ଖାତାରେ ଜମା ନାଁରେ ୧୫ ଲକ୍ଷ ଆତ୍ମସାତ୍‌

ଭୁବନେଶ୍ୱର,୭।୪ (ବ୍ୟୁରୋ): ଲୋକଙ୍କଠାରୁ ଟଙ୍କା ଆଦାୟ କରି ଜମା ନାଁରେ ୧୫ ଲକ୍ଷରୁ ଅଧିକ ଟଙ୍କା ଆତ୍ମସାତ କରିବା ଅଭିଯୋଗରେ ଲିଙ୍ଗରାଜ ଥାନା ପୋଲିସ ଜଣେ ମହିଳା ଡାକ ଏଜେଣ୍ଟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲେ ଉକ୍ତ ଥାନା ଅଞ୍ଚଳରେ ରହୁଥିବା ଜଗତ୍‌ସିଂହପୁରର ସ୍ବର୍ଣ୍ଣଲତା ଦାସ। ତାଙ୍କଠାରୁ ୯୮ ଜଣଙ୍କର ୧୨୯ଟି ଆର୍‌ଡି ପାସବୁକ ଓ ପୋଷ୍ଟାଲ ପାସ୍‌ବୁକ ଜବତ କରାଯାଇଛି। ତେଣୁ ଏହି ଠକେଇ ଟଙ୍କା ବଢିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟପଟେ ଏହି ଘଟଣା ସାମ୍ନାକୁ ଆସିବା ପରେ ସମ୍ପୃକ୍ତ ଏଜେଣ୍ଟଙ୍କ ନାଁରେ ଆଉ ୩ରୁ ୪ ଜଣ ଲୋକ ଥାନାରେ ଅଭିଯୋଗ କରିଥିବା ଜଣାପଡ଼ିଛି। ଏଥିସହ ଅଭିଯୁକ୍ତ ମହିଳା କେତେଜଣ ଲୋକଙ୍କ ଘରକୁ ଯାଇ ଦସ୍ତଖତ ଆଣି ଟଙ୍କା ଉଠାଇନେଇଥିବା ପୋଲିସ ଜାଣିବାକୁ ପାଇଛି ।
ସୂଚନାନୁସାରେ, ଭୀମଟାଙ୍ଗୀ ପୋଷ୍ଟ ଅଫିସ୍‌ର ଡାକ ଏଜେଣ୍ଟ ଭାବେ ସ୍ବର୍ଣ୍ଣଲତା କାମ କରନ୍ତି। ସେ ଜମାଖାତା ଖୋଲିବାକୁ କହି ଲୋକଙ୍କଠାରୁ ଟଙ୍କା ଆଦାୟ କରୁଥିଲେ। ତେବେ ସେହି ଟଙ୍କା ଖାତାରେ ଜମା କରିବା ବଦଳରେ ଆତ୍ମସାତ କରିଦେଉଥିଲେ। ଏପରିକି ଧରା ନ ପଡ଼ିବା ଲାଗି ପାସ୍‌ବୁକ, ପୋଷ୍ଟାଲ ସେଭିଙ୍ଗ୍‌ସ ଆକାଉଣ୍ଟ ଖାତାକୁ ନିଜ ପାଖରେ ରଖୁଥିଲେ। ଗ୍ରାହକ ଯେତେ ମାଗିଲେ ବି ବାହାନା କରି ଦିନ ଗଡ଼ାଇଚାଲିଥିଲେ। ଲିଙ୍ଗରାଜ ମନ୍ଦିରରେ ଅଭଡା ପ୍ରସ୍ତ୍ରୁତ କରୁଥିବା ଜଣେ ମହିଳା ତାଙ୍କ ଜମାଖାତା ମାଗିବାକୁ ଅଭିଯୁକ୍ତା ଡାକ ଏଜେଣ୍ଟଙ୍କ ପାଖକୁ ଯାଇଥିଲେ। କିନ୍ତୁ ସେ ଖାତା ଦେବା ବଦଳରେ ଗାଳିଗୁଳଜ କରିବା ସହ ଧମକଚମକ ଦେଇଥିଲେ। ଏ ନେଇ ସମ୍ପୃକ୍ତ ମହିଳାଙ୍କ ସନ୍ଦେହ ହେବାରୁ ଥାନାର ଦ୍ୱାରସ୍ଥ ହୋଇଥିଲେ। ଅଭିଯୋଗ ପରେ ପୋଲିସ ଅଭିଯୁକ୍ତ ଡାକ ଏଜେଣ୍ଟଙ୍କୁ ପଚରାଉଚରା କରିଥିଲା। ପରେ ପୋଲିସ ତାଙ୍କ ଘରୁ ବହୁ ଲୋକଙ୍କ ପାସବୁକ ଖାତା ଜବତ କରି ତଦନ୍ତ ପାଇଁ ଥାନାକୁ ଆଣିଥିଲା। ଏନେଇ ସେ ଦୋଷ ସ୍ବୀକାର କରିବା ପରେ ପୋଲିସ ତାଙ୍କୁ ଗିରଫ କରିଥିଲା।