୧୦ ପରିବର୍ତ୍ତେ ୧୨ରୁ ପିଜି ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର, ୩୦ା୯:ସ୍ନାତକୋତ୍ତର(ପିଜି) ନାମଲେଖା ପାଇଁ ରାଜ୍ୟରେ ହେବାକୁ ଥିବା ଏକକ ପ୍ରବେଶିକା ପରୀକ୍ଷା ତାରିଖରେ ପରିବର୍ତ୍ତନ ହୋଇଛି। କରୋନା କଟକଣା ଭିତରେ ଚଳିତ ବର୍ଷ ପିଜି ପ୍ରବେଶିକା ପରୀକ୍ଷା ଅକ୍ଟୋବର ୧୦ ପରିବର୍ତ୍ତେ ୧୨ ତାରିଖରୁ ଆରମ୍ଭ ହୋଇ ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଉଚ୍ଚଶିକ୍ଷା ବିଭାଗ ସୂଚନା ଦେଇଛି। ପ୍ରତିଦିନ ତିନୋଟି ସିଫ୍ଟରେ ପରୀକ୍ଷା ହେବ। ପ୍ରଥମ ସିଫ୍ଟ ପୂର୍ବାହ୍ନ ୧୦ଟାରୁ ସାଢେ ୧୧, ଦ୍ୱିତୀୟ ସିଫ୍ଟ ସାଢେ ୧୨ଟାରୁ ଦିନ ୨ଟା ଏବଂ ତୃତୀୟ ସିଫ୍ଟ ଅପରାହ୍ନ ୩ଟାରୁ ସାଢ଼େ ୪ଟା ପର୍ଯ୍ୟନ୍ତ ଚାଲିବ। ବିଭିନ୍ନ ବିଷୟରେ ପ୍ରବେଶିକା ପରୀକ୍ଷା ହେବ। ଅକ୍ଟୋବର ୨୨ ତାରିଖରେ ପ୍ରବେଶିକା ପରୀକ୍ଷା ଶେଷ ହେବା ପରେ ନଭେମ୍ବର ୭ ତାରିଖରେ ରାଜ୍ୟସ୍ତରୀୟ ମେରିଟ ଲିଷ୍ଟ ପ୍ରକାଶ ପାଇବ। ମେରିଟ ଲିଷ୍ଟ ପ୍ରକାଶ ପାଇବା ପରେ ଛାତ୍ରୀଛାତ୍ରଙ୍କ ନାମଲେଖା ପ୍ରକ୍ରିୟା ନଭେମ୍ବର ୩୦ ସୁଦ୍ଧା ଶେଷ ହୋଇ ଡିସେମ୍ବର ୩ରୁ କ୍ଲାସ ଆରମ୍ଭ ହେବ ବୋଲି ଜଣାପଡ଼ିଛି।