ଆତ୍ମସମର୍ପଣ କଲେ ୧୬ ମାଓବାଦୀ

ମାଲକାନଗିରି,୨୪ା୩(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ସୁକ୍‌ମାରେ ୧୬ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ସୁକ୍‌ମା ଜିଲାରେ ଗତ କିଛିଦିନ ହେଲା ପୋଲିସ ପକ୍ଷରୁ ମାଓବାଦୀଙ୍କୁ ଘରକୁ ଫେରାଇ ଆଣିବା ଲାଗି ପୁନାନାର୍କମ୍‌ ତଥା ଘରକୁ ଫେର ଅଭିଯାନ ଚାଲିଛି। ଏହି ଅଭିଯାନରେ ପ୍ରଭାବିତ ହୋଇ ସାଧାରଣ ଜୀବନଯାପାନ ପାଇଁ ଶୁକ୍ରବାର ୧୬ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଆତ୍ମସମର୍ପଣ କରିଥିବା ଏହି ମାଓବାଦୀମାନେ ଅନେକ ମାମଲାରେ ଜଡ଼ିତ ରହିଥିବା ଜଣାପଡ଼ିଛି। ପୂର୍ବରୁ ଏମାନଙ୍କ ନାମରେ ଅନେକ ୱାରେଣ୍ଟ ମଧ୍ୟ ଜାରି ହୋଇଥିଲା। ଆତ୍ମସମର୍ପଣକାରୀ ମାଓବାଦୀଙ୍କ ମଧ୍ୟରୁ ଜଣେ ମାଓବାଦୀଙ୍କ ନାମରେ ପୂର୍ବରୁ ୮ ଲକ୍ଷ ଏବଂ ଅନ୍ୟ ଜଣଙ୍କ ନାମରେ ୫ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରାଯାଇଥିଲା। ଅନ୍ୟ ଦୁଇଜଣଙ୍କ ନାମରେ ମଧ୍ୟ ପୁରସ୍କାର ରାଶି ଘୋଷଣା କରାଯାଇଥିଲା। ଆତ୍ମସମର୍ପଣ ବେଳେ ମାଓବାଦୀମାନେ ଗୋଟିଏ ବନ୍ଧୁକ ପୋଲିସକୁ ହସ୍ତାନ୍ତର କରିଛନ୍ତି। ସେମାନଙ୍କୁ ସରକାରୀ ନିୟମ ଅନୁଯାୟୀ ଥଇଥାନ କରାଯିବ ବୋଲି ସୁକ୍‌ମା ପୋଲିସ ପକ୍ଷରୁ କୁହାଯାଇଛି।