ବାଲିପାଟଣା,୨ା୧୧(ଅଭିମନ୍ୟୁ ନାୟକ): ଖୋର୍ଦ୍ଧା ଜିଲା ବାଲିପାଟଣା ବ୍ଲକର ବିଶ୍ୱନାଥପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ୧୮୯୨ମସିହାରେ ପ୍ରତିଷ୍ଠା ହୋଇଥିବାବେଳେ ଚଳିତବର୍ଷ ୧୩୪ ବର୍ଷରେ ପଦାର୍ପଣ କରିଛି। ଏହି ବିଦ୍ୟାଳୟରେ ଶିଶୁବାଟିକାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଶ୍ରେଣୀ ରହିଛି। ୭୨ଜଣ ବିଦ୍ୟାର୍ଥୀ ଏହି ବିଦ୍ୟାଳୟରେ ପଢୁଥିବାବେଳେ ୯ଟି ଶ୍ରେଣୀ ପାଇଁ ମାତ୍ର ୪ଟି ଶ୍ରେଣୀ ଗୃହ ରହିଛି। ଦୀର୍ଘ ଏକ ଶତାବ୍ଦୀରୁ ଊର୍ଦ୍ଧ୍ୱ ସମୟ ଧରି ଅଞ୍ଚଳର ଅନେକ ପିଢ଼ିଙ୍କୁ ଶିକ୍ଷିତ କରି ଆସିଛି ଏହି ବିଦ୍ୟାଳୟ। ହେଲେ ଏହି ପୁରାତନ ଶିକ୍ଷାନୁଷ୍ଠାନ ଏବେ ବିଭିନ୍ନ ସମସ୍ୟା ଦେଇ ଗତି କରୁଛି। ବିଦ୍ୟାଳୟର ନିଜସ୍ବ ଜମି ନାହିଁ। ସ୍କୁଲକୁ ଯାତାୟାତ ପାଇଁ ଭଲ ରାସ୍ତା ନ ଥିବା ବେଳେ ବିଜ୍ଞାନ ଶିକ୍ଷକଙ୍କ ଅଭାବ ଛାତ୍ରୀଛାତ୍ରଙ୍କ ପାଠପଢ଼ାକୁ ପ୍ରଭାବିତ କରୁଛି।
ସୂଚନା ଅନୁଯାୟୀ, ଶତାବ୍ଦୀ ପୁରୁଣା ଏହି ବିଦ୍ୟାଳୟରେ ଅନେକ ପିଲା ଶିକ୍ଷା ଅଧ୍ୟୟନ କରିଆସୁଥିଲେ ମଧ୍ୟ ଏଯାଏ ଏହାର ନିଜସ୍ବ ଜମି ନାହିଁ। ଏପରି କି ବିଦ୍ୟାଳୟକୁ ଯିବା ପାଇଁ ଉପଯୁକ୍ତ ରାସ୍ତା ନାହିଁ। ବର୍ଷାଦିନେ ରାସ୍ତା ପାଣି କାଦୁଅ ହେଉଥିବାରୁ ବିଦ୍ୟାର୍ଥୀଙ୍କ ସମେତ ଶିକ୍ଷକମାନେ ମଧ୍ୟ ଯାତାୟାତ କରିବାରେ ହଇରାଣ ହେଉଛନ୍ତି। ଏଭଳି ସ୍ଥିତିରେ ପିଲାଙ୍କ ନିୟମିତ ପାଠପଢ଼ା ଓ ଯାତାୟାତର ସୁବିଧାକୁ ନେଇ ଅଭିଭାବକଙ୍କ ମଧ୍ୟରେ ଚିନ୍ତା ପ୍ରକାଶ ପାଇଛି। ପିଲାଙ୍କ ସଂଖ୍ୟାକୁ ଦେଖିଲେ ଏଠାରେ ୫ ଜଣ ଶିକ୍ଷକ ରହିଛନ୍ତି। ହେଲେ ବିଜ୍ଞାନ ଶିକ୍ଷକ ନାହାନ୍ତି। ବର୍ତ୍ତମାନ ଯୁଗରେ ବିଜ୍ଞାନ ଶିକ୍ଷାର ଗୁରୁତ୍ୱ ବଢ଼ିଥିବାବେଳେ ଏହି ବିଷୟର ଶିକ୍ଷକ ଅଭାବ ପିଲାଙ୍କ ଶିକ୍ଷାକୁ ପ୍ରଭାବିତ କରିବା ଆଶଙ୍କା ରହିଛି। ଆର୍ଟ ଶିକ୍ଷକ ଅନ୍ୟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଥିଲେ ବି ଏ ସ୍କୁଲରେ ନାହାନ୍ତି। ଏହି ବିଦ୍ୟାଳୟକୁ ଗୋଦାବରୀଶ ଆଦର୍ଶ ବିଦ୍ୟାଳୟକୁ ରୂପାନ୍ତରଣ କରିବାର ଯୋଜନା ରହିଛି, ହେଲେ ନିଜସ୍ବ ଜାଗା ନ ଥିବାରୁ ଉକ୍ତ କାର୍ଯ୍ୟ ତ୍ୱରାନ୍ବିତ ହୋଇପାରୁନି। ପିଲାଙ୍କ ସଂଖ୍ୟା ଅନୁସାରେ ଦୁଇଟି ଶୌଚାଳୟ ଯଥେଷ୍ଟ ନୁହେଁ। ପ୍ରଧାନ ଶିକ୍ଷକ ବିଭିନ୍ନ ସରକାରୀ କାମ ଓ ସ୍କୁଲ ମଧ୍ୟାହ୍ନଭୋଜନ କାମରେ ଅନେକ ସମୟରେ ବ୍ୟସ୍ତ ରୁହନ୍ତି। ଏହି ଶିକ୍ଷାନୁଷ୍ଠାନର ସମସ୍ୟା ସମାଧାନ ଦିଗରେ ପ୍ରଶାସନ ଓ ଶିକ୍ଷା ବିଭାଗ ଦୃଷ୍ଟି ଦେବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହେଉଛି। ବିଦ୍ୟାଳୟକୁ ନିଜସ୍ବ ଜମି, ଯାତାୟାତ ପାଇଁ ପକ୍କା ରାସ୍ତା ଏବଂ ଆବଶ୍ୟକ ଶିକ୍ଷକ ଯୋଗାଇ ଦିଆଗଲେ ଏହି ପୁରାତନ ଶିକ୍ଷାନୁଷ୍ଠାନର ଗୌରବ ବଜାୟ ରହିବା ସହ ବିଦ୍ୟାର୍ଥୀଙ୍କ ଶିକ୍ଷାଦାନ ମଧ୍ୟ ସୁଦୃଢ଼ ହୋଇପାରିବ ବୋଲି ମତପ୍ରକାଶ ପାଇଛି। ବିଦ୍ୟାଳୟ ପରିଚାଳନା କମିଟି ସଭାପତି ମଦନ ଭୋଇ କହିଛନ୍ତି, ବିଜ୍ଞାନ ଶିକ୍ଷକ ନିଯୁକ୍ତି ପାଇଁ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ଲିଖିତ ଅଭିଯୋଗପତ୍ର ଦିଆଯାଇଛି, ହେଲେ ଏପର୍ଯ୍ୟନ୍ତ ସୁଫଳ ମିଳିନାହିଁ। ଜଳ ନିଷ୍କାସନ ବ୍ୟବସ୍ଥା ନ ଥିବାରୁ ବର୍ଷା ହେଲେ ସ୍କୁଲ ପରିସରରେ ପାଣି ଜମୁଛି। ସେହିପରି ଖେଳପଡ଼ିଆ ନ ଥିବାରୁ ପିଲାମାନେ ଖେଳକୁଦରୁ ବଞ୍ଚତ୍ତ ହେଉଛନ୍ତି। ପ୍ରଧାନଶିକ୍ଷକ ଦାୟିତ୍ୱରେ ଥିବା ସହ ଶିକ୍ଷକ ପ୍ରଭାତ କୁମାର ସାହୁ କହିଛନ୍ତି, ଏଠାରେ ଜଣେ ସ୍ଥାୟୀ ପ୍ରଧାନ ଶିକ୍ଷକ ନିଯୁକ୍ତି ଆବଶ୍ୟକ। ବିଦ୍ୟାଳୟ ବର୍ଜ୍ୟବସ୍ତୁ ବାହାରକୁ ନେବାକୁ ବ୍ଲକ କାର୍ଯ୍ୟାଳୟରେ ଅଭିଯୋଗ କରାଯାଇଛି। ଅନ୍ୟପକ୍ଷରେ ବିଡିଓ ଶୁଭ୍ରାଂଶୁ ଶେଖର ପାଢ଼ୀ କହିଛନ୍ତି, ଗାରେଡ଼ିପାଞ୍ଚଣ ପଞ୍ଚାୟତକୁ କହି ବର୍ଜ୍ୟବସ୍ତୁ ନେବାର ବ୍ୟବସ୍ଥା କରାଯିବ। ସେହିପରି ବାଲିପାଟଣା ଗୋଷ୍ଠୀ ଶିକ୍ଷାଧିକାରୀ ନାରାୟଣ ଦାସ କହିଛନ୍ତି, ଏଠାକୁ ମାସେ ହେବ ସେ ଆସିଛନ୍ତି, ଗାଇଡ୍ଲାଇନ ଅନୁଯାୟୀ ସମସ୍ତ ସମସ୍ୟା ସମାଧାନ ପାଇଁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।