ବିଭିନ୍ନ ପ୍ରକଳ୍ପ ପାଇଁ ଓଏମ୍‌ବିଏଡିସିର ୧୪ ହଜାର କୋଟି ମଞ୍ଜୁର

ଭୁବନେଶ୍ୱର,୨୬।୩(ବ୍ୟୁରୋ): ଆଗାମୀ ବର୍ଷରେ ବିଭିନ୍ନ ଜିଲାରେ ଓଡ଼ିଶା ଖଣିଜ ଅଞ୍ଚଳ ବିକାଶ ନିଗମ (ଓଏମ୍‌ବିଏଡିସି) ପରିଚାଳନା ମଣ୍ଡଳୀଙ୍କ ଅନୁମୋଦନ କ୍ରମେ ନୂତନ ପ୍ରକଳ୍ପ କାର୍ଯ୍ୟକାରୀ ହେବ। ରାଜ୍ୟର କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ଦେବଗଡ଼, ଝାରସୁଗୁଡ଼ା, ଢେଙ୍କାନାଳ, ଅନୁଗୋଳ ଓ କୋରାପୁଟ ଜିଲାରେ ଲୋକଙ୍କ ସାମାଜିକ ଓ ଅର୍ଥନୈତିକ ସ୍ଥିତିରେ ଉନ୍ନତି ଆଣିବା ଲାଗି ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି। ଓଏମ୍‌ବିଏଡିସି ପକ୍ଷରୁ ବିଭିନ୍ନ ପ୍ରକଳ୍ପ ପାଇଁ ୧୩,୮୧୬.୯୮ କୋଟି ଟଙ୍କା ମଞ୍ଜୁର ହୋଇଛି। ସେଥିରୁ ୧୭୮୯.୪୪ କୋଟି ଟଙ୍କା କାର୍ଯ୍ୟନିର୍ବାହୀ ସଂସ୍ଥା ଖର୍ଚ୍ଚ କରିଛନ୍ତି। ବଳକା ଅର୍ଥ ଆଗାମୀ ବର୍ଷରେ ଖର୍ଚ୍ଚ କରାଯିବ। ଏହାଛଡା ବିଭିନ୍ନ କ୍ଷେତ୍ର ପାଇଁ ୨୨୫.୬୫ କୋଟି ଟଙ୍କାର ପ୍ରକଳ୍ପ ଓଏମ୍‌ବିଏଡିସିର ପରିଚାଳନା ମଣ୍ଡଳୀ ଦ୍ୱାରା ଅନୁମୋଦିତ ହୋଇଛି। ସମ୍ପୃକ୍ତ ପ୍ରକଳ୍ପଗୁଡ଼ିକର ଡିପିଆର ହସ୍ତଗତ ହେଲେ ସେଗୁଡିକ ଆଗାମୀ ବର୍ଷରେ କାର୍ଯ୍ୟକାରୀ କରାଯିବ। ବିଧାୟକ ନବ ଚରଣ ମାଝିଙ୍କ ପ୍ରଶ୍ନ ନଂ. ୫୭୩ର ଉତ୍ତରରେ ଯୋଜନା ଓ ସଂଯୋଜନ ମନ୍ତ୍ରୀ ପଦ୍ମନାଭ ବେହେରା ଗୁରୁବାର ବିଧାନସଭା ପ୍ରଶ୍ନକାଳରେ ଏହା କହିଛନ୍ତି। ମୂଳ ପ୍ରଶ୍ନକର୍ତ୍ତା ପୁଣି ପଚାରିଲେ, ୯ଟି ଖଣିଜ ସମ୍ପଦଭରା ଅଞ୍ଚଳର ଲୋକମାନେ କାମଧନ୍ଦା ନ ପାଇ ଦାଦନ ଖଟିବାକୁ ଯାଉଛନ୍ତି। ଓଏମ୍‌ବିଏଡିସି ଏହି ସବୁ ଜିଲାରେ କେତେ ଅର୍ଥ ଖର୍ଚ୍ଚ କରିଛି। ମନ୍ତ୍ରୀ କହିଲେ, ୮ଟି ଜିଲାରୁ ୧୬ ହଜାର କୋଟି ଆଦାୟ ହୋଇଛି। ସେଥିରୁ ୩ ହଜାର କୋଟି ଖର୍ଚ୍ଚ ହୋଇଛି। ୨୦୧୪ରେ ଓଏମ୍‌ବିଏଡିସି ଗଠନ ହୋଇଥିଲା। ଜଷ୍ଟିସ ଏ.କେ. ମିଶ୍ରଙ୍କ ଅଧ୍ୟକ୍ଷତାରେ ଏହା ସୁଚାରୁରୂପେ କାର୍ଯ୍ୟ କରୁଛି। ବିଧାୟକ ରମେଶ ଚନ୍ଦ୍ର ସାଏ, ମୋହନ ମାଝି ଅତିରିକ୍ତ ପ୍ରଶ୍ନ ପଚାରିଥିଲେ।