ମହିଳାଙ୍କ ହାତରେ ରାଜଧାନୀର ୧୧୩ ପାର୍କ

ଭୁବନେଶ୍ୱର,୨୦।୪ (ଅନୁରାଧା ମହାରଣା)ରାଜଧାନୀ ଭୁବନେଶ୍ୱରରେ ବନ ବିଭାଗ ଅଧୀନରେ ୭ରୁ ଅଧିକ ଉଦ୍ୟାନ ରହିଛି। ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ପାଖାପାଖି ୬୦ଟି ଛୋଟ ବଡ଼ ପାର୍କର ଦାୟିତ୍ୱ ତୁଲାଉଛି। ମାତ୍ର ରାଜଧାନୀର ମହିଳାମାନେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ର ଶତାଧିକ ମିନି ପାର୍କର ରକ୍ଷଣାବେକ୍ଷଣ କରୁଛନ୍ତି। ସହରାଞ୍ଚଳର ଆର୍ଥିକ ଅନଗ୍ରସର ମହିଳାଙ୍କୁ ରୋଜଗାରକ୍ଷମ କରିବା ପାଇଁ ମୁଖ୍ୟମନ୍ତ୍ରୀ କର୍ମ ତପତ୍ର ଅଭିଯାନ(ମୁକ୍ତା) ଆରମ୍ଭ ହୋଇଥିବାବେଳେ ରାଜ୍ୟର ବିଭିନ୍ନ ସହରାଞ୍ଚଳରେ ମହିଳାମାନେ ଏଥିରେ ସାମିଲ ହେଉଛନ୍ତି। ତେବେ ଭୁବନେଶ୍ୱର ମହାନଗର ନିଗମାଞ୍ଚଳରେ ଥିବା ୧୧୩ଟି ମିନି ପାର୍କର ସମ୍ପୂର୍ଣ୍ଣ ରକ୍ଷଣାବେକ୍ଷଣ ସହ ବିଭିନ୍ନ ଦାୟିତ୍ୱ ତୁଲାଉଛନ୍ତି ମହିଳା। ବିଭିନ୍ନ ସ୍ବୟଂ ସହାୟିକା ଗୋଷ୍ଠୀ ମାଧ୍ୟମରେ ସେମାନେ ଅଧ ଏକରରୁ କମ୍‌ ପରିମିତ ଅଞ୍ଚଳରେ ଗଢ଼ି ଉଠିଥିବା ପାର୍କରେ ଶ୍ରମ ଦାନ କରିବା ସହ ଦକ୍ଷତା ଓ କଳା ପ୍ରଦର୍ଶନ କରୁଛନ୍ତି। ମହିଳାଙ୍କ ଏହି ଉଦ୍ୟମ ସହରକୁ ଏକ ନୂଆ ରୂପ ଦେବାରେ ସହାୟକ ହୋଇପାରିଛି। ବିିଭିନ୍ନ ପାର୍କରେ ବୃକ୍ଷରୋପଣଠାରୁ ଆରମ୍ଭ କରି ଓ୍ବାଲ୍‌ ପେଣ୍ଟିଂ, ଚଲାପଥ ନିର୍ମାଣ, ପିଲାଙ୍କ ଖେଳିବା ସାମଗ୍ରୀ ଓ ବ୍ୟାୟାମ ପାଇଁ ବ୍ୟବହାର ହେଉଥିବା ଉପକରଣ ଲଗାଇ ପାର୍କଗୁଡ଼ିକୁ କାର୍ଯ୍ୟକ୍ଷମ କରୁଛନ୍ତି। ଏଥିପାଇଁ ଆୟତନ ଅନୁସାରେ ପ୍ରତି ପାର୍କ ପିଛା ଏସ୍‌ଏଚ୍‌ଜିକୁ ୧୦ରୁ ୨୦ହଜାର ଟଙ୍କା ଲେଖାଏ ପ୍ରଦାନ କରାଯାଉଥିବାବେଳେ ଲାଭାଂଶରେ ମହିଳାମାନେ ଉପକୃତ ହେଉଛନ୍ତି। ସେମାନେ ସହରର ଦକ୍ଷିଣ-ପୂର୍ବ ଜୋନ୍‌ରେ ୩୫ଟି, ଉତ୍ତର ଜୋନ୍‌ରେ ୩୨ଟି ଏବଂ ଦକ୍ଷିଣ-ପଶ୍ଚିମ ଜୋନ୍‌ରେ ସର୍ବାଧିକ ୪୬ଟି ମିନିପାର୍କର ସୌନ୍ଦର୍ଯ୍ୟକରଣ କରିବା ସହ ଏହାକୁ ବ୍ୟବହାର ଉପଯୋଗୀ କରିପାରିଛନ୍ତି। ଓ୍ବାର୍ଡ ନଂ. ୨୩ରେ ସର୍ବାଧିକ ୯ଟି ପାର୍କ ମହିଳାଙ୍କ ଦାୟିତ୍ୱରେ ରହିଛି। ପ୍ରତି ପାର୍କର ରକ୍ଷଣାବେକ୍ଷଣା ପାଇଁ ୧୦ରୁ ୧୨ ଜଣ ଲେଖାଏ ମହିଳା ନିୟୋଜିତ ହୋଇଥିବାବେଳେ ସହରର ପାଖାପାଖି ୧୨୦୦ ମହିଳା ଏହାଦ୍ୱାରା ସ୍ବାବଲମ୍ବୀ ହୋଇପାରିଛନ୍ତି।

ମାଇକ୍ରୋସଫ୍ଟର ପୂର୍ବତନ ସିଇଓ ତଥା ବିଲ୍‌ ଆଣ୍ଡ୍‌ ମେଲିଣ୍ଡା ଗେଟ୍‌ସ ଫାଉଣ୍ଡେଶନର ଅନ୍ୟତମ ପ୍ରତିଷ୍ଠାତା ବିଲ୍‌ ଗେଟ୍‌ସ ଗତ ଫେବୃଆରୀରେ ଓଡ଼ିଶା ଗସ୍ତରେ ଆସି କଳିଙ୍ଗ ନଗର ପାର୍କ ପରିଦର୍ଶନ କରିବା ସହ ଏହାର ପରିଚାଳନା ଦାୟିତ୍ୱରେ ଥିବା ମହିଳାଙ୍କ ସହ ଆଲୋଚନା କରିଥିଲେ। ମହିଳାଙ୍କ ଉଦ୍ୟମ, କର୍ତ୍ତବ୍ୟନିଷ୍ଠାକୁ ଗେଟ୍‌ସ ଖୁବ୍‌ ପ୍ରଶଂସା କରିଥିଲେ। ବିଭିନ୍ନ ସ୍ବୟଂ ସହାୟକ ଗୋଷ୍ଠୀର ସଭାନେତ୍ରୀ ଓ ସମ୍ପାଦିକାଙ୍କ ସହ କଥା ହେବା ସମୟରେ ସେମାନଙ୍କୁ ସେ ପ୍ରେରଣାର ଉତ୍ସବ ବୋଲି କହିଥିଲେ। ଏହି ଗସ୍ତ ସମୟର ଏକ ଭିଡିଓ ସୋସିଆଲ ମିଡିଆ ‘ଏକ୍ସ’ର ଗେଟ୍‌ସ ଫାଉଣ୍ଡେଶନ ଇଣ୍ଡିଆ ଆକାଉଣ୍ଟରେ ମଧ୍ୟ ପୋଷ୍ଟ କରାଯାଇଥିବାବେଳେ ଏହାକୁ ହଜାର ହଜାର ସଂଖ୍ୟାରେ ଦର୍ଶକ ପସନ୍ଦ କରିବା ସହ ମହିଳାଙ୍କ କାର୍ଯ୍ୟକୁ ପ୍ରଶଂସା କରିଥିଲେ।