ଭୁବନେଶ୍ୱର, ୨୩ା୧୦(ସୁନିତ୍ ମିଶ୍ର): ମୁମ୍ବାଇର ବମ୍ବେ ଏକ୍ଜିବିସନ୍ ସେଣ୍ଟରଠାରେ ଗୁରୁବାର ‘ଇଣ୍ଡିଆ କେମ୍ ୨୦୨୬’ର ୧୪ତମ ସଂସ୍କରଣ ଉଦ୍ଘାଟନ ହୋଇଯାଇଛି । କେନ୍ଦ୍ର ରସାୟନ ଓ ସାର ମନ୍ତ୍ରଣାଳୟ ଏବଂ ‘ଫିକି’ର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ୩ ଦିନିଆ ଶିଳ୍ପ ମହାକୁମ୍ଭରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶାକଚ ଖଣିଭିତ୍ତିକ ଅର୍ଥନୀତିରୁ କେମିକାଲ ଓ ପେଟ୍ରୋକେମିକାଲଭିତ୍ତିକ ଶିଳ୍ପ ଅର୍ଥନୀତି ଆଡ଼କୁ ଅଗ୍ରସର କରାଇବାର ସଂକଳ୍ପ ପ୍ରକାଶ କରିଛନ୍ତି। ୨୦୪୦ ସୁଦ୍ଧା ଭାରତର ୧ ଟ୍ରିଲିୟନ ଡଲାରର କେମିକାଲ ଅର୍ଥନୀତି ଲକ୍ଷ୍ୟକୁ ସାକାର କରିବାରେ ଓଡ଼ିଶା ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ପ୍ରକାଶକରି ମୁଖ୍ୟମନ୍ତ୍ରୀ ଶିଳ୍ପପତିମାନଙ୍କୁ ଓଡ଼ିଶାରେ ନିବେଶ କରିବାକୁ ଏବଂ ସମୃଦ୍ଧ ଓଡ଼ିଶାର ଅଂଶୀଦାର ହେବାକୁ ଆହ୍ବାନ କରିଛନ୍ତି। ଆସନ୍ତାବର୍ଷ ‘ଇଣ୍ଡିଆ କେମ୍’ କାର୍ଯ୍ୟକ୍ରମ ଓଡ଼ିଶାରେ ଆୟୋଜନ କରିବା ଲାଗି କେନ୍ଦ୍ରକୁ ପ୍ରସ୍ତାବ ଦେଇଥିବାବେଳେ ଏଥିରେ ସହମତି ପ୍ରକାଶ ପାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟରେ ଖଣିଜ ସମ୍ପଦ, ବନ୍ଦର, ଶିଳ୍ପ ଭିତ୍ତିଭୂମି ଏବଂ ନୂତନ ନିବେଶ ସୁଯୋଗଗୁଡ଼ିକୁ କାମରେ ଲଗାଇ ଏହି ରୂପାନ୍ତର କରାଯିବ। ପାରାଦୀପ, ଗୋପାଳପୁର ଏବଂ ଧାମରା ବନ୍ଦର ଦ୍ୱାରା ଆଭ୍ୟନ୍ତରୀଣ ଏବଂ ଅନ୍ତର୍ଜାତୀୟ ବଜାର ସହ ସଂଯୋଗ ସ୍ଥାପନ କରିବାରେ ସହାୟକ ହେଉଛି। ପାରାଦୀପ ପେଟ୍ରୋଲିୟମ, କେମିକାଲ୍ସ ଏବଂ ପେଟ୍ରୋକେମିକାଲ୍ସ ଇନ୍ଭେଷ୍ଟମେଣ୍ଟ ରିଜନ, ଇଣ୍ଡିଆନ ଅଏଲ କର୍ପୋରେଶନ ଲିମିଟେଡ୍ର ରିଫାଇନେରି ଏବଂ ପେଟ୍ରୋକେମିକାଲ୍ କମ୍ପ୍ଲେକ୍ସ ଏବଂ ପାରାଦୀପର ପ୍ଲାଷ୍ଟିକ୍ ପାର୍କର ଗୁରୁତ୍ୱକୁ କହି ପଲିମର, ପ୍ୟାକେଜିଂ ଏବଂ ଟେକ୍ନିକାଲ ଟେକ୍ସଟାଇଲ୍ସ କ୍ଷେତ୍ରରେ ଡାଉନଷ୍ଟ୍ରିମ୍ ସୁଯୋଗ ସୃଷ୍ଟି କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଗୋପାଳପୁର ରେଫ୍ରିଜରେଣ୍ଟ୍ସ, ଫ୍ଲୋରୋକେମିକାଲ୍ସ, ଗ୍ରୀନ୍ ହାଇଡ୍ରୋଜେନ୍ ଏବଂ ଗ୍ରୀନ୍ ଆମୋନିଆ ତଥା ତାଳଚେର ଏବଂ ଲଖନପୁରରେ କୋଇଲା ଗ୍ୟାସୀକରଣଭିତ୍ତିକ ପ୍ରକଳ୍ପଗୁଡିକରେ ଉତ୍ପନ୍ନ ହେଉଥିବା ନୂତନ ସୁଯୋଗଗୁଡିକୁ ମଧ୍ୟ ସେ ଉଲ୍ଲେଖ କରିଛନ୍ତି।
