୩ ପଞ୍ଚାୟତର ୧୫ ଗାଁ ପାଣି ଘେରରେ

ଖୋର୍ଦ୍ଧା ଅଫିସ,୨୭ା୮: ଲଗାଣ ବର୍ଷା ସହ ହୀରାକୁଦ ଜଳ ରାଜୁଆ ନଦୀରେ ପ୍ରବେଶ କରିବା ପରେ ବନ୍ୟା ଆସିଛି। ଫଳରେ ଖୋର୍ଦ୍ଧା ବ୍ଲକ୍‌ର ୩ ପଞ୍ଚାୟତରେ ବନ୍ୟା ପାଣି ପ୍ରବେଶ କରି ବ୍ୟାପକ ଅଞ୍ଚଳକୁ ଜଳମଗ୍ନ କରିଛି। ଶହଶହ ଏକର ଚାଷଜମି ବୁଡି ରହିଛି। ଓରବରସିଂ ପଞ୍ଚାୟତର ହିରିମୂଳ, ଢିହଖାଲ, ଲେଖନପୁର, ବାଲିକୁଦା, ଦୁର୍ଗାପୁର, ମଶାଣିଆ, କୃଷ୍ଣପୁର, ନରଣଗଡ ପଞ୍ଚାୟତର ମାନପୁର, ଓରମି, ବଳପୁର, ଧବଳପୁର, କୁରୁମପଡା, ନରଣଗଡ ଏବଂ ବ୍ରଜମୋହନପୁର ପଞ୍ଚାୟତର ଶରଧାପୁର ଓ ଶଢେଇଘର ଆଦି ଗାଁ ବନ୍ୟା ପାଣି ଘରେ ରହିଛି।
ବୁଧବାର ଅତିରିକ୍ତ ଜିଲାପାଳ ଅନୁଜ ଦାସ ପଟ୍ଟନାୟକ, ଖୋର୍ଦ୍ଧା ତହସିଲଦାର ପଦ୍ମଲୋଚନ ସାହୁ ଓ ସ୍ଥାନୀୟ ଆର୍‌ଆଇ ପ୍ରମୁଖ ଓରବରସିଂ ପଞ୍ଚାୟତରେ ପହଞ୍ଚତ୍ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଲୋକେ କିପରି ନାନା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି ତାହା ଦେଖିଛନ୍ତି। ଢିହଖାଲର ରାକେଶ ବଳିୟାରସିଂ କୁହନ୍ତି, ଗାଁରେ ୩ଫୁଟର ଉଚ୍ଚର ପାଣି ଚାଲିଥିବାବେଳେ ଚାଷଜମିରେ ୫ଫୁଟ ଉପରେ ପାଣି ରହିଛି। ଗତ ଜୁନ ଓ ଜୁଲାଇରେ ସ୍ବଳ୍ପ ବୃଷ୍ଟି ଯୋଗୁ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ଲଘୁଚାପ ବର୍ଷାରେ ଚାଷୀ ଆଶ୍ବସ୍ତି ଅନୁଭବ କରୁଥିବା ସମୟରେ ବନ୍ୟା ସ୍ଥିତି ଯୋଗୁ ଖରିଫ ଚାଷ ଭଲ ଅମଳ ଆଶା ରଖିଥିବା ଚାଷୀ ମୁଣ୍ଡରେ ହାତ ଦେଇ ବସିଛନ୍ତି। ହିରିମୂଳ ଗ୍ରାମର ରଞ୍ଜନା ମଙ୍ଗରାଜ କୁହନ୍ତି, ଚୁଲିରେ ପାଣି ପଶିଛି। ଗତ ସପ୍ତାହ ହେଲାଣି ଚୁଲି ଜଳୁ ନ ଥିବାରୁ ଶୁଖିଲା ଖାଦ୍ୟଖାଇ ଦିନ ବିତାଉଛନ୍ତି। ରଞ୍ଜନାଙ୍କ ଭଳି ଅନେକ ପରିବାର ବନ୍ୟା ଜଳ ଘେରରେ ରହି ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବହୁ ଗ୍ରାମ ଚାରିପଟେ ପାଣି ଜମି ରହିଛି। କେତେକ ସ୍ଥାନରେ ରାସ୍ତାରେ ମଧ୍ୟ ପାଣି ଚାଲୁଛି। ଫଳରେ ଗ୍ରାମବାସୀ ଯାତାୟାତ ସମସ୍ୟା ଭୋଗୁଛନ୍ତି। ବର୍ତ୍ତମାନ ସୁଦ୍ଧା କୌଣସି ସରକାରୀ ସହାୟତା ମିଳି ନ ଥିବା ଗ୍ରାମବାସୀ ଅଭିଯୋଗ କହିଛନ୍ତି। ଆଉ କେତେଜଣ ଗ୍ରାମବାସୀ ଅଭିଯୋଗ କରିଛନ୍ତି ଯେ, ପ୍ରତିବର୍ଷ ରାଜୁଆ ନଦୀରେ ବନ୍ୟା ଆସି ଗାଁ, ବିଲରେ ପଶୁଛି। ବହୁଦିନ ଧରି ସେମାନେ ଜଳଘେରରେ ରହୁନ୍ତି। ନଦୀବନ୍ଧ ନ ଥିବାରୁ ଏ ପରିସ୍ଥିତି ସୃଷ୍ଟି ହେଉଛି। ତେଣୁ ରାଜୁଆ ନଦୀରେ ବନ୍ଧ ନିର୍ମାଣ ଲାଗି ସେମାନେ ଦାବି କରିଛନ୍ତି। ଏନେଇ ତହସିଲଦାର ପଦ୍ମଲୋଚନ ସାହୁ କୁହନ୍ତି, ସ୍ଥିତି ବୁଲି ଦେଖିଲୁ। ଆବଶ୍ୟକ ପଡ଼ିଲେ ବିପନ୍ନଙ୍କୁ ସ୍ଥାନାନ୍ତର କରାଯିବ।