ଵ୍ରହ୍ମପୁର, ୬/୧(ସୁବାସ ଚନ୍ଦ୍ର ପାଢ଼ୀ): ଵ୍ରହ୍ମପୁର ଏବେ ନିଶା କାରବାରର ହବ ପାଲଟିଛି । ଅନ୍ୟ ଜିଲାରୁ ଗଞ୍ଜେଇ ଆଣି ଵ୍ରହ୍ମପୁର ଦେଇ ବାହାର ରାଜ୍ୟକୁ ଚାଲାଣ ହେଉଛି । ସେହିପରି ବାହାର ଜିଲାରୁ ବ୍ରାଉନସୁଗର ଆଣି ଵ୍ରହ୍ମପୁର ଦେଇ ଗଞ୍ଜାମ ଜିଲାର ବିଭିନ୍ନ ସ୍ଥାନକୁ ନେଇ ବିକ୍ରିବଟା କରାଯାଉଥିବା ଅବକାରୀ ଗୁଇନ୍ଦା ବିଭାଗ ଜାଣିବାକୁ ପାଇଛି । ମଙ୍ଗଳବାର ଅବକାରୀ ଖବର ପାଇ ଗୋଇନ୍ଦା ଡ଼ିଏସପି ଶୃତିକାନ୍ତ ରାଉତଙ୍କ ନେତୃତ୍ୱରେ ଏକ ଟିମ ଵ୍ରହ୍ମପୁର ରେଳଷ୍ଟେସନ ନିକଟରେ ଏକ ପଲସର ବାଇକ ନଂ (ଓଡ଼ି୩୨ଏଲ- ୪୧୫୦)ଅଟକାଇ ଯାଞ୍ଚ କରିଥିଲା।
ବାଇକରେ ଥିବା ଦୁଇଜଣ ଯୁବକଙ୍କ ନିକଟରୁ ୧୫୬ ଗ୍ରାମ ଓଜନର ବ୍ରାଉନସୁଗର ଜବତ କରିଥିଲା। ଉକ୍ତ ଦୁଇଜଣ ଯୁବକ ହେଲେ କବିସୂର୍ଯ୍ୟନଗର ଅଞ୍ଚଳର ନରେଶ ଦଳାଇ ଓ ରକେଶ ସ୍ୱାଇଁ । ଜେରା ବେଳେ ସେମାନେ ଉକ୍ତ ବ୍ରାଉନସୁଗର ଭଦ୍ରକରୁ ଆଣି ଟ୍ରେନରେ ଵ୍ରହ୍ମପୁର ଆସିଥିଲେ । ରେଳ ଷ୍ଟେସନରେ ପୂର୍ବରୁ ପାର୍କିଂ କରିଥିବା ବାଇକରେ କବିସୂର୍ଯ୍ୟନଗର ଯାଇ ସେଠାରେ ଉକ୍ତ ବ୍ରାଉନସୁଗର ବିକ୍ରି କରିଥାନ୍ତେ ବୋଲି ପୋଲିସ ନିକଟରେ ସ୍ୱୀକାର କରିଥିବା ଜଣାପଡ଼ିଛି । ଏପରିକି ପୂର୍ବରୁ ମଧ୍ୟ ସେମାନେ ବାଲେଶ୍ୱର ଓ ଭଦ୍ରକ ଅଞ୍ଚଳରୁ ଅନେକଥର ବ୍ରାଉନସୁଗର ଆଣି ବିକ୍ରି କରିଥିବା ବେଳେ ପ୍ରଥମ ଥର ପୋକିଛ ହାବୁଡ଼ରେ ଧରାପଡିଥିବା ଜଣାପଡିଛି । ଜବତ ବ୍ରାଉନସୁଗର ଓ ବାଇକର ମୂଲ୍ୟ ପ୍ରାୟ ୧୮ ଲକ୍ଷ ଟଙ୍କା ହେବ ବୋଲି ଡ଼ିଏସପି ଶୃତିକାନ୍ତ ରାଉତ କହିଛନ୍ତି । ଗିରଫ ଅଭିଯୁକ୍ତ ଦ୍ୱୟଙ୍କୁ କୋର୍ଟ ଚାଲାଣ କରାଯାଇଛି । ଘଟଣାର ତଦନ୍ତ ଜାରି ରହିଛି ବୋଲି ସେ କହିଛନ୍ତି ।


