୧୧ ଟଙ୍କାର କାମ ପାଇଁ ନେଉଥିଲେ ୧୫ ଶହ

ବ୍ରଜରାଜନଗର,୧୯।୧: ଝାରସୁଗୁଗୁଡ଼ା ଜିଲା ରାଜପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ସ୍ବାସ୍ଥ୍ୟକର୍ମୀ ଭରତ ଘାସି ମଙ୍ଗଳବାର ୧୫ ଶହ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ସୂଚନା ଯୋଗ୍ୟ, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଜନ୍ମମୃତ୍ୟୁ ପଞ୍ଜୀକରଣ ପାଇଁ ୧୧ ଟଙ୍କା ଟ୍ରେଜେରି ଚାଲାଣ ଲାଗୁଥିବା ବେଳେ ଭରତ ଦୀର୍ଘଦିନ ହେବ ୧୫ ଶହ ଟଙ୍କା ନେଉଥିଲେ। ଅଞ୍ଚଳବାସୀ ବିରୋଧ କରିବା ସତ୍ତ୍ବେ ସେ କର୍ଣ୍ଣପାତ କରୁ ନ ଥିଲେ। ପୂର୍ଣ୍ଣ ଗ୍ରାମର ସରୋଜିନୀଙ୍କ ମା’ ୨୦୦୯ ଓ ବାପା ୨୦୧୬ରେ ମୃତ୍ୟୁବରଣ କରିଥିଲେ। ମୃତ୍ୟୁ ସାର୍ଟିଫିକେଟ କରିବା ନେଇ ସରୋଜିନୀ ବାରମ୍ବାର ସ୍ବାସ୍ଥ୍ୟକେନ୍ଦ୍ରକୁ ଆସି ଫେରି ଯାଉଥିଲେ। ଅନ୍ୟପକ୍ଷେ ଭରତ ୧୫ ଶହ ଟଙ୍କା ନ ଦେଲେ ସାର୍ଟିଫିକେଟ ଦେବେ ନାହିଁ ବୋଲି ସରୋଜିନୀଙ୍କୁ କହିଥିଲେ। ଏନେଇ ସରୋଜିନୀ ଭିଜିଲାନ୍ସ ଅଧିକାରୀଙ୍କ ସହିତ ଯୋଗାଯୋଗ କରିଥିଲେ। ମଙ୍ଗଳବାର ଭରତ ଟଙ୍କା ନେଉଥିବା ବେଳେ ଯୋଜନା ମୁତାବକ ଭିଜିଲାନ୍ସ ଟିମ୍‌ ତାଙ୍କୁ ଧରିବାରେ ସଫଲ ହୋଇଥିଲେ। ଚଢାଉରେ ରାଉରକେଲା ଭିଜିଲାନ୍ସ ଡିଏସ୍‌ପି ଧୀରେନ୍ଦ୍ର ନାଏକ, ଇନ୍ସପେକ୍ଟର ଗୀତାଞ୍ଜଳି ପ୍ରଧାନ, ଝାରସୁଗୁଡ଼ା ଇନ୍ସପେକ୍ଟର ପି.କେ. ଆଇନ୍ଦ, ସୁନ୍ଦରଗଡ଼ର ସୁଧାଂଶୁ ଶେଖର ପୂଜାରୀ, ଦେବଗଡ଼ର ଯୋଗେଶ ପଟେଲ ପ୍ରମୁଖ ଏଥିରେ ସାମିଲ ଥିଲେ।