କଲ୍ୟାଣସିଂହପୁର, ୭।୯ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକସ୍ଥିତ ଦେବଗିରି ମହାବିଦ୍ୟାଳୟ ପରିସରରେ ୧୫ତମ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। କଲେଜ ପରିଚାଳନା ସମିତିର ସଭାପତି ଭି.ଭି. ୱାର ପ୍ରସାଦ ରାଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ କୋରାପୁଟ ଲୋକସଭା ସାଂସଦ ସପ୍ତଗିରି ଉଲାକା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।
ସମ୍ମାନିତ ଅତିଥି ଭାବେ ନିର୍ମଳା କାଡ୍ରାକା, କଲେଜ ଅଧ୍ୟକ୍ଷ ଜଗେଶ୍ୱର ଗରଡ଼ା, ଡା. ସୌମ୍ୟ ରଞ୍ଜନ ଜେନା, +୩ ସମ୍ପାଦକ ଏକେଣ୍ଟସ୍ୱର ପାଢ଼ୀ ଏବଂ +୨ ସମ୍ପାଦକ ମାଉଡ଼ି ବାରିକ ମଞ୍ଚାସୀନ ଥିଲେ। ପ୍ରାରମ୍ଭରେ ଅତିଥିମାନଙ୍କୁ ଉତ୍ତରୀୟ, ବ୍ୟାଜ୍ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ଭବ୍ୟ ସ୍ୱାଗତ କରାଯାଇଥିଲା। ଏହାପରେ ଅତିଥିମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ଛାତ୍ରଛାତ୍ରୀମାନେ ମଧୁର ସ୍ୱରରେ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ।
କଲେଜ ଅଧ୍ୟକ୍ଷ ଜଗେଶ୍ୱର ଗରଡ଼ା ଅନୁଷ୍ଠାନର ବାର୍ଷିକ ବିବରଣୀ ଉପସ୍ଥାପନ କରି କଲେଜର ଅଗ୍ରଗତି ଓ ବିଭିନ୍ନ ସଫଳତା ସମ୍ପର୍କରେ ଆଲୋକପାତ କରିଥିଲେ। ମୁଖ୍ୟ ଅତିଥି ସାଂସଦ ଉଲାକା ଛାତ୍ରୀଛାତ୍ରମାନଙ୍କୁ ଉତ୍ସାହିତ କରିବା ସହ ଉଚ୍ଚଶିକ୍ଷା, ନୈତିକ ମୂଲ୍ୟବୋଧ ଏବଂ ଅଞ୍ଚଳର ବିକାଶରେ ଯୁବପିଢ଼ିଙ୍କ ଭୂମିକା ଉପରେ ଗୁରୁତ୍ୱାରୋପ କରି ମାର୍ଗଦର୍ଶନ ପ୍ରଦାନ କରିଥିଲେ।
ଶେଷରେ ହେମନ୍ତ ବାଗ ଓ ସଂଯୁକ୍ତା ଗରଡ଼ା ଧନ୍ୟବାଦ ଅର୍ପଣ କରିଥିଲେ। ସଭା ଶେଷ ହେବା ପରେ ଅତିଥି, ଅଧ୍ୟାପକ, କର୍ମଚାରୀ ଓ ଛାତ୍ରୀଛାତ୍ରଙ୍କ ପାଇଁ ମଧ୍ୟାହ୍ନ ଭୋଜନର ଆୟୋଜନ କରାଯାଇଥିଲା।
ଦ୍ୱିତୀୟାର୍ଦ୍ଧରେ କଲେଜର ଛାତ୍ରୀଛାତ୍ରମାନଙ୍କ ଦ୍ୱାରା ମନୋରଞ୍ଜନଧର୍ମୀ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏହା ଉପସ୍ଥିତ ଦର୍ଶକମାନଙ୍କୁ ବେଶ୍ ଆନନ୍ଦିତ କରିଥିଲା। ଏହି ସମାରୋହରେ କଲେଜର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ବିଦ୍ୟାର୍ଥୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।