୧୫ କି.ମି. ଦୂରରେ ନୂତନ ଆର୍‌ଆଇ ଅଫିସ

ଖଇରା, ୯।୧୧(ଡି.ଏନ.ଏ.): ବାଲେଶ୍ୱର ଜିଲା ଖଇରା ତହସିଲ ଅଧୀନରେ କିଛିମାସ ତଳେ ୩ଟି ନୂତନ ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ ପ୍ରତିଷ୍ଠା କରାଯାଇଛି। ହେଲେ କିଛି ଗ୍ରାମବାସୀ ଯାତାୟାତ ସୁବିଧାକୁ ଅଣଦେଖା କରି ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଥିବାରୁ ସାରଡାଙ୍ଗ ଓ ବଡନୂଆଗାଁ ଭଳି ପଞ୍ଚାୟତ ୧୦ଗ୍ରାମର ୫ହଜାରରୁ ଊର୍ଦ୍ଧ୍ୱ ଗ୍ରାମବାସୀ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି। ଘର ନିକଟରେ ଥିବା ଆରଆଇ ଅଫିସ ଛାଡି ଖର୍ଚ୍ଚାନ୍ତ ହୋଇ ୧୫କି.ମି. ଦୂରରେ ଥିବା ଅଫିସକୁ ଯିବା ପାଇଁ ବାଧ୍ୟ ହେଉଛନ୍ତି ା ଏହାର ସମାଧାନ ପାଇଁ ସେପ୍ଟେମ୍ବର ୨୬ତାରିଖରେ ଥିବା ବ୍ଲକସ୍ତରୀୟ ଜନଶୁଣାଣି ଶିବିରରେ ବଡନୂଆଗାଁ ପଞ୍ଚାୟତ କୁମାରମୌଦା ଗ୍ରାମବାସୀ ଜିଲାପାଳ ଦତ୍ତାତ୍ରେୟ ଭାଉସାହେବ ଶିନ୍ଦେଙ୍କୁ ଏ ବିଷୟରେ ଲିଖିତ ଭାବେ ଅବଗତ କରାଇଛନ୍ତି ା ପ୍ରତିକାର ପାଇଁ ଦୂରତା ଆଧାରରେ ଗ୍ରାମଗୁଡିକ ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ ଅଧୀନରେ ରଖିବାକୁ ଦାବି ହୋଇଛି।
ସରକାରଙ୍କ ଚିଠି (ନଂ. ୧୮୨୮୨୧ଆରଏଫଡିଏମ) ଅନୁଯାୟୀ ୨୦୨୧ ଜୁନ୍‌ ୨୫ ତାରିଖରେ ତହସିଲ ଅଧୀନରେ ଗୋଳିହା, ମହତୀପୁର, କୋଚିଆକୋଇଲି ଭଳି ୩ଟି ନୂଆ ଆରଆଇ ଅଫିସ ପ୍ରତିଷ୍ଠା ହୋଇଛି ା ପୂର୍ବରୁ ୯ଟି ଆରଆଇ ଅଫିସ ଥିବା ବେଳେ ନୂତନ ଭାବେ ଗଠିତ ୩ଟିକୁ ମିଶାଇ ବର୍ତ୍ତମାନ ୧୨ଟି କାର୍ଯ୍ୟାଳୟ କାର୍ଯ୍ୟକ୍ଷମ ଅଛି ା ହେଲେ ନୂତନ ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ ବେଳେ ପୂର୍ବରୁ ଦୀର୍ଘଦିନ ଧରି ଯାତାୟାତ ସମସ୍ୟା ଭୋଗୁଥିବା ଗ୍ରାମଗୁଡିକୁ ବିଚାରକୁ ନିଆ ନ ଯିବା ଯୋଗୁ ଏହି ଆର୍‌ଆଇ ଅଫିସ ଗଠନ ବିଶେଷ ଉପଯୋଗୀ ହୋଇପାରୁନାହିଁ। ସାଉଣ୍ଡିଆ ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ ଅଧୀନରେ ଥିବା ସାରଡାଙ୍ଗ ପଞ୍ଚାୟତର ଅଲିପୁର, ଦାମୋଦରପୁର, ଭୁଆଁଳଗଡିଆ, ହନ୍ନବାବି ଆଦି ଗ୍ରାମର ଦୂରତା ୧୫କି.ମି. ହୋଇଥିବାରୁ ଏବଂ ରାସ୍ତା ମଧ୍ୟ ଠିକ୍‌ ନ ଥିବାରୁ ଗ୍ରାମଗୁଡିକର ଅଧିବାସୀଙ୍କୁ ବିଭିନ୍ନ କାର୍ଯ୍ୟ ପାଇଁ ସାଉଁଣ୍ଡିଆ ଯିବାକୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ନୂତନ ଭାବେ ଗଠିତ ମହତୀପୁର ଏବଂ ଗୋଳିହା ଆରଆଇ କାର୍ଯ୍ୟାଳୟଠାରୁ ଉକ୍ତ ଗ୍ରାମଗୁଡିକର ଦୂରତା ୩କି.ମି. ହୋଇଥିବା ବେଳେ ଗ୍ରାମଗୁଡିକୁ ଏହା ଅଧୀନରେ ରଖା ନ ଯିବା ପରିତାପର ବିଷୟ ବୋଲି ଭୁଆଁଳଗଡିଆର ୱାର୍ଡସଭ୍ୟ ଚକ୍ରଧର ବେହେରା ଓ ଦାମୋଦରପୁର ଗ୍ରାମର ୱାର୍ଡସଭ୍ୟ ସୌରଭ ରଞ୍ଜନ ମହାନ୍ତି କହିଛନ୍ତି। ସେହିଭଳି ବଡନୂଆଗାଁ ପଞ୍ଚାୟତ କୁମାରମୌଦା, ସଇଁ, ବଡନୂଆଗାଁ ଏବଂ ପଙ୍କପାଳ ଆଦି ଗ୍ରାମର ଦୂରତା ବର୍ତ୍ତନା ଆରଆଇ ଅଫିସଠାରୁ ମାତ୍ର ୧କି.ମି. ହୋଇଥିବା ବେଳେ ଗ୍ରାମଗୁଡିକୁ ୧୨କି.ମି. ଦୂର ଡୁଙ୍ଗୁରା ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ ଅଧୀନରେ ରଖାଯାଇଥିବାରୁ ସେମାନଙ୍କୁ ଯନ୍ତ୍ରଣା ଭୋଗିବାକୁ ପଡୁଛି ବୋଲି ପୂର୍ବତନ ୱାର୍ଡସଭ୍ୟ କାର୍ତ୍ତିକ ବେହେରା ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ତହସିଲଦାର ମହେନ୍ଦ୍ର କୁମାର ବେହେରାଙ୍କୁ ପଚାରିବାରେ ଆଗକୁ ଆରଆଇ ଅଫିସ ଦୂରତାକୁ ଦେଖି ପୁନର୍ଗଠନ କରାଯିବା ସମୟରେ ଅଭିଯୋଗ ସମ୍ପର୍କରେ ବିଚାର କରାଯିବ ବୋଲି କହିଛନ୍ତି ା