୧୨ ମହିଳାଙ୍କୁ ମିଶନଶକ୍ତି ‘କାଫେ’ର ଦାୟିତ୍ୱ

କେସିଙ୍ଗା,୧୩।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବିଜ୍ଞାପିତ ଅଞ୍ଚଳ ପରିଷଦର ଅମ୍ବାଜି ମନ୍ଦିର ନିକଟରେ ଥିବା ମିଶନ ଶକ୍ତି କାଫେ ଓ ଭେଣ୍ଡିଂ ଜୋନ ଅଧ୍ୟକ୍ଷ ନୃପରାଜ ଯାଦବଙ୍କ କରକମଳରେ ଗୁରୁବାର ଉଦଘାଟନ ହୋଇଯାଇଛି। ୱାର୍ଡ ନମ୍ବର-୩ସ୍ଥିତ ଗାୟତ୍ରୀ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀକୁ ଏହି ମିଶନ ଶକ୍ତି କାଫେର ଦାୟିତ୍ୱ ଦିଆଯାଇଛି। ଏହି ମହିଳା ସ୍ବୟଂ ସହାୟିକାର ସଭାନେତ୍ରୀ ଜୟନ୍ତୀ ଗହୀରଙ୍କ ସମେତ ୧୨ଜଣ ମହିଳା କାଫେରେ ସକାଳ ଜଳଖିଆ ପ୍ରସ୍ତୁତ କରି ଲୋକଙ୍କୁ ସେବା ଯୋଗାଇବେ। ଏହି ଉଦ୍‌ଘାଟନୀ ଅବସରରେ ପକୁଡ଼ି, ହାଲୁଆ, ଆରିସା ପିଠା, ପ୍ରସ୍ତୁତ କରି ପ୍ରଥମ ଦିନରେ ୪ ହଜାରରୁ ଉଦ୍ଧର୍‌ବ ଟଙ୍କା ବିକ୍ରି କରିଥିଲେ। ମହିଳାଙ୍କ ଦ୍ୱାରା ପ୍ରସ୍ତୁତ ଜଳଖିଆ ବହୁତ ଭଲ ହୋଇଥିଲା। ପରିବାର ପ୍ରତିପୋଷଣ କରିବା ପାଇଁ ସୁବିଧା ଯୋଗାଇଦେଇଥିବାରୁ ଏହି କାଫେରେ ନିୟୋଜିତ ୧୨ଜଣ ମହିଳା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମିଶନ ଶକ୍ତି ଅଧ୍ୟକ୍ଷା ସୁଜାତା କାର୍ତ୍ତିକେୟନ୍‌ ଏବଂ କେସିଙ୍ଗା ଏନଏସିର ଅଧ୍ୟକ୍ଷଙ୍କୁ ମହିଳା ଗ୍ରୁପ ଧନ୍ୟବାଦ ଦେଇଥିଲେ। ଏହି ଉଦ୍‌ଘାଟନୀ ଉତ୍ସବରେ ଉପାଧ୍ୟକ୍ଷା ସରସତୀ ସାହାଙ୍କ ସମେତ ସମସ୍ତ କାଉନସିଲର,ଏନଏସିର ସମସ୍ତ କର୍ମକର୍ତ୍ତା ଏବଂ ବିଜେଡିର ଟାଉନ ସଭାପତି ରମେଶ ପଟ୍ଟନାୟକ ପ୍ରମୁଖ ଯୋଗଦେଇଥିଲେ।