ଭୁବନେଶ୍ୱର,୧୬ା୫(ତ୍ରିନାଥ ମହାନ୍ତି):ଆସନ୍ତା ଅଗଷ୍ଟ ୩୧ରେ ପୋଲିସ ଡିଜି ଓ୍ବାଇ.ବି. ଖୁରାନିଆଙ୍କ କାର୍ଯ୍ୟକାଳ ଶେଷ ହେଉଛି। ତେଣୁ ଆଗୁଆ ନୂଆ ପୋଲିସ ଡିଜି ଚୟନ ପ୍ରକ୍ରିୟା ଆରମ୍ଭ କରିଛନ୍ତି ରାଜ୍ୟ ସରକାର। ସାଧାରଣ ପ୍ରଶାସନ ବିଭାଗର ଜଣେ ବରିଷ୍ଠ ଅଧିକାରୀ ନୂଆଦିଲ୍ଲୀ ଯାଇ ଶୁକ୍ରବାର ନିର୍ଦ୍ଧାରିତ ଫର୍ମାଟ୍ରେ ୟୁପିଏସ୍ସି କର୍ତ୍ତୃପକ୍ଷଙ୍କ ପାଖରେ ଶର୍ଟଲିଷ୍ଟ ହୋଇଥିବା ୧୧ଜଣ ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କ ବିବରଣୀ ଦାଖଲ କରିଛନ୍ତିି। ସେମାନେ ହେଲେ ୧୯୯୦ ବ୍ୟାଚ୍ ଆଇପିଏସ୍ ଅଧିକାରୀ ତଥା ଅଗ୍ନିଶମ ସେବା ଡିଜି ସୁଧାଂଶୁ ଷଡ଼ଙ୍ଗୀ। ୧୯୯୩ ବ୍ୟାଚ୍ର ଜେଲ୍ ଡିଜି ସୁଶାନ୍ତ ନାଥ ଓ ଗୋଇନ୍ଦା ଡିଜି ଆର୍.ପି. କୋଚେଙ୍କ ସମେତ ୧୯୯୪ ବ୍ୟାଚ୍ର ସଞ୍ଜୀବ ପଣ୍ଡା ଓ ଯଶବନ୍ତ ଜେଠ୍ୱା। ୧୯୯୫ ବ୍ୟାଚ୍ର ରୀତୁ ଅରୋରା, ସୌମେନ୍ଦ୍ର ପ୍ରିୟଦର୍ଶୀ, ପିଏସ୍ ରଣପିସେ ଓ ସନ୍ତୋଷ ବାଲା ଏବଂ ୧୯୯୬ ବ୍ୟାଚ୍ର ଅରୁଣ ବୋଥ୍ରା ଓ ସୁନୀତା କାକରନ ରହିଛନ୍ତି। ତେବେ ଏମାନଙ୍କ ମଧ୍ୟରୁ ଆଇପିଏସ୍ ଅଧିକାରୀ ରୀତୁ, ରଣପିସେ ଓ ସୁନୀତା ଏବେ କେନ୍ଦ୍ରୀୟ ଡେପୁଟେଶନରେ ଅଛନ୍ତି। ବରିଷ୍ଠତ୍ତା ଭିତ୍ତିରେ ସୁଧାଂଶୁ ଷଡ଼ଙ୍ଗୀ, ସୁଶାନ୍ତ ନାଥ ଓ ଆର୍.ପି. କୋଚେଙ୍କ ନାମ ପରବର୍ତ୍ତୀ ଡିଜିପି ନିମନ୍ତେ ଅଧିକ ଚର୍ଚ୍ଚାରେ ରହିଛି। ତେବେ ଅଫିସର ଭାବେ ସୁଧାଂଶୁ ଷଡ଼ଙ୍ଗୀ, ସଞ୍ଜୀବ ପଣ୍ଡା ଓ ସୌମେନ୍ଦ୍ର ପ୍ରିୟଦର୍ଶୀ ଏହି ପଦବୀ ପାଇଁ ମୁଖ୍ୟ ଦାବିଦାର ଥିବା ଚର୍ଚ୍ଚା ହେଉଛି। ସେହିପରି ତାଲିକାରେ ୩ ଜଣ ମହିଳା ଆଇପିଏସ୍ ଅଧିକାରୀ ସନ୍ତୋଷ ବାଲା, ରୀତୁ ଅରୋରା ଓ ସୁନୀତା କାକରନ ରହିଛନ୍ତି। ରାଜ୍ୟ ସରକାର ଯଦି ‘ମହିଳା କାର୍ଡ’ ଖେଳନ୍ତି ତା’ହେଲେ ଏମାନଙ୍କ ମଧ୍ୟରୁ କାହାକୁ ବି ଡିଜିପି ମୁକୁଟ ପିନ୍ଧାଇପାରନ୍ତି। ରୀତୁ ଓ ସୁନୀତା ଏବେ କେନ୍ଦ୍ରୀୟ ଡେପୁଟେଶନରେ ଥିବାରