ରାୟଗଡା, ୧।୧୨(ଆଶିଷ ରଞ୍ଜନ ପଣ୍ଡା): ପିଠି ଏବଂ ମେରୁଦଣ୍ଡରେ ମାଂସ ବଢୁଥିବା କାରଣରୁ ୧୩ବର୍ଷର ଚନ୍ଦନ କିଲାକା ଦିବ୍ୟାଙ୍ଗ ପାଲଟିଯାଇଛନ୍ତି। ସଠିକ୍ରେ ଚାଲିପାରୁନାହାନ୍ତି। ଫଳରେ ବାପା ଚନ୍ଦନଙ୍କୁ ବୋହି ନେବା ଆଣିବା କରନ୍ତି । ତେବେ ଗତ ଦିନରେ ଭୁବନେଶ୍ୱରସ୍ଥିତ ଏମ୍ସ ହସ୍ପିଟାଲରେ ପୁଅର ଚିକିତ୍ସା ପାଇଁ ଡାକ୍ତରଙ୍କୁ ଦେଖାଇଥିଲେ । ଡାକ୍ତର ସମୟ ଦେଇଛନ୍ତି । ଡିସେମ୍ବରରେ ଭୁବନେଶ୍ୱରରେ ଏମ୍ସ ହସ୍ପିଟାଲରେ ପୁଅକୁ ଚିକିତ୍ସା କରାଇବେ । ହେଲେ ଆର୍ଥିକ ଅନଟନ କାରଣରୁ ଗରିବ ବାପା ଏନେଇ ଆର୍ଥିକ ସହାୟତା ପାଇଁ ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ । ରାୟଗଡା ସଦର ବ୍ଲକ ବୈରାଗିହାଲୁଆ ପଂଚାୟତର ବ୍ରାହ୍ମଣହାଲୁଆ ଗାଁର ତୁମନାଥ କିଲାକା ସୋମବାର ଜିଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣିରେ ପୁଅକୁ ନେଇ ସହାୟତା ପାଇଁ ଜିଲାପାଳ ଆଶୁତୋଷ କୁଲକର୍ଣ୍ଣିଙ୍କ ଦ୍ୱାରସ୍ଥ ହୋଇଥିଲେ। ଅଭିଯୋଗ ପାଇବା ପରେ ସିଡିଏମଓ ଭି.ସରୋଜିନୀ ଦେବୀ ଏନେଇ ଜିଲାପାଳ କୁଲକର୍ଣ୍ଣିଙ୍କୁ ଅବଗତ କରାଇଥିଲେ। ଏହାପରେ ଜିଲାପାଳ କୁଲକର୍ଣ୍ଣି ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠିରୁ ୧୦ହଜାର ଟଙ୍କାର ସହାୟତା ଦେଇଥିଲେ । ଆଗାମୀ ଦିନରେ ଜିଲା ପ୍ରଶାସନ ଚିକିତ୍ସା ପାଇଁ ସମସ୍ତ ସହାୟତା ଯୋଗାଇବେ ବୋଲି ଜିଲାପାଳ ପ୍ରତିଶ୍ରୁତି ଦେଇଥିବା ରାୟଗଡା ଭିନ୍ନକ୍ଷମ ମହାସଂଘ ସମ୍ପାଦକ ଅମର ନାଥ କହିଛନ୍ତି ।


