୧୮ ରଥଚକ ନିର୍ମାଣ ସରିଲା

ପୁରୀ ଅଫିସ, ୨୧ା୫: ମହାପ୍ରଭୁଙ୍କ ଭଉଁରୀ ଯାତ୍ରାକୁ ଆଉ ଦିନଟିଏ ବାକି ଥିବାବେଳେ ଶ୍ରୀନଅରସ୍ଥିତ ଅସ୍ଥାୟୀ ରଥଖଳାରେ ରଥ ନିିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି। ଭଉଁରୀରେ ଚକ ଅଖ ଡେରା ନୀତି ଥିବାରୁ ରଥଖଳା ଚଳଚଞ୍ଚଳ ହୋଇଉଠିଛି। ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ତିନି ରଥର ସମୁଦାୟ ୪୨ଟି ଚକ ମଧ୍ୟରୁ ୧୮ଟିର ନିର୍ମାଣ ଶେଷ ହୋଇଛି। ଏଥିମଧ୍ୟରେ ତାଳଧ୍ୱଜର ୬, ଦେବଦଳନର ୫ ଏବଂ ନନ୍ଦିଘୋଷ ରଥର ୭ ଚକ ରହିଛି। ସେହିପରି ସାଲଗୁଜ, ଜଳଯନ୍ତ୍ର, ତୀଖ ଗୁଜ, କୁଡୁକା ନିର୍ମାଣ ସରିଛି। ତିନିରଥର ମୋଟ ୨୧ଟି ଅଖ ମଧ୍ୟରୁ ୩ଟି ନାହାକା ଅଖ କାମ ଶେଷ ହୋଇଛି। ଭଉଁରୀ ଅବସରରେ ଉକ୍ତ ୩ଟି ଅଖରେ ଦୁଇଟି ଲେଖାଏ ଚକ ସଂଯୋଗ କରାଯାଇ ଚକାଡେରା ନୀତି ସମ୍ପନ୍ନ କରାଯିବ। ତିନିରଥର ସମସ୍ତ ୪୪ଟି ଯୋଖା ନିର୍ମାଣ ସରିଛି। ଶୁକ୍ରବାର ସପ୍ତମ ଚକ ତୁମ୍ବରେ ଅର ସଂଯୋଗ ସହ ଅଖବିନ୍ଧ ହୋଇ ପନ୍ଧାରୀ ଏବଂ ବଳା ବସି ପନ୍ଦାରୀ ଗାଡ଼ ସରିଛି। ତାଳଧ୍ୱଜ ରଥର ଅଷ୍ଟମ ଚକ ପାଇଁ ତୁମ୍ବରେ ଅର ସଂଯୋଗ ହୋଇଛି। ମୁହାଁଟ ଓ ଭୂଇଁଚଉତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ଏଥିଲାଗି ୪ଟି ଲେଖାଏ ଧଉରା ଓ ଅସନ କାଠ ଯୋଗାଇଦିଆଯାଇଛି। ଦେବଦଳନ ରଥର ଷଷ୍ଠ ଚକ ନିର୍ମାଣ ଲାଗି ତୁମ୍ବରେ ଅର ସଂଯୋଗ ହୋଇ ପନ୍ଦାରୀ ଓ ବଳା ବସି ପନ୍ଦାରୀ ଗାଡ଼ ସରିଛି। ସେହିପରି ୧୨ଟି ଯୋଖା ନିର୍ମାଣ ସରି ମୁହାଁଟ ଓ ଭୂଇଁ ଚଉତା ତିଆରି କାମ ଆରମ୍ଭ ହୋଇଛି। ଏଥିଲାଗି ଦୁଇଟି ଲେଖାଏ ୧୨ ଫୁଟିଆ ଧଉରା ଓ ଅସନ କାଠ ଯୋଗାଇଦିଆଯାଇଛି। ନନ୍ଦିଘୋଷ ରଥର ୭ ଚକ ତିଆରି ପରେ ନବମ ଓ ଦଶମ ଚକ ନିର୍ମାଣ ଲାଗି ତୁମ୍ବରେ ଅର ସଂଯୋଗ ହୋଇଛି। ୧୬ଟି ଯୋଖା ତିଆରି ପରେ ମୁହାଁଟ ଓ ଭୂଇଁ ଚଉତା ନିର୍ମାଣ ଆରମ୍ଭ ହୋଇଛି। ଦୁଇଟି ଧଉରା ଓ ଅସନ କାଠ ଯୋଗାଇ ଦିଆଯାଇଛି। ତିନିରଥର ୧୭ ଜଣ ରୂପକାର ସେବକ ୬ଟି ଲେଖାଏ ଗୁଜରେ ସିଂହ ବିରାଳ ରୂପ ଖୋଦେଇ ଜାରି ରଖିଛନ୍ତି। ଦୋଳବେଦିସ୍ଥିତ ଅସ୍ଥାୟୀ କମାରଶାଳରେ ଓଝା ସେବକମାନେ ବଳା, ଅରକଣ୍ଟା, ପନ୍ଦାରୀ ଓ ପନ୍ଦାରୀ ଚାବି ନିର୍ମାଣରେ ଲାଗିଛନ୍ତି।