୧୭ କି.ମି. ଦୌଡ଼ିଲେ କୁନି ଧାବକ ରୁଦ୍ର

ମାଲକାନଗିରି,୧୩ା୧ (ଡି.ଏନ୍‌.ଏ.): ମାଲକାନଗିରି ଜିଲାରେ ମାଲ୍ୟବନ୍ତ ମହୋତ୍ସବ ଅବସରରେ ଜିଲା ସଂସ୍କୃତି ପରିଷଦ ଏବଂ ଜିଲା କ୍ରୀଡ଼ା ବିଭାଗ ପକ୍ଷରୁ ଗୁରୁବାର ଏକ ମିନି ମାରାଥନ (ଗଣଦୌଡ଼) ଆୟୋଜିତ ହୋଇଥିଲା। ଏଥିରେ ୬ ବର୍ଷର କୁନି ଧାବକ ରୁଦ୍ରପ୍ରସାଦ ସେଠୀ ୧୭ କି.ମି. ଦୌଡ଼ି ରେକର୍ଡ ସୃଷ୍ଟି କରିଛନ୍ତି। କୋରୁକୋଣ୍ଡା ଉଚ୍ଚ ବିଦ୍ୟାଳୟରୁ ଏହି ମିନି ମାରାଥନ ଆରମ୍ଭହୋଇ ମାଲକାନଗିରି ବୁଟିଗୁଡା ବିଦ୍ୟାଳୟଠାରେ ଶେଷ ହୋଇଥିଲା। ଏଥିରେ ପ୍ରାୟ ୨ଶହ ମହିଳା ପୁରୁଷ ଅଂଶଗ୍ରହଣ କରିଥିଲେ। ସେମାନଙ୍କ ମଧ୍ୟରେ ରୁଦ୍ର ସାମିଲ ହୋଇ ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲେ। ମାଲକାନଗିରି କେନ୍ଦ୍ରୀୟ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରେ ପଢୁଥିବା ରୁଦ୍ର ହେଉଛନ୍ତି ତ୍ରିଲୋଚନ ସେଠୀଙ୍କ ପୁଅ। ଦୌଡ଼ିବା ପ୍ରତି ରୁଚି ରଖିଥିବା ରୁଦ୍ର ୩ବର୍ଷ ବୟସରୁ ଏହି ଅଭ୍ୟାସ ଜାରି ରଖିଛନ୍ତି। ପ୍ରତିଦିନ ସକାଳୁ ସେ ଦୌଡ଼ିବା ଅଭ୍ୟାସ କରନ୍ତି। ଭବିଷ୍ୟତରେ ଜାତୀୟ ସ୍ତରର ଦୌଡ ପ୍ରତିଯୋଗିତାରେ ପୁଅ ଅଂଶଗ୍ରହଣ କରୁ ବୋଲି ଆମେ ମାଆବାପା ଆଶା ରଖିଥିବା କହିଛନ୍ତି ତ୍ରିଲୋଚନ। ରୁଦ୍ରଙ୍କ ଅଜା ରବୀନ୍ଦ୍ର ସେଠୀ ଜଣେ ହାବିଲଦାର। ସେ ନାତି ରୁଦ୍ରଙ୍କ ସଫଳତାରେ ବହୁତ ଖୁସି ବୋଲି ପ୍ରକାଶ କରିଛନ୍ତି। ବୁଟିଗୁଡାଠାରେ ମିନି ମାରାଥନ ପହଞ୍ଚତ୍ବା ପରେ ଉପଜିଲାପାଳ ଅକ୍ଷୟ ଖେମୁଣ୍ଡୁ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ବଳଭଦ୍ର ଦୀପ, ଜିଲା କ୍ରୀଡ଼ା ଅଧିକାରୀ ଧ୍ରୁବଚରଣ ମୁଦୁଲି, ଡିପିଏମ୍‌ ପବିତ୍ର ମୋହନ ବାରା ଉପସ୍ଥିତ ରହି ପ୍ରତିଯୋଗୀମାନଙ୍କୁ ସ୍ବାଗତ କରିଥିଲେ। ଏହି ଗଣଦୌଡ଼ରେ ପୁରୁଷ ବର୍ଗରେ ବୁଦ୍ରା ବିଶି ନାୟକ, ଫୁଲ ସୁନ୍ଦର ପୂଜାରୀ ଓ ସୁନୀଲ ମାଢ଼ି ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ସେହିପରି ମହିଳା ବର୍ଗରେ ପ୍ରୀତିରେଖା ମାର୍ଡି ପ୍ରଥମ ହୋଇଛନ୍ତି।