୧୦ ବର୍ଷରେ ୧୫୨ ପ୍ରଶ୍ନପତ୍ର ଲିକ୍‌, କାହାକୁ ବି ମିଳିନି ଦଣ୍ଡ: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ, ୨୩ା୭: ଏନ୍‌ଇଇଟି ପ୍ରଶ୍ନପତ୍ର ଲିକ୍‌କୁ ନେଇ ଆନ୍ଦୋଳନ କରୁଥିବା ଛାତ୍ରୀଛାତ୍ରମାନେ କୌଣସି ଆତଙ୍କବାଦୀ ନୁହଁନ୍ତି। ସେମାନେ କେବଳ ଏକ ନିରପେକ୍ଷ ଓ ସ୍ବଚ୍ଛ ଶିକ୍ଷା ବ୍ୟବସ୍ଥା ଦାବି କରୁଛନ୍ତି ବୋଲି ନୂଆଦିଲ୍ଲୀରେ ବୁଧବାର ଖବରଦାତା ସମ୍ମିଳନୀରେ କହିଛନ୍ତି ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା, ଆନ୍ଦୋଳନରତ ଛାତ୍ରୀଛାତ୍ରଙ୍କ ଉପରେ ପୋଲିସ କାର୍ଯ୍ୟାନୁଷ୍ଠାନ ପାଇଁ ଦାୟୀ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ଯୁବବର୍ଗଙ୍କୁ କ୍ଷମାପ୍ରାର୍ଥନା କରନ୍ତୁ ବୋଲି ସେ ଦାବି କରିଛନ୍ତି। ସେ କହିଛନ୍ତି ଯେ, ଗତ ୧୦ ବର୍ଷ ମଧ୍ୟରେ ୧୫୨ଟି ପ୍ରଶ୍ନପତ୍ର ଲିକ୍‌ ହୋଇଛି, ଯେଉଁଥିରେ ଏପର୍ଯ୍ୟନ୍ତ କାହାରିକୁ ଦଣ୍ଡିତ କରାଯାଇନାହିଁ।
କଂଗ୍ରେସ ମୁଖ୍ୟାଳୟରେ ଅନୁଷ୍ଠିତ ଏହି ଖବରଦାତା ସମ୍ମିଳନୀର ଆରମ୍ଭରେ ସୋମବାର ‘ଚଲୋ ସଂସଦ’ ଆନ୍ଦୋଳନ ସମୟରେ ଛାତ୍ରୀଛାତ୍ରଙ୍କ ଉପରେ ହୋଇଥିବା ପୋଲିସ କାର୍ଯ୍ୟାନୁଷ୍ଠାନର ଏକ ଭିଡିଓ ପ୍ରଦର୍ଶିତ କରାଯାଇଥିଲା। ଏହାକୁ ନେଇ ପ୍ରଶ୍ନ ଉଠାଇ ରାହୁଲ କହିଛନ୍ତି, ଶାନ୍ତିପୂର୍ଣ୍ଣ ଭାବେ ନିଜ ହକ୍‌ ମାଗୁଥିବା ନିରୀହ ଛାତ୍ରୀଛାତ୍ରଙ୍କ ଉପରେ ବନ୍ଧୁକ ଦେଖାଯାଉଛି ଓ ସେମାନଙ୍କୁ ମାଡ଼ ମରାଯାଉଛି। ଦେଶର ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ଦୁର୍ନୀତିଗ୍ରସ୍ତ ଓ ବ୍ୟୟବହୁଳ ହୋଇପଡ଼ିଥିବାବେଳେ ବାରମ୍ବାର ପ୍ରଶ୍ନପତ୍ର ଲିକ୍‌ ଯୋଗୁ ବହୁ କୋଟି ଛାତ୍ରୀଛାତ୍ର ମାନସିକ ଚାପ ଓ ଅବସାଦ ଭିତରକୁ ଠେଲି ହୋଇଯାଉଛନ୍ତି। ଗତ ଦଶନ୍ଧି ମଧ୍ୟରେ ପ୍ରାୟ ୧୫୨ଟି ପ୍ରଶ୍ନପତ୍ର ଲିକ୍‌ ଘଟଣା ଘଟିଥିବା ବେଳେ ଜଣଙ୍କୁ ବି ଦଣ୍ଡିତ କରାଯାଇନାହିଁ। ଏହାଦ୍ୱାରା ପ୍ରାୟ ୭.୫ କୋଟି ଛାତ୍ରୀଛାତ୍ର ଓ ସେମାନଙ୍କ ପରିବାର ପ୍ରଭାବିତ ହୋଇଛନ୍ତି। ପରିବାରଗୁଡ଼ିକ ପରୀକ୍ଷା ପାଇଁ ବାର୍ଷିକ ପ୍ରାୟ ୧.୩୨ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରୁଥିବାବେଳେ ଶେଷ ସମୟରେ ପରୀକ୍ଷା ରଦ୍ଦ ହେବା ଏକ ପ୍ରକାର ଚୋରି ସହ ସମାନ ବୋଲି ସେ ଆଖ୍ୟା ଦେଇଛନ୍ତି। ଶିକ୍ଷା ସାଙ୍ଗକୁ ଚାକିରି ସୁଯୋଗ ସଙ୍କୁଚିତ ହେଉଥିବାରୁ ଯୁବବର୍ଗଙ୍କ ଭବିଷ୍ୟତ ଅନ୍ଧକାର ଆଡ଼କୁ ଗତି କରୁଛି। ଉଲ୍ଲେଖଯୋଗ୍ୟ, ମଙ୍ଗଳବାର ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଏବଂ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ ଧାରଣାରେ ବସିଥିବା ସମୟରେ ପୋଲିସ ସେମାନଙ୍କୁ ହଟାଇ ନେଇ କିଛି ସମୟ ଅଟକ ରଖିଥିଲା। ସଂସଦରେ ଶିକ୍ଷା ଓ ପ୍ରଶ୍ନପତ୍ର ଲିକ୍‌ ପ୍ରସଙ୍ଗରେ ଆଲୋଚନା ପାଇଁ ସରକାର ପ୍ରସ୍ତୁତ ନ ହେବାରୁ ସେମାନେ ଏହି ବିକ୍ଷୋଭ କରିଥିବା ସ୍ପଷ୍ଟ କରିଛନ୍ତି। ଛାତ୍ରୀଛାତ୍ରଙ୍କ ଏହି ସଂଗ୍ରାମରେ କଂଗ୍ରେସ ସମ୍ପୂର୍ଣ୍ଣ ସାଥୀରେ ରହିଛି ବୋଲି ରାହୁଲ କହିଛନ୍ତି।

Odisha’s No.1 Odia Daily