କନ୍ୟା ସନ୍ତାନ ଜନ୍ମଦେଲେ ୧୬ ବର୍ଷୀୟା ନାବାଳିକା: ପୋଲିସର ମାମଲା ରୁଜୁ

କେନ୍ଦୁଝର, ହାଟଡିହୀ,୩୦।୮(ନରେଶ ଚନ୍ଦ୍ର ପଟ୍ଟନାୟକ/ ଶୁଭକାନ୍ତ ନାୟକ/ନିରାକାର ପରିଡା ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଞ୍ଚଳରେ ଜଣେ ୧୬ ବର୍ଷୀୟା ନାବାଳିକା କନ୍ୟା ସନ୍ତାନକୁ ଜନ୍ମ ଦେଇଥିବା ଜଣାପଡ଼ିଛି। ଡାକ୍ତରଙ୍କ ରିପୋର୍ଟ ଆଧାରରେ ନନ୍ଦିପଦା ପୋଲିସ ଏନେଇ ମାମଲା ନଂ ୩୩୧/୨୬ରେ ଏକ ମାମଲା ରୁଜୁ କରିଛି।

ଥାନା ଅଧିକାରୀ ଧର୍ମେନ୍ଦ୍ର ଶାନ୍ତିଙ୍କ ସୂଚନା ଅନୁଯାୟୀ, ଗତ ଶନିବାର ରାତିରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ପୋଲିସ ନିକଟକୁ ଡାକ୍ତରଙ୍କ ଏକ ରିପୋର୍ଟ ଆସିଥିଲା। ଉକ୍ତ ରିପୋର୍ଟ ଆଧାରରେ ପୋଲିସ ମାମଲା ରୁଜୁ କରିଛି। ରିପୋର୍ଟରେ ଜଣେ ନାବାଳିକା କନ୍ୟା ସନ୍ତାନ ଜନ୍ମ ଦେଇଥିବା ଉଲ୍ଲେଖ ରହିଥିଲା।

ସୂଚନାଯୋଗ୍ୟ, ଚଳିତ ମାସ ୨୮ ତାରିଖରେ ନାବାଳିକାଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କୁ ପ୍ରଥମେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ନାବାଳିକା ଜଣକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିବା ଡାକ୍ତରୀ ରିପୋର୍ଟରୁ ଜଣାପଡ଼ିଛି।

ଘଟଣାକୁ ନେଇ ନନ୍ଦିପଦା ପୋଲିସ ତଦନ୍ତ ଆରମ୍ଭ କରିଛି।

Share