Categories: ଗଞ୍ଜାମ

୧୫ ଫୁଟ ଲମ୍ବରେ ଭୁଶୁଡ଼ି ଗଲାଣି ରାସ୍ତା

ସୋରଡ଼ା,୧୪ା୧୨(ଡି.ଏନ୍‌.ଏ.): ଜାତୀୟ ରାଜପଥରୁ ସହର ମଧ୍ୟକୁ ସଂଯୋଗ କରୁଥିବା ନେତାଜୀ ସାହି ରାସ୍ତାର କଇଠପଲି ସାହି ନିକଟରେ ରାସ୍ତାପାର୍ଶ୍ୱ ୧୫ ଫୁଟ ଲମ୍ବରେ ଭୁଶୁଡି ଗଲାଣି। ପୂର୍ବରୁ ରାସ୍ତାପାର୍ଶ୍ୱ ଗଭୀର ମଧ୍ୟକୁ ଖସିପଡ଼ିବା ଭୟ ଥିବା ବେଳେ ଏବେ ରାସ୍ତା ମଧ୍ୟ ଭାଙ୍ଗିଗଲାଣି। ଦୀର୍ଘବର୍ଷ ହେଲା ଉକ୍ତ ସ୍ଥାନରେ ଗାର୍ଡଓ୍ବାଲ ନିର୍ମାଣ ପାଇଁ ତତ୍କାଳୀନ କନିଷ୍ଠ ଯନ୍ତ୍ରୀ ଯତୀନ ମୋହନ ବେହେରା, କାର୍ଯ୍ୟନିର୍ବାହୀ ଅଧିକାରୀ ବିପିନି ଚନ୍ଦ୍ର ପ୍ରଧାନଙ୍କୁ ବହୁବାର ସମସ୍ୟା ସମାଧାନ ପାଇଁ କୁହାଯାଇଥିଲେ ମଧ୍ୟ କେବଳ ପ୍ରତିଶ୍ରୁତି ଦେଇଥିଲେ କିନ୍ତୁ ଗାର୍ଡଓ୍ବାଲ ନିର୍ମାଣ କଲେନି। ଉକ୍ତ ରାସ୍ତା ଦେଇ ପ୍ରତିଦିନ ଶହ ଶହ ଦୁଇ ଚକିଆ ଯାନ ସମେତ ବିଦ୍ୟାଳୟ/ମହାବିଦ୍ୟାଳୟ ଛାତ୍ରୀଛାତ୍ର ବ୍ୟବସାୟୀଙ୍କ ସମେତ ତହସିଲ, ବ୍ୟାଙ୍କ, ପୋଷ୍ଟ ଅଫିସ, ବ୍ଲକ କାର୍ଯ୍ୟାଳୟ,ଉପନିବନ୍ଧକଙ୍କ,ଶିଶୁବିକାଶ,କୃଷି ଆଦି କାର୍ଯ୍ୟାଳୟକୁ ଜନସାଧାରଣ ଯାତାୟାତ କରିଥାନ୍ତି। ସେହି ରାସ୍ତା ଦେଇ ସେଠାରେ ଟିକେ ଅସାବଧାନ ହେଲେ ରାସ୍ତା ପାର୍ଶ୍ୱ ୧୫ ଫୁଟ ତଳକୁ ଖସିପଡ଼ିବା ନିଶ୍ଚିତ। ଯୁଦ୍ଧକାଳୀନ ଭିତ୍ତିରେ ଉକ୍ତ ରାସ୍ତା ପାର୍ଶ୍ୱରେ ୧୫ ଫୁଟ ଲମ୍ବ ଓ ୧୫ ଫୁଟ ଓସାରରେ ଗାର୍ଡଓ୍ବାଲର ଆବଶ୍ୟକତାକୁ ଦୃଷ୍ଟିରେ ରଖିବା ନିର୍ମାଣ ହେବା କଥା। ଯଥା ଶୀଘ୍ର ନିର୍ମାଣ କାର୍ଯ୍ୟ କରିବାକୁ ସହରବାସୀ ଅନୁରୋଧ କରିଥିବା ବେଳେ ଏ ସମ୍ପର୍କରେ ଏନ୍‌ଏସିର ନୂତନ ଅଧ୍ୟକ୍ଷ ଶିବଶଙ୍କର ପଣ୍ଡା ଓ କାର୍ଯ୍ୟନିର୍ବାହୀ ଅଧିକାରୀ ଦୂତିକୃଷ୍ଣ ପାତ୍ରଙ୍କୁ ଯୋଗାଯୋଗ କରିବାରୁ ତୁରନ୍ତ ସମସ୍ୟା ସମାଧାନ କରାଯିବ ବୋଲି କହିଛନ୍ତି।