Categories: Home Leftଖେଳ

ଭାଙ୍ଗିବ ୧୭ ବର୍ଷର ରେକର୍ଡ! ଦ୍ୱିତୀୟ ଟେଷ୍ଟରେ ଟିମ ଇଣ୍ଡିଆର ବଡ଼ ଚାଲ, ଏଣ୍ଟ୍ରି କରିବେ ଏହି ଘାତକ ବୋଲର

ନୂଆଦିଲ୍ଲୀ,୨୬।୧୧: ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ହାଗଲେ ଓଭାଲରେ ଶୁକ୍ରବାରଠାରୁ ଆରମ୍ଭ ହେବାକୁ ଥିବା ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚରେ ଭାରତ ଯୁବ ଦ୍ରୁତ ବୋଲର ଗୁରନୁର ବ୍ରାରଙ୍କୁ ଡେବ୍ୟୁ କରିବାର ସୁଯୋଗ ଦେଇପାରେ । ରେଭ ସ୍ପୋର୍ଟସ (RevSportz) ର ରିପୋର୍ଟ ଅନୁଯାୟୀ, ଦଳ ପରିଚାଳନା ଦ୍ୱିତୀୟ ଟେଷ୍ଟରେ ବ୍ରାରଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରିବା ନେଇ ବିଚାର କରୁଛି । ନିକଟରେ ଦିନିକିଆ ସିରିଜରେ ଚମତ୍କାର ପ୍ରଦର୍ଶନ କରି ପ୍ଲେୟାର ଅଫ ଦି ସିରିଜ ହୋଇଥିବା ବ୍ରାରଙ୍କୁ ଯଦି ସୁଯୋଗ ମିଳେ, ତେବେ ଏହା ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟରର ପ୍ରଥମ ଟେଷ୍ଟ ମ୍ୟାଚ ହେବ ।

ନ୍ୟୁଜିଲ୍ୟାଣ୍ଡରେ ଟେଷ୍ଟ ସିରିଜ ଜିତିବାର ୧୭ ବର୍ଷର ଦୀର୍ଘ ଅପେକ୍ଷାକୁ ଶେଷ କରିବା ଲକ୍ଷ୍ୟରେ ଭାରତ ଏହି ମୁକାବିଲାରେ ପଡ଼ିଆକୁ ଓହ୍ଲାଇବ । ୱେଲିଂଟନରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ଡ୍ର ରହିବା ପରେ ସିରିଜ ୦-୦ ରେ ବରାବର ଅଛି । ଏଭଳି ପରିସ୍ଥିତିରେ ହାଗଲେ ଓଭାଲରେ ହେବାକୁ ଥିବା ମୁକାବିଲା ଉଭୟ ଦଳ ପାଇଁ ର୍ନିଣ୍ଣାୟକ ସାବ୍ୟସ୍ତ ହୋଇପାରେ ।

ପ୍ରଥମ ଟେଷ୍ଟରେ ବ୍ୟାଟିଂ ପାଇଁ ଅନୁକୂଳ ପିଚରେ ଭାରତ ୭୦୦ ରୁ ଅଧିକ ରନ କରିଥିଲା । ପାଞ୍ଚ ଦିନରେ ମୋଟ ୪୦୭ ଓଭର ବୋଲିଂ ହୋଇଥିବା ବେଳେ ମାତ୍ର ୨୪ଟି ୱିକେଟ ପଡ଼ିଥିଲା । କେଏଲ ରାହୁଲ ଶତକ ହାସଲ କରିଥିବା ବେଳେ ଯଶପ୍ରୀତ ବୁମରା ଉଭୟ ଇନିଂସର ପ୍ରଥମ ଓଭରରେ ନ୍ୟୁଜିଲ୍ୟାଣ୍ଡ ଅଧିନାୟକ ଟମ ଲାଥମଙ୍କୁ ଆଉଟ କରି ନିଜର ପ୍ରଭାବ ବିସ୍ତାର କରିଥିଲେ । ଭାରତୀୟ ଦଳ ସମ୍ମୁଖରେ ସବୁଠାରୁ ବଡ଼ ପ୍ରଶ୍ନ ଦ୍ରୁତ ବୋଲିଂ ଆକ୍ରମଣକୁ ନେଇ ରହିଛି । ଦଳ ପରିଚାଳନା ’ହିଟ ଦି ଡେକ’ (hit-the-deck) ବୋଲରଙ୍କ ଭୂମିକା ପାଇଁ ଗୁରନୁର ବ୍ରାର ଏବଂ ପ୍ରସିଦ୍ଧ କ୍ରିଷ୍ଣାଙ୍କ ମଧ୍ୟରେ ଅନ୍ତିମ ନିଷ୍ପତ୍ତି ନେଇପାରେ । ଯଦି ବ୍ରାରଙ୍କୁ ସୁଯୋଗ ମିଳେ, ତେବେ ନ୍ୟୁଜିଲ୍ୟାଣ୍ଡର ପରିସ୍ଥିତିରେ ସେ କିଭଳି ପ୍ରଭାବ ପକାଉଛନ୍ତି ତାହା ଦେଖିବା ବେଶ ରୋଚକ ହେବ ।

