟୁରୋ): ଏଣିକି ଘରୋଇ ହିଂସାର ଶିକାର ମହିଳା ଓ ଶିଶୁଙ୍କୁ ସହାୟତା ଦେବ ନଂ.୧୮୧। ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ଶନିବାର ଏହି ସ୍ବତନ୍ତ୍ର ନମ୍ବର ଜାରି କରିଛି। ଏହା ୨୪ ଘଣ୍ଟା ସେବା ଯୋଗାଇବ। ବର୍ତ୍ତମାନ କୋଭିଡ୍‌-୧୯ ଦ୍ୱିତୀୟ ଲହରରେ ସାରା ଦେଶରେ ଲକ୍‌ଡାଉନ୍‌ ଓ ଶଟ୍‌ଡାଉନ୍‌ ଭଳି ସ୍ଥିତି ଲାଗି ରହିଥିବାରୁ ବହୁସଂଖ୍ୟାରେ ପ୍ରବାସୀ ଗାଁକୁ ଫେରି ଆସୁଛନ୍ତି। କଠିନ ପରିସ୍ଥିତି ଯୋଗୁୁ ଅନେକ ମହିଳା ଏବଂ ବାଳିକା ମଧ୍ୟ ଘରୋଇ ହିଂସାର ଶିକାର ହେବାର ସମ୍ଭାବନା ରହିଛି। କୋଭିଡ୍‌ରେ ମାତାପିତା ସଂକ୍ରମିତ ହୋଇ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଥିବା ସମୟରେ ସେମାନଙ୍କ ଶିଶୁମାନେ ମଧ୍ୟ ଅସହାୟ ଅନୁଭବ କରୁଛନ୍ତି ଏବଂ ନିର୍ଯାତନାର ଶିକାର ହେବାର ଆଶଙ୍କା ରହିଛି। ଏଭଳି ଭେଦଭାବ, ହିଂସା ବା ଅସୁବିଧାର ସମ୍ମୁଖୀନ ହେଉଥିବା ମହିଳା ଓ ଶିଶୁଙ୍କ ପାଇଁ ବିଭାଗ ପକ୍ଷରୁ ଏହି ସହାୟତା ନମ୍ବର ଜାରି କରାଯାଇଛି। ଏଥିସହିତ ସହାୟତା ନମ୍ବର ୧୦୦ ଓ ୧୦୯୮ରେ ମଧ୍ୟ ଯୋଗାଯୋଗ କରି ପୀଡ଼ିତା ମହିଳା ଓ ଶିଶୁମାନେ ସାହାଯ୍ୟ ପାଇପାରିବେ। ପ୍ରତି ଜିଲାର ମୁଖ୍ୟ ଚିକିତ୍ସାଳୟରେ ଥିବା ‘ସଖୀ’ (ୱାନ୍‌ ଷ୍ଟପ୍‌ ସେଣ୍ଟର)ରେ ମଧ୍ୟ ଯୋଗାଯୋଗ କଲେ ୨୪ ଘଣ୍ଟିଆ ନିଃଶୁଳ୍କ ସେବା ଯୋଗାଇ ଦିଆଯିବ। ଘରୋଇ ହିଂସା ବିଷୟରେ ଜଣାଇବା ପାଇଁ ହ୍ବାଟସ୍‌ଆପ୍‌ ନଂ.୭୮୦୫୦୦୬୦୩୯ରେ ବାର୍ତ୍ତା ଦେଇପାରିବେ। ମହିଳା କମିଶନଙ୍କ ସହିତ ଯୋଗାଯୋଗ କରିବା ପାଇଁ ହ୍ବାଟସ୍‌ଆପ୍‌ ନଂ.୮୭୬୩୫୪୩୦୧୩ ଜାରି କରାଯାଇଛି। ହିଂସାମୁକ୍ତ ସମାଜ ଗଠନ ଦିଗରେ ମହିଳାମାନେ ଏହି ବ୍ୟବସ୍ଥାର ଉପଯୋଗ କରିବାକୁ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି।