ଉତ୍ତର ଭାରତରେ ଘନ କୁହୁଡ଼ି: ଅଧିକାଂଶ ଟ୍ରେନ୍‌ ବାତିଲ୍‌ ଓ ବିଳମ୍ବ

ଭୁବନେଶ୍ୱର, ୪ା୧(ବ୍ୟୁରୋ): ଉତ୍ତର ଭାରତରେ ଘନ କୁହୁଡ଼ି ଯୋଗୁ ଟ୍ରେନ ଚଳାଚଳ ପ୍ରଭାବିତ ହୋଇଛି। ପୂର୍ବତଟ ରେଳପଥ ସହ ଜଡ଼ିତ ଟ୍ରେନଗୁଡ଼ିକ ମଧ୍ୟ ଏହାଦ୍ୱାରା ପ୍ରଭାବିତ ହୋଇଛି। ଅଧିକାଂଶ ଟ୍ରେନ ବିଳମ୍ବରେ ଚାଲୁଥିବାବେଳେ ଓ ସୁରକ୍ଷାକୁ ଗୁରୁତ୍ୱ ଦେଇ କେତେକ ଟ୍ରେନ୍‌କୁ ବାତିଲ୍‌ କରାଯାଇଛି। ଘନ କୁହୁଡ଼ି ସମୟରେ ପରିସ୍ଥିତି ଦେଖି ଟ୍ରେନ୍‌ଗୁଡ଼ିକ ବାତିଲ୍‌ କିମ୍ବା ସମୟ ସୂଚୀରେ ପରିବର୍ତ୍ତନ କରାଯାଇପାରେ। ଏଭଳି ସ୍ଥିତିରେ ରେଳପଥ ପକ୍ଷରୁ ସୁରକ୍ଷା ନିୟମ ତିଆରି କରାଯାଇଛି। ଲୋକୋ ପାଇଲଟ(ଡ୍ରାଇଭର)ମାନେ କୁହୁଡ଼ି ପରିସ୍ଥିତି ଦେଖି ଆବଶ୍ୟକସ୍ଥଳେ ଟ୍ରେନର ବେଗ କମାଇଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଟ୍ରେନ ଚଳାଚଳରେ ଅସୁବିଧା ନ ହେବା ପାଇଁ ୨୪ ଘଣ୍ଟିଆ ନିରୀକ୍ଷଣ କରାଯାଉଛି। ବିଶେଷ କରି ଟ୍ରାକ୍‌ରେ ରାତି ଓ ଭୋର ସମୟରେ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ପୁରୁଷୋତ୍ତମ ଏକ୍ସପ୍ରେସ, ନୀଳାଚଳ, ନନ୍ଦନକାନନ, ସମ୍ପର୍କ କ୍ରାନ୍ତି, ଦୁରନ୍ତୋ, କଳିଙ୍ଗ ଉତ୍କଳ, ରାଜଧାନୀ ଏବଂ ଅନୁଗୁଳ-ଝାରସୁଗୁଡ଼ା ପଥ ଦେଇ ଚଳାଚଳ କରୁଥିବା ଟ୍ରେନଗୁଡ଼ିକ ବିଳମ୍ବ ହେବାର ଆଶଙ୍କା କରାଯାଉଛି। ଏହି ବିଳମ୍ବ ଯୋଗୁ ସଂଯୋଗକାରୀ ଟ୍ରେନଗୁଡ଼ିକୁ ବାତିଲ୍‌ କରାଯାଉଛି। ବାତିଲ୍‌ ଓ ବିଳମ୍ବିତ ଯାତ୍ରା କରିବାକୁ ଥିବା ଟ୍ରେନ ସମ୍ବନ୍ଧରେ ସୂଚନା ଏସ୍‌ ଏମ୍‌ଏସ୍‌ ଜରିଆରେ ଦେବାକୁ ଯୋଜନା ହୋଇଛି। କେତେକ ଗୁରୁତ୍ୱପୂର୍ଣ୍ଣ ଟ୍ରେନକୁ ନିୟମିତ କରିବା ସକାଶେ ଅନେକ ଟ୍ରେନକୁ ବାତିଲ୍‌ କରିବାକୁ ପଡୁଛି। ରେଳ ଚଳାଚଳକୁ ସୁଗମ କରିବା ପାଇଁ ପୂର୍ବତଟ ରେଳପଥ ତା’ର କାର୍ଯ୍ୟଶକ୍ତିକୁ ପ୍ରସ୍ତୁତ ରଖିବା ସହ ବିଳମ୍ବିତ ଟ୍ରେନଗୁଡ଼ିକୁ ଶୀଘ୍ର କାର୍ଯ୍ୟଭାର ବହନ କରିବା ପାଇଁ ରକ୍ଷଣାବେକ୍ଷଣ କର୍ମଚାରୀଙ୍କୁ ପ୍ରସ୍ତୁତ ରହିବାକୁ କୁହାଯାଇଛି। ଟ୍ରେନ ଚଳାଚଳ ସମ୍ବନ୍ଧୀୟ ସୂଚନା ପାଇବା ପାଇଁ ଯାତ୍ରୀ ୧୩୯ ରେ ଡାଏଲ କରିବାକୁ ପୂର୍ବତଟ ରେଳପଥ ପକ୍ଷରୁ ପରାମର୍ଶ ଦିଆଯାଇଛି।