୧୬୩ ଆହାର କେନ୍ଦ୍ରରେ ୧୭୦୦ ଏସ୍‌ଏଚ୍‌ଜି ମହିଳା

ଭୁବନେଶ୍ୱର,୩୦ା୧୧(ବ୍ୟୁରୋ) :ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଆହାର କାର୍ଯ୍ୟକ୍ରମ ସଫଳତାର ଶିଖର ଛୁଇଁଛି। ରାଜ୍ୟର ଗରିବ ଓ ଅସହାୟ ଲୋକଙ୍କୁ ଖାଦ୍ୟ ଯୋଗାଉଥିବା ଆହାର କେନ୍ଦ୍ରଗୁଡ଼ିକ ନୂଆ ରେକର୍ଡ ସୃଷ୍ଟି କରିଛି। ୧୬୩ ଆହାର କେନ୍ଦ୍ରରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି)ର ୧୭୦୦ ସଦସ୍ୟା ଖାଦ୍ୟ ପରିବେଷଣ କରୁଛନ୍ତି। ଏଭଳି ପଦେକ୍ଷପ ଦ୍ୱାରା ଏସ୍‌ଏଚ୍‌ଜିଗୁଡ଼ିକ ପାଇଁ ନୂଆ ସୁଯୋଗ ସୃଷ୍ଟି ହୋଇଛି ବୋଲି ଗୃହ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଜି. ମାଥି ଭାଥନନ୍‌ କହିଛନ୍ତି। ସମ୍ପୃକ୍ତ ଏସ୍‌ଏଚ୍‌ଜି ସଦସ୍ୟାଙ୍କ ସହ ଭର୍ଚ୍ଚୁଆଲ୍‌ କନ୍‌ଫରେନ୍ସରେ ଯୋଗଦେଇ ସଚିବ କହିଲେ, ଆହାର କେନ୍ଦ୍ରରେ ମହିଳାମାନେ ଖାଦ୍ୟ ପ୍ରସ୍ତୁତ ସହିତ ପରିବେଷଣ କରୁଛନ୍ତି। ଫଳରେ ବିନା ବାଧାରେ କରୋନା ସମୟରେ ଗରିବ ଲୋକଙ୍କୁ ୫ଟଙ୍କିଆ ଭାତ ଡାଲ୍‌ମା ସହଜରେ ଯୋଗାଯାଇ ପାରୁଛି। ପୌର ନିର୍ଦ୍ଦେଶକ ସଂଗ୍ରାମଜିତ ନାୟକ ଓ ସୁଡାର ଅତିରିକ୍ତ ନିର୍ଦ୍ଦେଶକ ଶାରଦା ପଣ୍ଡା ଭିଡିଓ କନ୍‌ଫରେନ୍ସରେ ଯୋଗଦେଇ ଆହାର କେନ୍ଦ୍ରରେ କୋଭିଡ୍‌ ନିୟମ ମାନି ଖାଦ୍ୟ ପରିବେଷଣ ସହିତ କେନ୍ଦ୍ର ପରିସରରେ ପରିଷ୍କାର ପରିଚ୍ଛନ୍ନତା ବଜାୟ ରଖିବା ଲାଗି ବରିଷ୍ଠ ଅଧିକାରୀମାନେ ପରାମର୍ଶ ଦେଇଥିଲେ। କେତେଜଣ ମହିଳା ଆହାର କେନ୍ଦ୍ରରେ ଖାଦ୍ୟ ପରିବେଷଣ ଓ ଆନୁଷଙ୍ଗିକ ଭିତ୍ତିଭୂମି ସଂକ୍ରାନ୍ତରେ ସୂଚନା ପ୍ରଦାନ କରିଥିଲେ।