ବିଏସ୍‌କଓ୍ବୋଇରେ ସାମିଲ ହେବେ ୧୨,୩୯୮ କେନ୍ଦୁପତ୍ର ତୋଳାଳି

ସମ୍ବଲପୁର,୩ା୩(ବ୍ୟୁରୋ): ସମ୍ବଲପୁର ଜିଲାର ବିଭିନ୍ନ ଡିଭିଜନରେ କେନ୍ଦୁପତ୍ର ତୋଳାଳି ଏବେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କଓ୍ବୋଇ)ରେ ସାମିଲ ହୋଇ ଚିକିତ୍ସା ସୁବିଧା ପାଇପାରିବେ। ମୁଖ୍ୟମନ୍ତ୍ରୀ ଓ ବିଭାଗୀୟ ଅନୁମୋଦନ କ୍ରମେ ଜିଲାରେ କିଭଳି ଏହି ପ୍ରକ୍ରିୟା ତ୍ୱରାନ୍ବିତ ହେବ ସେ ନେଇ କେନ୍ଦୁପତ୍ର ୱେଲଫେୟାର ବୋର୍ଡ ଉପଦେଷ୍ଟା ସଞ୍ଜିତ ମହାନ୍ତି ଜିଲାପାଳ ଅନନ୍ୟା ଦାସ ଓ ସିଡିଏମ୍‌ଓ ପୂର୍ଣ୍ଣଚନ୍ଦ୍ର ସାହୁଙ୍କୁ ଭେଟି ଆଲୋଚନା କରିଛନ୍ତି।
୨୦୨୨ ନଭେମ୍ବର ୨୪ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାର କେନ୍ଦୁପତ୍ର ତୋଳାଳି ଓ କର୍ମଚାରୀଙ୍କୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ କରାଯିବା ପାଇଁ ଘୋଷଣା କରିଥିଲେ। ଘୋଷଣା ପୂର୍ବରୁ ରାଶନ କାର୍ଡକୁ ଆଧାର କରି କାର୍ଡ ପ୍ରଦାନ କରାଯାଇଥିବାରୁ ଜିଲାର ବହୁ କେନ୍ଦ୍ରୁପତ୍ର ତୋଳାଳି ଯୋଜନାରେ ଅନ୍ତର୍ଭୁକ୍ତ ହୋଇପାରି ନାହାନ୍ତି। ସେଥିମଧ୍ୟରେ ସମ୍ବଲପୁର କେନ୍ଦୁପତ୍ର ଡିଭିଜନରେ ଥିବା ୨୯୦୨୩ ତୋଳାଳି ମଧ୍ୟରୁ ୪୯୯୬, ରେଢ଼ାଖୋଲ ଡିଭିଜନର ୨୭୨୬୧ରୁ ୩୯୩୩, କୁଚିଣ୍ଡା ଡିଭିଜନର ୩୯୮୭୯ରୁ ୩୪୬୯ ମୋଟ ୧୨୩୯୮ଜଣ ତୋଳାଳି ରହିଛନ୍ତି। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଅନ୍ତର୍ଭୁକ୍ତ ହେବା ପାଇଁ ରାଶନକାର୍ଡ ବାଧ୍ୟତାମୂଳକ ଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ନିୟମକୁ କୋହଳ କରାଯାଇଥିବାରୁ ଏମାନେ ସାମିଲ ହୋଇପାରିବେ ବୋଲି ଆଶା ଉଜ୍ଜୀବିତ ହୋଇଛି। କେନ୍ଦୁପତ୍ର ପରିଚୟପତ୍ର ଥିବା ପରିବାର ମଧ୍ୟ ଏହି ଯୋଜନାରେ ସାମିଲ ହୋଇପାରିବେ। ଯୋଜନାରେ ଅନ୍ତର୍ଭୁକ୍ତ ହୋଇପାରି ନ ଥିବା ତୋଳାଳିଙ୍କ କେନ୍ଦୁପତ୍ର ପରିଚୟ ପତ୍ରକୁ ଆଧାର କରି ବିଏସ୍‌କେୱାଇ କାର୍ଡ ପ୍ରଦାନ କରିବା ନିଷ୍ପତ୍ତି ଦ୍ୱାରା ଓଡ଼ିଶାର ପ୍ରାୟ ଦେଢ ଲକ୍ଷ ତୋଳାଳି ଲାଭବାନ ହେବେ ବୋଲି ମହାନ୍ତି କହିଛନ୍ତି।