କରୋନାରେ ୧୪ ପୋଲିସ, ୩ ଗୃହରକ୍ଷୀଙ୍କ ମୃତ୍ୟୁ

ଭୁବନେଶ୍ୱର,୨୭ା୮(ବ୍ୟୁରୋ): କରୋନାରେ ୧୪ଜଣ ପୋଲିସ କର୍ମଚାରୀ ଓ ୩ଜଣ ଗୃହରକ୍ଷୀ ପ୍ରାଣ ହରାଇଛନ୍ତି। ମୃତ ପୋଲିସ କର୍ମଚାରୀଙ୍କ ପରିବାରକୁ ସହାୟତା ପାଇଁ ଉଦ୍ୟମ କରାଯାଉଛି ବୋଲି ପୋଲିସ ଡିଜି ଅଭୟ କହିଛନ୍ତି। ଗୁରୁବାର ଗଣମାଧ୍ୟମକୁ ସୂଚନା ଦେଇ ଡିଜିପି କହିଛନ୍ତି, ସରକାରଙ୍କ ଘୋଷଣା ଅନୁୟାୟୀ ମୃତ ପୋଲିସଙ୍କ ପରିବାରକୁ ୫୦ଲକ୍ଷ ଟଙ୍କାର ଅନୁଦାନ ଦେବା ପାଇଁ ପ୍ରକ୍ରିୟା ଚାଲିଛି। ୧୦ଜଣଙ୍କ ଫାଇଲ୍‌ ରାଜ୍ୟ ସରକାରଙ୍କ ନିକଟକୁ ପଠାଇ ଦିଆଯାଇଥିବାବେଳେ ଅନ୍ୟମାନଙ୍କ କାଗଜପତ୍ର କାର୍ଯ୍ୟ ଚାଲିଛି। ଏହାସହ ମୃତ ଜଣେ ପୋଲିସ କର୍ମଚାରୀଙ୍କ ପରିବାରକୁ ସରକାରଙ୍କ ପକ୍ଷରୁ ସମସ୍ତ ଅନୁଦାନ ସହ ଚାକିରି ଶେଷ ପର୍ଯ୍ୟନ୍ତ ଦରମା ପ୍ରଦାନ ପାଇଁ ଅନୁମତି ମିଳିସାରିଛି। ସରକାର ୨ଟି ଉପରେ ଫୋକସ୍‌ କରିଛନ୍ତି। ଯଦି କୌଣସି ପୋଲିସର କରୋନା ଭାଇରସ୍‌ରେ ମୃତ୍ୟୁ ଘଟେ, ତେବେ ଅନୁଦାନ ଆକାରରେ ୫୦ ଲକ୍ଷ ଟଙ୍କା ଏବଂ ତାଙ୍କର ଚାକିରି ଶେଷ ପର୍ଯ୍ୟନ୍ତ ଦରମା ଦେବାକୁ କୁହାଯାଇଛି। ସରକାରଙ୍କ ଏଭଳି ବ୍ୟବସ୍ଥା ପାଇଁ ପୋଲିସଙ୍କୁ ଏହି ଅଦୃଶ୍ୟ ଭାଇରସ୍‌ ସହ ସଂଘର୍ଷ କରିବାକୁ ସାହାସ ମିଳିବ ବୋଲି ଡିଜିପି କହିଛନ୍ତି।