ତୃତୀୟ ଭାଷାରେ ୧୭,୪୦୦ ଅନୁପସ୍ଥିତ

କଟକ ଅଫିସ, ୧୫ା୩: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ସମ୍ମେଟିଭ-୨ ପରୀକ୍ଷାର ମଙ୍ଗଳବାର ତୃତୀୟ ଦିନରେ ତୃତୀୟ ଭାଷା ବିଷୟରେ ଛାତ୍ରୀଛାତ୍ରମାନେ ପରୀକ୍ଷା ଦେଇଛନ୍ତି। ତେବେ ତୃତୀୟ ଭାଷା ବିଷୟରେ ରାଜ୍ୟରେ ମୋଟ ୫ ଲକ୍ଷ ୩୬ ହଜାର ୪୩୬ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୫ ଲକ୍ଷ ୧୯ ହଜାର ୩୯ଜଣ ପରୀକ୍ଷା ଦେଇଛନ୍ତି। ଅନ୍ୟପଟେ ଏହି ପରୀକ୍ଷାରେ ୧୭ ହଜାର ୪ଶହ ଛାତ୍ରୀଛାତ୍ର ଅନୁପସ୍ଥିତ ରହିଥିବା ସୂଚନା ମିଳିଛି। ସେଥିରୁ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟରେ ୧୬ ହଜାର ୬୯୫ଜଣ, ସଂସ୍କୃତ ମଧ୍ୟମାରେ ୫୬୧ ଜଣ ଏବଂ ରାଜ୍ୟ ମୁକ୍ତ ବିଦ୍ୟାଳୟରେ ୧୪୪ ପରୀକ୍ଷାର୍ଥୀ ପରୀକ୍ଷା ଦେବାକୁ ଆସିନାହାନ୍ତି। ସେହିଭଳି ଉକ୍ତ ପରୀକ୍ଷାରେ ୨୭ଜଣ ପରୀକ୍ଷାର୍ଥୀ କପି କରି ଧରାପଡିଥିବା ବୋର୍ଡ ଉପସଭାପତି ଡ. ନିହାର ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି।