ଆକ୍ସିସ ବ୍ୟାଙ୍କ- ବିଏମ୍‌ସି ମଧ୍ୟରେ ବୁଝାମଣା: ହିତାଧିକାରୀଙ୍କୁ ଆକାଉଣ୍ଟରେ ମିଳିବ ଭତ୍ତା

ଭୁବନେଶ୍ୱର, ୨୮ା୧୨(ବ୍ୟୁରୋ): ସାମାଜିକ ସୁରକ୍ଷା ଯୋଜନାରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଅଞ୍ଚଳରେ ଭତ୍ତା ପାଉଥିବା ହିତାଧିକାରୀମାନେ ଫେବୃୟାରୀ ମାସଠାରୁ ଆକାଉଣ୍ଟ ଯୋଗେ ଅର୍ଥ ପାଇବେ। ଏ ନେଇ ଆକ୍ସିସ ବ୍ୟାଙ୍କ୍‌ ଏବଂ ବିଏମ୍‌ସି ମଧ୍ୟରେ ଶୁକ୍ରବାର ଏକ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି। ସମସ୍ତ ହିତାଧିକାରୀଙ୍କୁ ଆଧାର ସଂଯୋଗୀକରଣ ମାଧ୍ୟମରେ ଭତ୍ତା ଦିଆଯିବ ବୋଲି ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି। ଏଥିପାଇଁ ବ୍ୟାଙ୍କ୍‌ ବିଜନେସ୍‌ କରେସ୍‌ପଣ୍ଡେଣ୍ଟ ନିୟୋଜିତ କରାଯିବା ସହ ମାଇକ୍ରୋ ଏଟିଏମ, ବାୟୋମେଟ୍ରିକ ରିଡର ଦ୍ୱାରା ବିନା ମୂଲ୍ୟରେ ଏହି ସେବା ଯୋଗାଯିବ। ବର୍ତ୍ତମାନ ସୁଦ୍ଧା ବିଏମ୍‌ସି ଅଞ୍ଚଳର ୨୧ହଜାର ୭୭୭ ହିତାଧିକାରୀଙ୍କ ମଧ୍ୟରୁ ୧୮ ହଜାର ୨୮୦ ଜଣଙ୍କର ଆଧାର ସଂଯୋଗ ସରିଛି। ଅନ୍ୟମାନଙ୍କର ଖୁବ୍‌ଶୀଘ୍ର ସଂଯୋଗ କରାଯିବା ସହ ଅତ୍ୟାବଶ୍ୟକ ସ୍ଥଳରେ ମାନୁଆଲ ମୋଡ଼ରେ ଭତ୍ତା ପ୍ରଦାନ କରାଯିବ ବୋଲି କୁହାଯାଇଛି। ଅନ୍ୟପଟେ ବ୍ୟାଙ୍କ ଜରିଆରେ ଭତ୍ତା ପ୍ରଦାନ ପାଇଁ ୧୧ ହଜାର ୭୧୫ ଜଣଙ୍କର ଆଧାର ସଂଯୋଗ ହୋଇଛି। ଆସନ୍ତା ଫେବୃୟାରୀ ସୁଦ୍ଧା ବଳକା କାମ ଶେଷ କରି ବ୍ୟାଙ୍କ୍‌ ଯୋଗେ ଭତ୍ତା ଦେବାକୁ ବିଏମ୍‌ସି ଲକ୍ଷ୍ୟ ରଖିଛି। ବିଏମ୍‌ସି ଓ ଆକ୍ସିସ ବ୍ୟାଙ୍କ୍‌ ମଧ୍ୟରେ ଚୁକ୍ତି ସମୟରେ ବିଏମ୍‌ସି କମିଶନର ପ୍ରେମଚନ୍ଦ ଚୌଧାରୀ, ଜୋନ୍‌ ଅଧିକାରୀ ପ୍ରମୋଦ କୁମାର ପୃଷ୍ଟି, ରୂପକ କୁମାର ପଟ୍ଟନାୟକ, ରବି ନାରାୟଣ ଜେଠୀ ପ୍ରମୁଖ ଉପସ୍ଥିତ ଥିଲେ। ବିଏମ୍‌ସି ପକ୍ଷରୁ ଡେପୁଟି କମିଶନର ଅଶୋକ କୁମାର ମହାନ୍ତି ଓ ଆକ୍ସିସ ବ୍ୟାଙ୍କ୍‌ ସାମନ୍ତରାପୁର ଶାଖାର ବ୍ରଜ କିଶୋର ମିଶ୍ର ବୁଝାମଣାପତ୍ର ସ୍ବାକ୍ଷର କରିଥିଲେ।