ଶ୍ରୀମନ୍ଦିର ସୁରକ୍ଷା ଜୋନ୍‌: ଭଙ୍ଗା ହେଲା ୨ ଲଜ୍‌, ଘରୋଇ କୋଠା

ପୁରୀ ଅଫିସ,୧୯।୧୨: ଶ୍ରୀମନ୍ଦିର ଚୌହଦିରେ ଉଚ୍ଛେଦ ଜାରି ରହିଛି। ପ୍ରଥମେ ମଠ ଏହାପରେ ଘରୋଇ କୋଠା ଉଚ୍ଛେଦ ପରେ ବୁଧବାର ୨ଟି ଲଜ୍‌ ଏବଂ ଗୋଟିଏ ଘରୋଇ କୋଠା ଭଙ୍ଗାଯାଇଛି। ଗଡ଼ନ୍ତି ଛକଠାରେ ଥିବା କାଳୀଚରଣ ଲଜ୍‌ ଓ ରାୟବାହାଦୁର ଲଜ୍‌ ସମେତ ଅନ୍ୟ ଏକ ଘରୋଇ କୋଠା ଉଚ୍ଛେଦ ହୋଇଛି। ଫଳରେ ପ୍ରଶାସନ ୪୦ ଡେସିମିଲ ଜାଗାକୁ ନିଜ ଦଖଲକୁ ଆଣିଛି। ସୁରକ୍ଷା ଜୋନ୍‌ ମଧ୍ୟରେ ୫ଟି ମୌଜା ଥିବାବେଳେ ଚୁଡ଼ଙ୍ଗ ସାହି ମୌଜାରୁ ଏହା ପ୍ରଥମ ଉଚ୍ଛେଦ। ପୂର୍ବରୁ ବାସେଳିସାହି ଓ ମଣିକର୍ଣ୍ଣିକା ସାହି ମୌଜାରୁ ଉଚ୍ଛେଦ କରାଯାଇଥିଲା।
ସକାଳେ ୫ ପ୍ଲାଟୁନ ପୋଲିସ ଫୋର୍ସ ଏବଂ ୩ଜଣ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଥିଲା। ଗଡ଼ନ୍ତି ଛକଠାରେ ଥିବା କାଳୀଚରଣ ଲଜ୍‌ ପ୍ରଥମେ ଭଙ୍ଗାଯାଇଥିଲା। ପରେ ରାୟବାହାଦୁର ଲଜ୍‌ ଓ ଗୋଟିଏ ଘରୋଇ କୋଠା ଉଚ୍ଛେଦ କରାଯାଇଛି। ଏଥିପାଇଁ ଶ୍ରୀମନ୍ଦିର ଉତ୍ତର ପାର୍ଶ୍ୱ ଓ ପଶ୍ଚିମ-ଉତ୍ତର କୋଣକୁ ବ୍ୟାରିକେଡିଂ କରାଯାଇଥିଲା। ଭକ୍ତଙ୍କ ଯା’ଆସରେ ଯେପରି କୌଣସି ସମସ୍ୟା ନ ହୁଏ ତାହାକୁ ମଧ୍ୟ ଦୃଷ୍ଟି ଦିଆଯାଇଥିଲା। ଅତିରିକ୍ତ ଜିଲାପାଳ ବିନୟ କୁମାର ଦାଶ ଓ ଉପଜିଲାପାଳ ଭବତାରଣ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଉଚ୍ଛେଦ କାର୍ଯ୍ୟ ହୋଇଥିଲା। ଏହି କୋଠା ଗୁଡ଼ିକର ବଳକା ଅଂଶକୁ ଗୁରୁବାର ଭଙ୍ଗାଯିବ ବୋଲି ସୂଚନା ମିଳିଛି।