ଏହି ବିକାଶଗୁଡିକ ଆଭ୍ୟନ୍ତରୀଣ ଉତ୍ପାଦନକୁ ଦୃଢ଼କରିବା ଏବଂ ଭାରତର କେମିକାଲ ଓ ପେଟ୍ରୋକେମିକାଲ ମୂଲ୍ୟ ଶୃଙ୍ଖଳାରେ ଓଡ଼ିଶାର ଭୂମିକାକୁ ସମ୍ପ୍ରସାରିତ କରିବାରେ ସାହାଯ୍ୟ କରିବ ବୋଲି ସେ ମତପ୍ରକାଶ କରିଛନ୍ତି। ଓଡ଼ିଶାରେ ଅଢ଼େଇ ବର୍ଷରୁ କମ୍ ସମୟ ମଧ୍ୟରେ ପ୍ରାୟ ୨୦୦ଟି ଶିଳ୍ପ ପ୍ରତିଷ୍ଠାନ ସ୍ଥାପିତ ହୋଇଛି, ଯାହାକି ପ୍ରାୟ ୩.୫୨ ଲକ୍ଷ କୋଟି ଟଙ୍କାର ନିବେଶକୁ ପ୍ରତିନିଧିତ୍ୱ କରୁଛି। ରାଜ୍ୟରେ ୨୨.୫୦ ଲକ୍ଷ କୋଟି ଟଙ୍କାରୁ ଅଧିକ ନିବେଶ ପ୍ରସ୍ତାବ ପ୍ରାପ୍ତ ହୋଇଛି, ଯେଉଁଥିରୁ ୧୨.୫୦ ଲକ୍ଷ କୋଟି ଟଙ୍କାରୁ ଅଧିକକୁ ହାଇଲେଭଲ କ୍ଲିୟରାନ୍ସ ଅଥରିଟି ଅନୁମୋଦନ ପ୍ରଦାନ କରିଛନ୍ତି।
ଗତ ସେପ୍ଟେମ୍ବର ୨୦୨୬ରେ ୟୁଏଇଠାରେ ଅନୁଷ୍ଠିତ ନିବେଶ ସମ୍ମିଳନୀକୁ ସ୍ମରଣକରି ମୁଖ୍ୟମନ୍ତ୍ରୀ ପୁଣି କହିଛନ୍ତି, ସେଠାରେ ପ୍ରାୟ ୨.୫ ଲକ୍ଷ କୋଟି ଟଙ୍କାର ନିବେଶ ପ୍ରସ୍ତାବ ମିଳିଥିଲା। ଯେଉଁଥିରେ ଅନ୍ତର୍ଜାତୀୟ ହୋଲ୍ଡିଂ କମ୍ପାନୀ(ଆଇଏଚ୍ସି)ର ପ୍ରାୟ ୨.୧୦ ଲକ୍ଷ କୋଟି ଟଙ୍କା ଅନ୍ତର୍ଭୁକ୍ତ ଥିଲା। ଏହି ପ୍ରସ୍ତାବଗୁଡିକ ମଧ୍ୟରୁ ଅନେକ କେମିକାଲ୍ସ, ପେଟ୍ରୋକେମିକାଲ୍ସ ଏବଂ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ସହ ଜଡ଼ିତ। ରାଜ୍ୟର ଶିଳ୍ପ ଅନୁକୂଳ ମନୋଭାବକୁ ଗୁରୁତ୍ୱପୂର୍ଣ୍ଣ ଭାବେ ଉପସ୍ଥାପନକରି ମୁଖ୍ୟମନ୍ତ୍ରୀ ଓଡ଼ିଶାର ଶିଳ୍ପନୀତି ସହାୟତା, ଭିତ୍ତିଭୂମି, ଦକ୍ଷ ଶ୍ରମଶକ୍ତି ଏବଂ ପ୍ରତିଷ୍ଠାନିକ ଇକୋସିଷ୍ଟମକୁ ପ୍ରଶଂସା କରିଛନ୍ତି। ଏଥିରେ ଇନ୍ଷ୍ଟିଚ୍ୟୁଟ୍ ଅଫ୍ କେମିକାଲ ଟେକ୍ନୋଲୋଜି ଏବଂ ସେଣ୍ଟ୍ରାଲ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ପେଟ୍ରୋକେମିକାଲ୍ସ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି ମାଧ୍ୟମରେ ମିଳୁଥିବା ସହଯୋଗ ସାମିଲ ଅଛି ବୋଲି ସେ କହିଛନ୍ତି। ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମ ଅବସରରେ କେନ୍ଦ୍ରମନ୍ତ୍ରୀ ଜେ.ପି . ନଡ୍ଡା, କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍ନଭିସ୍ ଏବଂ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଉପସ୍ଥିତ ଥିଲେ।