୧୪ ଓକିଲଙ୍କ ଜାମିନ ଆବେଦନ ଖାରଜ

ସମ୍ବଲପୁର,୧୭ା୧୨(ବ୍ୟୁରୋ): ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ଦାବି ନେଇ ସମ୍ବଲପୁରରେ ଚାଲିଥିବା ଆନ୍ଦୋଳନ ଗତ ୧୨ ତାରିଖରେ ଉଗ୍ର ରୂପ ନେଇ କୋର୍ଟ ଭିତରେ ତୁମୁଳକାଣ୍ଡ ଘଟିଥିଲା। ଏହି ଘଟଣାରେ ଏପର୍ଯ୍ୟନ୍ତ ୩୨ଜଣଙ୍କୁ ପୋଲିସ ଗିରଫ କରିଛି। ଏମାନଙ୍କ ମଧ୍ୟରୁ ୧୪ଜଣ ଓକିଲଙ୍କ ପାଇଁ ଶୁକ୍ରବାର ଏସ୍‌ଡିଜେଏମ୍‌ କୋର୍ଟରେ ଜାମିନ ଆବେଦନ ହୋଇଥିଲା। ହେଲେ କୋର୍ଟ ଏହାକୁ ଖାରଜ କରିଦେଇଛନ୍ତି। ଏହାପରେ ସେମାନେ ଉପର କୋର୍ଟରେ ଜାମିନ ପାଇଁ ଆବେଦନ କରିବେ ବୋଲି ଓକିଲମାନେ କହିଛନ୍ତି। କୁଚିଣ୍ଡାର ଓକିଲ ରଞ୍ଜନ ଶର୍ମା, ସଚ୍ଚିଦାନନ୍ଦ ଶର୍ମା, ଯଦୁମଣି ପୃଷେଠ ସମସ୍ତ କାଗଜପତ୍ର ପ୍ରକ୍ରିୟା ସାରି ଏସ୍‌ଡିଜେଏମ୍‌ଙ୍କ ପାଖରେ ଆବେଦନ କରିଥିଲେ। କେତେକ ଜାମିନବିହୀନ ଦଫା ଲାଗିଥିବାରୁ ଏସ୍‌ଡିଜେଏମ୍‌ ଏହାକୁ ଖାରଜ କରିଦେଇଥିଲେ ବୋଲି ଓକିଲ ରଞ୍ଜନ ଶର୍ମା କହିଛନ୍ତି। ସେ ଆହୁରି କହିଛନ୍ତି, ଆମକୁ କେହି ନିୟୋଜିତ କରିନାହାନ୍ତି। ନିଜ ପକ୍ଷରୁ ମାମଲା କରିଥିଲୁ। ପ୍ରଥମ ପର୍ଯ୍ୟାୟରେ ୧୪ ଜଣଙ୍କ ପାଇଁ ଆବେଦନ କରିଛୁ। ଅନ୍ୟମାନଙ୍କ ପାଇଁ ମଧ୍ୟ ଆବେଦନ କରାଯିବ। ଆଜି ଜାମିନ ଖାରଜ ହୋଇଛି। ଏହାକୁ ନେଇ ଉପର କୋର୍ଟରେ ଅପିଲ କରିବୁ ବୋଲି ସେ କହିଥିଲେ। ଅନ୍ୟପଟେ ଶୁକ୍ରବାର ମଧ୍ୟ କୋର୍ଟ ପରିସରରେ ସୁରକ୍ଷା ବ୍ୟବସ୍ଥା କଡାକଡି ରହିଥିଲା। ବରିଷ୍ଠ ପୋଲିସ ଅଧିକାରୀଙ୍କ ସମେତ ୨୩ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିଥିଲେ। ଜିଲା ପ୍ରଶାସନ ପକ୍ଷରୁ ୧୪୪ ଧାରା ଲାଗୁ କରାଯାଇଥିଲେ ମଧ୍ୟ ସାଧାରଣ ଲୋକଙ୍କୁ କାମ ପାଇଁ କୋର୍ଟ ପରିସରକୁ ଛଡାଯାଇଥିଲା। ଅନ୍ୟପଟେ ପୋଲିସ ଅନ୍ୟ କେତେଜଣ ଓକିଲଙ୍କୁ ଗିରଫ କରିବାକୁ ଯୋଜନା କରୁଛି। ରାଜ୍ୟ ବାହାରେ ମଧ୍ୟ ଜିଲା ପୋଲିସ ଟିମ୍‌ ପହଞ୍ଚତ୍ଥିବା ଜଣାପଡିଛି। ଜିଲାର ବିଭିନ୍ନ ସ୍ଥାନରେ ପୋଲିସ ଟିମ୍‌ ରାତିଅଧିଆ ଚଢାଉ ଜାରି ରଖିଛି। ପୋଲିସର ଏଭଳି ଗିରଫଦାରିକୁ ସାଧାରଣରେ ନିନ୍ଦା କରାଯାଉଛି। ପୋଲିସ ନିଜର ଭୁଲ୍‌ ସଂଶୋଧନ କରିବା ଓ ଛବି ସୁଧାରିବାକୁ ଏଭଳି କରୁଥିବା ଅଭିଯୋଗ ହେଉଛି। ସାମାଜିକ ଗଣମାଧ୍ୟମରେ ମଧ୍ୟ ଏହାକୁ ନିନ୍ଦା କରାଯାଉଛି। ଓକିଲ ସଂଘ ପ୍ରତି ସାଧାରଣରେ ସମର୍ଥନ ବଢୁଥିବା ଲକ୍ଷ୍ୟ କରାଯାଉଛି।