ପଞ୍ଚାୟତିରାଜ ଅନୁଷ୍ଠାନ ପାଇଁ ଓଡ଼ିଶାକୁ ୧,୬୯୩ କୋଟି

ଭୁବନେଶ୍ୱର,୨୮।୧(ବ୍ୟୁରୋ): କେନ୍ଦ୍ର ସରକାର ପଞ୍ଚାୟତିରାଜ ଅନୁଷ୍ଠାନ ପାଇଁ ଓଡ଼ିଶାକୁ ୧,୬୯୩.୫୦ କୋଟି ଟଙ୍କା ପ୍ରଦାନ କରିଛନ୍ତି। ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଅର୍ଥ ମନ୍ତ୍ରଣାଳୟ ଦ୍ୱିତୀୟ କିସ୍ତି ବାବଦରେ ୧୮ ରାଜ୍ୟ ପାଇଁ ୧୨,୩୫୧.୫ କୋଟି ଟଙ୍କା ପ୍ରଦାନ କରିଛନ୍ତି। ରାଜ୍ୟ ସରକାର ପ୍ରଥମ କିସ୍ତି ବାବଦ ବିନିଯୋଗ ପ୍ରମାଣପତ୍ର(ୟୁସି) ଦେବା ପରେ ପଞ୍ଚାୟତିରାଜ ମନ୍ତ୍ରଣାଳୟର ସୁପାରିସ କ୍ରମେ ଏହି ଅର୍ଥ ପ୍ରଦାନ କରାଯାଇଛି। କେନ୍ଦ୍ର ସରକାରଙ୍କଠାରୁ ଅର୍ଥ ପାଇବାର ୧୦ ଦିନ ମଧ୍ୟରେ ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକୁ ଅନୁଦାନ ପଠାଇବାକୁ ହେବ। ଯଦି ଏହାଠାରୁ ରାଜ୍ୟ ସରକାର ବିଳମ୍ବ କରିବେ ତେବେ କେନ୍ଦ୍ରୀୟ ଅନୁଦାନ ସହିତ ସୁଧ ଦେବାକୁ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକର ଆର୍ଥିକ ଦକ୍ଷତା ବୃଦ୍ଧି କରିବାକୁ ପଞ୍ଚଦଶ ଅର୍ଥ କମିଶନଙ୍କ ସୁପାରିସ ଆଧାରରେ ଏହି ଅର୍ଥ ପ୍ରଦାନ କରାଯାଇଛି। ଏହି ଅର୍ଥ ଗ୍ରାମ, ବ୍ଲକ ଓ ଜିଲାସ୍ତରର ତ୍ରିସ୍ତରୀୟ ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକ ପାଇଁ ପ୍ରଦାନ କରାଯାଇଛି।
ପଞ୍ଚଦଶ ଅର୍ଥ କମିଶନ ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାକୁ ଦୁଇ ପ୍ରକାର ଅନୁଦାନ ଦେଇଥାଆନ୍ତି। ଗୋଟିଏ ଅତ୍ୟାବଶ୍ୟକ ଖର୍ଚ୍ଚ ଏବଂ ଅନ୍ୟଟି ମୌଳିକ ଖର୍ଚ୍ଚ। ଅତ୍ୟାବଶ୍ୟକ ଖର୍ଚ୍ଚ କର୍ମଚାରୀଙ୍କ ଦରମାକୁ ଛାଡ଼ି ଅନ୍ୟ ଖର୍ଚ୍ଚ ତୁଲାଇବାକୁ ପ୍ରଦାନ କରାଯାଇଥିବା ବେଳେ ଅନ୍ୟଟି ପରିମଳ ଏବଂ ଖୋଲାରେ ମଳତ୍ୟାଗ ମୁକ୍ତ ବାବଦ, ପାନୀୟ ଜଳ, ବର୍ଷା ଜଳ ସଂରକ୍ଷଣ ଏବଂ ପାଣି ପୁନଃପ୍ରକ୍ରିୟାକରଣ ଆଦିରେ ଖର୍ଚ୍ଚ କରାଯିବ। ଏଥିସହିତ କେନ୍ଦ୍ର ପ୍ରବର୍ତ୍ତିତ ଯୋଜନା ସ୍ବଚ୍ଛ ଭାରତ ମିଶନ ଏବଂ ଜଳ ଜୀବନ ମିଶନରେ ଖର୍ଚ୍ଚ କରାଯିବ। ସୂଚନାଯୋଗ୍ୟ, ୨୦୨୦ ଜୁନ୍‌ରେ ଚତୁର୍ଦ୍ଦଶ ଅର୍ଥ କମିଶନ ସୁପାରିସ ଅନୁଯାୟୀ ଅତ୍ୟାବଶ୍ୟକ ଖର୍ଚ୍ଚ ପ୍ରଥମ କିସ୍ତି ବାବଦରେ କେନ୍ଦ୍ର ସରକାର ରାଜ୍ୟଗୁଡିକୁ ୧୮,୧୯୯ କୋଟି ଟଙ୍କା ପ୍ରଦାନ କରିଥିବା ବେଳେ ମୌଳିକ ଖର୍ଚ୍ଚ ବାବଦରେ ୧୫,୧୮୭.୫୦ କୋଟି ଟଙ୍କା ପ୍ରଦାନ କରିଛନ୍ତି।