ଶିଳ୍ପାନୁଷ୍ଠାନ କର୍ମଚାରୀଙ୍କ ପାଇଁ ୧୩ କୋଭିଡ୍‌ କେୟାର ସେଣ୍ଟର

ଭୁବନେଶ୍ୱର, ୨୪।୭(ବ୍ୟୁରୋ): ରାଜ୍ୟରେ କାର୍ଯ୍ୟରତ ଶିଳ୍ପାନୁଷ୍ଠାନର ଅଧିକାରୀ ଏବଂ କର୍ମଚାରୀଙ୍କ ଲାଗି ୧୩ କୋଭିଡ୍‌ କେୟାର ସେଣ୍ଟର କାର୍ଯ୍ୟକ୍ଷମ ହୋଇଛି। ରାଜ୍ୟ ସରକାରଙ୍କ ଉଦ୍ୟମରେ ବିଭିନ୍ନ ଶିଳ୍ପସଂସ୍ଥା ଏବଂ ନିଗମ କାର୍ଯ୍ୟାଳୟ ପରିସରରେ ଏଗୁଡ଼ିକ ଆରମ୍ଭ ହୋଇଛି। ଗୁରୁବାର ଅନୁଷ୍ଠିତ ଏକ ଭିଡିଓ କନ୍‌ଫରେନ୍ସିଂ ବୈଠକରେ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ଏହି ସୂଚନା ଦେଇଛନ୍ତି। ଏହି ଅବସରରେ ମୁଖ୍ୟଶାସନ ସଚିବ କହିଛନ୍ତି, ୮୦ରୁ ୮୫% କରୋନା ଆକ୍ରାନ୍ତ କୋଭିଡ୍‌ କେୟାର ସେଣ୍ଟରରେ ଆରୋଗ୍ୟ ଲାଭ କରିପାରିବେ। ଶିଳ୍ପାନୁଷ୍ଠାନରେ କାର୍ଯ୍ୟରତ କୌଣସି କର୍ମଚାରୀ କରୋନା ଆକ୍ରାନ୍ତ ହେଲେ ସେମାନଙ୍କୁ ସୁବିଧାରେ ଚିକିତ୍ସା ସେବା ଯୋଗାଇ ଦେବାକୁ ଏପରି କୋଭିଡ୍‌ କେୟାର ସେଣ୍ଟର ପ୍ରସ୍ତୁତ କରାଯାଇଛି। ଓପିଟିସିଏଲ ପକ୍ଷରୁ ଚନ୍ଦକାରେ ୮ ଶଯ୍ୟା, ଡାଲମିଆ ସିମେଣ୍ଟ ପକ୍ଷରୁ ରାଜଗାଙ୍ଗପୁରରେ ୫୧ ଶଯ୍ୟା, ଆଦିତ୍ୟ ଆଲୁମିନିୟମ୍‌ ପକ୍ଷରୁ ଲପଙ୍ଗାରେ ୮ ଶଯ୍ୟା, ହିଣ୍ଡାଲ୍‌କୋ ପକ୍ଷରୁ ହୀରାକୁଦରେ ୧୪ ଶଯ୍ୟା ପ୍ରସ୍ତୁତ କରାଯାଇଛି। ସେହିପରି ଏନଏଲ୍‌ସି ଇଣ୍ଡିଆ ଲିମିଟେଡ୍‌ ଝାରସୁଗୁଡାରେ ୧୫ ଶଯ୍ୟା, ପାରାଦୀପ ଫସଫେଟ ଲିମିଟେଡ ୨୦ ଶଯ୍ୟା, ପାରାଦୀପ ଇଫ୍‌କୋ ୩୫ ଶଯ୍ୟା, ଆଇଓସିଏଲ ଟାଉନଶିପ୍‌ରେ ୪୦ ଶଯ୍ୟା, ଭାରତୀୟ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ପୁରୀଠାରେ ୩୫ ଶଯ୍ୟା ବିଶିଷ୍ଟ କୋଭିଡ୍‌ କେୟାର ସେଣ୍ଟର ସ୍ଥାପନ କାର୍ଯ୍ୟ ତ୍ୱରାନ୍ବିତ ହୋଇଛି। ଇଡ୍‌କୋ ପକ୍ଷରୁ ଏମଏସଏମ୍‌ଇଗୁଡିକ ପାଇଁ ଏକ ସ୍ବତନ୍ତ୍ର କେନ୍ଦ୍ର ସ୍ଥାପନ କରାଯାଇଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।