ରାଜଧାନୀରେ ବର୍ଷକରେ ୧୨.୯୬ କୋଟି ଠକେଇ

ଭୁବନେଶ୍ୱର,୩୧।୧୨(ବ୍ୟୁରୋ): ରାଜଧାନୀରେ ସାଇବର ଠକେଇରେ ରୋକ ଲଗାଯାଇପାରୁ ନାହିଁ। ଲୋକଙ୍କୁ ବିଭିନ୍ନ ଜରିଆରେ ସଚେତନ କରାଯାଉଥିଲେ ମଧ୍ୟ ସାଇବର ଅପରାଧୀଙ୍କ ଜାଲରେ ପଡ଼ି ବହୁ ଟଙ୍କା ହରାଉଛନ୍ତି। ଡିସେମ୍ବରରେ ରାଜଧାନୀରେ ୧ କୋଟି ୧୭ ଲକ୍ଷ ୩୫ ହଜାର ୧୬୭ ଟଙ୍କା ସାଇବର ଠକ ଲୁଟିନେଇଛନ୍ତି। ତେବେ ଏଥିରୁ ମାତ୍ର ୧୧ ଲକ୍ଷ ୭ ହଜାର ୨୭୧ ଟଙ୍କା ଫେରାଇ ଅଣାଯାଇଥିବା ବେଳେ ୧୫ ଲକ୍ଷ ୭ ହଜାର ୮୬ ଟଙ୍କା ବ୍ଲକ/ଫ୍ରିଜ୍‌ କରାଯାଇଛି। ଏନେଇ ଭୁବନେଶ୍ୱର ସହରାଞ୍ଚଳ ଜିଲା ପୋଲିସ ପକ୍ଷରୁ ଶୁକ୍ରବାର ସୂଚନା ଦିଆଯାଇଛି। ରିପୋର୍ଟ ଅନୁଯାୟୀ, ଭୁବନେଶ୍ୱର ସହରାଞ୍ଚଳ ଜିଲା ପୋଲିସର ସାଇବର କ୍ରାଇମ ହେଲ୍ପଡେସ୍କକୁ ରାଜଧାନୀରୁ ନଭେମ୍ବରରେ ମୋଟ ୨୯୪ ଅଭିଯୋଗ ଆସିଥିଲା। ଭୁବନେଶ୍ୱରରୁ ୧୪୯ଟି ୟୁପିଆଇ, ୮୧ଟି କ୍ରେଡିଟ/ଡେବିଟ କାର୍ଡ ସମ୍ବନ୍ଧୀୟ ଠକେଇ, ୪୨ଟି ସାମାଜିକ ଗଣମାଧ୍ୟମ ଜନିତ ଠକେଇ ଓ ୨୨ଟି ଅନ୍ୟାନ୍ୟ ଅନଲାଇନ ଜନିତ ଠକେଇ ଅଭିଯୋଗ ହେଲ୍ପଡେସ୍କକୁ ଆସିଥିଲା। ତେବେ ସାଇବର କ୍ରାଇମ ଓ ଅର୍ଥନୈତିକ ଅପରାଧ ଥାନାରେ ମାତ୍ର ୪ଟି ମାମଲା ରୁଜୁ କରାଯାଇଥିବା ସୂଚନା ଦିଆଯାଇଛି।
ତେବେ ଡିସେମ୍ବରକୁ ଲଗାଇ ୨୦୨୨ରେ ୧୨ କୋଟି ୯୬ ଲକ୍ଷ ୩୫ ହଜାର ୭୮୧ ଟଙ୍କା ସାଇବର ଠକେଇ ହୋଇଥିବା କୁହାଯାଇଛି। ଠକେଇ ଟଙ୍କାରୁ ୧ କୋଟି ୨୩ ଲକ୍ଷ ୨ ହଜାର ୮୦୪ ଟଙ୍କା ଫେରାଇ ଅଣାଯାଇଥିବା ବେଳେ ୧ କୋଟି ୪୬ ଲକ୍ଷ ୨ ହଜାର ୩୧୯ ଟଙ୍କା ବ୍ଲକ/ଫ୍ରିଜ୍‌ କରାଯାଇଛି। ବର୍ଷକରେ ୩ ହଜାର ୮୧୧ ଅଭିଯୋଗ ଆସିଥିବା ବେଳେ ଏଥିରୁ ୫୬୫ ସାମାଜିକ ଗଣମାଧ୍ୟମ ଜନିତ ଠକେଇ ରହିଥିଲା। ତେବେ ବର୍ଷକରେ ଭୁବନେଶ୍ୱର ସାଇବର କ୍ରାଇମ ଓ ଅର୍ଥନୈତିକ ଅପରାଧ ଥାନା ପୋଲିସ ଆର୍ଥିକ ଠକେଇ, ସାମାଜିକ ଗଣମାଧ୍ୟମ ଜନିତ ଠକେଇ, ତଥ୍ୟ ଚୋରି ଆଦି ୫୩ଟି ମାମଲା ରୁଜୁ କରି ୪୧ ଜଣଙ୍କୁ ଗିରଫ କରିଥିବା ସୂଚନା ଦିଆଯାଇଛି।