ଅନ୍ୟପକ୍ଷରେ, ନ୍ୟୁଜିଲ୍ୟାଣ୍ଡ ମଧ୍ୟ କିଛି ଆହୱାନର ସାମ୍ନା କରୁଛି । ଦ୍ରୁତ ବୋଲର ବ୍ଲେୟାର ଟିକନର ହାମଷ୍ଟ୍ରିଙ୍ଗ ଆଘାତ କାରଣରୁ ସିରିଜରୁ ବାଦ ପଡ଼ିଛନ୍ତି ଏବଂ ତାଙ୍କ ସ୍ଥାନରେ ମ୍ୟାଟ ଫିସରଙ୍କୁ ଦଳରେ ସାମିଲ କରାଯାଇଛି । ପ୍ରଥମ ଟେଷ୍ଟର ଉଭୟ ଇନିଂସରେ ଶୂନରେ ଆଉଟ ହେବା ପରେ ଅଧିନାୟକ ଟମ ଲାଥମ ମଧ୍ୟ ପ୍ରତ୍ୟାବର୍ତ୍ତନ କରିବାକୁ ଆଶା ରଖିବେ ।

ଆୟୋଜକ ଦଳର ନଜର ପୁଣି ଥରେ ମ୍ୟାଟ ହେନରୀଙ୍କ ଉପରେ ରହିବ, ଯାହାଙ୍କର ହାଗଲେ ଓଭାଲରେ ଚମତ୍କାର ରେକର୍ଡ ରହିଛି । ହେନରୀ ଏହି ପଡ଼ିଆରେ ଖେଳାଯାଇଥିବା ଆଠଟି ଟେଷ୍ଟ ମ୍ୟାଚରେ ୪୦ଟି ୱିକେଟ ନେଇଛନ୍ତି ଏବଂ ସେ ଘରୋଇ ପରିସ୍ଥିତିର ଫାଇଦା ଉଠାଇବାକୁ ପ୍ରସ୍ତୁତ ଅଛନ୍ତି । ତାଙ୍କ ମତରେ, ହାଗଲେ ଓଭାଲ ଏପରି ଏକ ପଡ଼ିଆ ଯେଉଁଠାରେ ବ୍ୟାଟର ଏବଂ ବୋଲର ଉଭୟଙ୍କୁ ସହାୟତା ମିଳିଥାଏ । ଯଶପ୍ରୀତ ବୁମରାଙ୍କ ନେତୃତ୍ୱରେ ଭାରତର ଦ୍ରୁତ ବୋଲିଂ ଆକ୍ରମଣ ପ୍ରାରମ୍ଭିକ ମୁଭମେଣ୍ଟର ଫାଇଦା ଉଠାଇବ ବୋଲି ଭାରତ ଆଶା କରିବ । ସେହିପରି ବ୍ୟାଟିଂରେ କେଏଲ ରାହୁଲଙ୍କ ସମେତ ଶୀର୍ଷ କ୍ରମଠାରୁ ପୁଣି ଥରେ ବଡ଼ ଇନିଂସର ଆଶା ରହିବ ।

ପ୍ରଥମ ଟେଷ୍ଟ ଡ୍ର ରହିବା ପରେ ଦଳରେ ବଡ଼ ପରିବର୍ତ୍ତନର ସମ୍ଭାବନା କମ ରହିଛି, କିନ୍ତୁ ଗୁରନୁର ବ୍ରାରଙ୍କୁ ନେଇ ଚାଲିଥିବା ଚର୍ଚ୍ଚା ଦ୍ୱିତୀୟ ଟେଷ୍ଟ ପୂର୍ୱରୁ ଉତ୍ସୁକତା ବଢ଼ାଇ ଦେଇଛି । ଯଦି ଏହି ଯୁବ ଦ୍ରୁତ ବୋଲରଙ୍କୁ ଡେବ୍ୟୁ କ୍ୟାପ ମିଳେ, ତେବେ ଏହା ତାଙ୍କ କ୍ୟାରିୟରର ସବୁଠାରୁ ବଡ଼ ସୁଯୋଗ ହେବ, ଅନ୍ୟପଟେ ଭାରତର ନଜର ନ୍ୟୁଜିଲ୍ୟାଣ୍ଡ ମାଟିରେ ଐତିହାସିକ ଟେଷ୍ଟ ସିରିଜ ବିଜୟ ହାସଲ କରିବା ଉପରେ ରହିବ ।

Share