ବାସୁଦେବପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା, ଭୁଲ ଇଞ୍ଜେକ୍ସନ ଯୋଗୁ ନାବାଳକଙ୍କ ମୃତ୍ୟୁ ଅଭିଯୋଗ, ରାସ୍ତାରୋକୋ…

ବାସୁଦେବପୁର,୨୬।୪(କାଳିପଦ ରାୟ/ନାରାୟଣ ପ୍ରସାଦ ବାରିକ): ଭଦ୍ରକ ଜିଲା ବାସୁଦେବପୁର ବ୍ଲକରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଚିକିତ୍ସାରେ ଅବହେଳା ଯୋଗୁ ଜଣେ ୧୪ ବର୍ଷର ନାବାଳକର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ମୃତ ନାବାଳକ ଜଣକ ହେଲେ ପଦ୍ମପୁର ପଞ୍ଚାୟତ ମେଳକ ସାହି ଗ୍ରାମର ଦେବକାନ୍ତ ବାରିକଙ୍କ ପୁଅ ରକି ବାରିକ।
ସୂଚନା ଅନୁଯାୟୀ, ରବିବାର ସକାଳେ ରକି ନିଜ ବାଡ଼ିରେ ଖେଳୁଥିବା ସମୟରେ ତାଙ୍କ ଗୋଡ଼ ଆଣ୍ଠୁରେ ଏକ ବାଉଁଶ କଣ୍ଟା ପଶିଯାଇଥିଲା। ପରିବାର ଲୋକେ ତୁରନ୍ତ ତାଙ୍କୁ ଚିକିତ୍ସା ପାଇଁ ପ୍ରଥମେ ଏଡତାଳ ଓ ପରେ ବାସୁଦେବପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ।
ପରିବାର ଲୋକଙ୍କ କହିବା ମୁତାବକ, ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଡାକ୍ତର ଓ ନର୍ସ ରକିଙ୍କୁ ୩ଟି ଇଞ୍ଜେକ୍ସନ ଦେଇଥିଲେ। ଏହାର କିଛି ସମୟ ପରେ ରକିଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରେ ଲାଗିଥିଲା ଏବଂ ଶେଷରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ଭୁଲ ଚିକିତ୍ସା ଓ ଡାକ୍ତରଙ୍କ ଅବହେଳା ଯୋଗୁ ପିଲାର ମୃତ୍ୟୁ ଘଟିଥିବା ଦାବି କରି ପରିବାର ଲୋକ ଓ ସ୍ଥାନୀୟ ବାସିନ୍ଦା ଉତ୍ତ୍ୟକ୍ତ ହୋଇ ପଡ଼ିଛନ୍ତି। ସେମାନେ ମୃତଦେହକୁ ରଖି ଡାକ୍ତରଖାନା ସମ୍ମୁଖରେ ହୋ-ହଲ୍ଲା କରିବା ସହ ରାସ୍ତାରୋକୋ କରିଛନ୍ତି। ଉପଯୁକ୍ତ ତଦନ୍ତ ଏବଂ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସେମାନେ ଦାବି କରିଛନ୍ତି।
ଖବର ପାଇ ବାସୁଦେବପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା ଜାରି ରଖିଛି। ଡାକ୍ତରଖାନା ପରିସରରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୋଲିସ ମୁତୟନ ଅଛନ୍ତି। ରିପୋର୍ଟ ଲେଖା ହେବା ସୁଦ୍ଧା ସେଠାରେ ଉତ୍ତେଜନା ଲାଗି ରହିଛି।
Dharitri – Odisha’s No.1 Odia Daily

Share