ହକ୍‌ ପାଇଁ ୧୪ ବର୍ଷର ଲଢ଼େଇ

ପରଜଙ୍ଗ, ୧୩।୭(ଡି.ଏନ.ଏ.)  ଜନ୍ମରୁ ଆଖିକୁ ଦିଶୁନି କି କାନକୁ ଶୁଭୁନି। ଶାରୀରିକ କ୍ଷେତ୍ରରେ ୮୦% ଦିବ୍ୟାଙ୍ଗ ବୋଲି ୧୪ବର୍ଷ ତଳୁ ସାର୍ଟିଫିକେଟରେ ମୋହର ମାରିସାରିଛି ପ୍ରଶାସନ। ଏହାସତ୍ତ୍ୱେ ଦିବ୍ୟାଙ୍ଗ ଭତ୍ତା ଖଣ୍ଡିଏ ପାଇଁ ଧାଇଁ ଧାଇଁ ଥକିଗଲେଣି ପରଜଙ୍ଗ ବ୍ଲକ କୁମୁସୀ ପଞ୍ଚାୟତ ବସନ୍ତପଡ଼ା ବାଲିସାହିର ମାନସ ଖିଲାର। ପରିବାର ବୋଝକୁ କାନ୍ଧରେ ବୋହିବା ବୟସରେ ସେ ଏବେ ମା’ବାପାଙ୍କ ପାଇଁ ପାଲଟିଯାଇଛନ୍ତି ବୋଝ। ଏଥିପାଇଁ ପ୍ରଶାସନର ଅପାରଗତା ଏବଂ କେତେଜଣ ଖଳ ପ୍ରକୃତିର କୁଜି ନେତାକୁ ଦାୟୀ କରିଛନ୍ତି ମାନସଙ୍କ ବାପା ମଦନ ଖିଲାର।
ମଦନ କହିଛନ୍ତି, ୨ ପୁଅ, ୩ ଝିଅ ଏବଂ ସ୍ତ୍ରୀଙ୍କୁ ନେଇ ତାଙ୍କ ପରିବାର। ବଡ଼ଝିଅଙ୍କ ବିବାହ କଷ୍ଟେମଷ୍ଟେ ହୋଇସାରିଛି। ଗରିବୀରେ ଧନ୍ଧି ହୋଇ ସେ ଖୁସି କ’ଣ ଭୁଲିଗଲେଣି। ରାତି ପାହିଲେ ୬ ଜଣଙ୍କ ଖାଇବା ଚିନ୍ତା ଘାରୁଛି। ୩୨ ବର୍ଷର ବଡ଼ ପୁଅ ମାନସ ଜନ୍ମରୁ ଦିବ୍ୟାଙ୍ଗ। ୨୦୦୬ରେ ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ତାଙ୍କୁ ସାର୍ଟିଫିକେଟ ମିଳିଥିଲା। ମାନସଙ୍କୁ ଭତ୍ତା ତାଲିକାରେ ସାମିଲ କରିବାକୁ ସେ ୧୪ ବର୍ଷ ହେଲା ଜିଲାପାଳଙ୍କଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ନିକଟକୁ ଧାଉଁଛନ୍ତି। ୨୦ରୁ ଅଧିକ ଥର ଆବେଦନ ମଧ୍ୟ କରିସାରିଲେଣି। ହେଲେ ସୁଫଳ ମିଳୁନାହିଁ। ଏପରି କି ମାନସଙ୍କୁ ସ୍ବତନ୍ତ୍ର ଭାବେ ରାଶନ ମଧ୍ୟ ମଳୁନାହିଁ। ଦୀର୍ଘବର୍ଷ ତଳେ ତାଙ୍କୁ ଇନ୍ଦିରା ଆବାସ ଯୋଜନାରେ ଘରଟିଏ ମିଳିଥିଲା। ଏବେ ସେଥିରେ ୬ ପ୍ରାଣୀ ବହୁ କଷ୍ଟରେ ରହୁଛନ୍ତି। ଚାଷ ଏକମାତ୍ର ପନ୍ଥା ହୋଇଥିବାବେଳେ ସେଥିରେ ପରିବାର ଚଳାଇବା କଷ୍ଟକର ହୋଇପଡୁଛି। ମାନସଙ୍କ ସାର୍ଟିଫିକେଟ ୧୪ବର୍ଷ ତଳର। ଏହା ଅନ୍‌ଲାଇନ୍‌ରେ ଶୋ’ କରୁନି। ପ୍ରଶାସନ ଏହାର ବିକଳ୍ପ ବ୍ୟବସ୍ଥା ମଧ୍ୟ କରୁନାହିଁ। ଗ୍ରାମର କେତେଜଣ କୁଜିନେତା ଭତ୍ତା କରାଇ ଦେଉ ନ ଥିବା ମଦନ ଅଭିଯୋଗ କରିଛନ୍ତି।
ଏ ସଂକ୍ରାନ୍ତରେ ସାମାଜିକ ଶିକ୍ଷା ଅଧିକାରୀ (ଏସ୍‌ଇଓ) ପ୍ରଭାସ ଚନ୍ଦ୍ର ସାମନ୍ତରାୟ କୁହନ୍ତି, ପୁରୁଣା ସାର୍ଟିଫିକେଟ୍‌ ପାଇଁ ସମସ୍ୟା ସୃଷ୍ଟି ହୋଇଛି। ଉପରିସ୍ଥ ଅଧିକାରୀଙ୍କ ସହ ଆଲୋଚନା କରାଯାଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ।