ପ୍ରବେଶ କର ଅନାଦାୟ ନେଇ ଜନସ୍ବାର୍ଥ ମାମଲା: ଅବହେଳାରୁ ୧୩୯ କୋଟି କ୍ଷତି

କଟକ ଅଫିସ,୧୪।୮: ଅବହେଳା ଯୋଗୁ ୧୩୯ କୋଟି ୧୫ଲକ୍ଷ ୮୦ ହଜାର ୫୦୪ ଟଙ୍କାର ପ୍ରବେଶ କର (ଏଣ୍ଟ୍ରି ଟ୍ୟାକ୍ସ) ଭୂଷଣ ପାୱାର୍‌ ଆଣ୍ଡ୍‌ ଷ୍ଟିଲ୍‌ ଲିମିଟେଡ୍‌ କମ୍ପାନୀ ଠାରୁ ଆଦାୟ ହୋଇପାରିଲା ନାହିଁ। ଏଣୁ ଯେଉଁ ସରକାରୀ ଅଧିକାରୀମାନେ ନିଜ ଦାୟିତ୍ୱ ସମ୍ପାଦନାରେ ଅବହେଳା କରିଛନ୍ତି, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ଉପରୋକ୍ତ ଅର୍ଥ ଆଦାୟ କରାଯିବା ପାଇଁ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ ହୋଇଛି। ଓଡ଼ିଶା ସିଭିଲ୍‌ ଲିବର୍ଟି ଫୋରମ୍‌ର ଉପସଭାପତି ପ୍ରମୋଦ କୁମାର ପଟ୍ଟନାୟକଙ୍କ ପକ୍ଷରୁ ଏହି ମାମଲା ରୁଜୁ କରାଯାଇଛି। ଆବେଦନରେ ଉଲ୍ଲେଖ ହୋଇଛି ଯେ, ରାଜ୍ୟ ସରକାର ପ୍ରବେଶ କର ଲାଗୁ କରିବା ପରେ ଏହାକୁ ଭୂଷଣ ପାୱାର୍‌ ଆଣ୍ଡ ଷ୍ଟିଲ୍‌ କମ୍ପାନୀ ତରଫରୁ ସୁପ୍ରିମ୍‌କୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା। କିନ୍ତୁ ଏହି ମାମଲାରେ ସରକାରଙ୍କ ବିଜୟ ହୋଇଥିଲା। ପ୍ରବେଶ କର ବୈଧ ବୋଲି ସୁପ୍ରିମ୍‌କୋର୍ଟ ରାୟ ଦେଇଥିଲେ। ଅପରପକ୍ଷେ କମ୍ପାନୀ ଆର୍ଥତ୍କ କ୍ଷତିରେ ଚାଲୁଥିବାରୁ ଋଣ ଶୁଝିପାରି ନ ଥିଲା। ପଞ୍ଜାବ ନ୍ୟାଶନାଲ୍‌ ବ୍ୟାଙ୍କ୍‌ ଏନେଇ ନ୍ୟାଶନାଲ କମ୍ପାନୀ ଲ’ ଟ୍ରିବ୍ୟୁନାଲଙ୍କ ଦ୍ୱାରସ୍ଥ ହୋଇଥିଲା। ନିଜ ପ୍ରାପ୍ୟ ପାଇବା ପାଇଁ ବିଭିନ୍ନ ସଂସ୍ଥା ଟ୍ରିବ୍ୟୁନାଲରେ ପକ୍ଷ ରଖିଥିଲେ। ପ୍ରାପ୍ୟ ପ୍ରଦାନ ପାଇଁ ଟ୍ରିବ୍ୟୁନାଲ୍‌ ତରଫରୁ ରିଜୋଲ୍ୟୁଶନ୍‌ ପ୍ରଫେସନାଲ୍‌ ଗଠନ କରାଯାଇଥିଲା। ଏହି ରିଜୋଲ୍ୟୁଶନ୍‌ ପ୍ରଫେସନାଲ୍‌ ପକ୍ଷରୁ ପ୍ରାପ୍ୟ ପାଇବାକୁ ଥିବା ସଂସ୍ଥାଗୁଡ଼ିକର ଏକ ତାଲିକା ପ୍ରସ୍ତୁତ କରାଯାଇଥିଲା। ତାଲିକାକୁ ଟ୍ରିବ୍ୟୁନାଲ୍‌ ୨୦୧୯ ସେପ୍ଟେମ୍ବର ୫ରେ ଅନୁମୋଦନ ଦେଇଥିଲେ। ସରକାର କିନ୍ତୁ ପ୍ରାପ୍ୟ ପାଇବା ପାଇଁ ଆବେଦନ କରି ନ ଥିଲେ। ଏଣୁ ଓଡ଼ିଶା କୌଣସି ପ୍ରକାର ପ୍ରାପ୍ୟ ପାଇପାରି ନ ଥିଲା। ପରେ ୨୦୧୯ ନଭେମ୍ବର ୧୮ରେ ସରକାର ନ୍ୟାଶନାଲ କମ୍ପାନୀ ଲ’ ଆପିଲେଟ୍‌ ଟ୍ରିବ୍ୟୁନାଲର ଦ୍ୱାରସ୍ଥ ହୋଇଥିଲେ। କିନ୍ତୁ ସରକାରଙ୍କ ଆବେଦନକୁ ଗତ ଫେବୃୟାରୀ ୧୭ରେ ଟ୍ରିବ୍ୟୁନାଲ୍‌ ଖାରଜ୍‌ କରିଦେଇଥିଲେ। ତେଣୁ ଅଧିକାରୀଙ୍କ ଅବହେଳା ଯୋଗୁ ସରକାରଙ୍କୁ ଏହି କ୍ଷତି ହୋଇଛି, ସେମାନଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ସହ ଆପରାଧିକ ମାମଲା ରୁଜୁ କରାଯିବା ସହ ସେମାନଙ୍କଠାରୁ ଅର୍ଥ ଆଦାୟ କରିବା ପାଇଁ ନିର୍ଦ୍ଦେଶ ଦେବାକୁ ଆବେଦନରେ ପ୍ରାର୍ଥନା କରାଯାଇଛି।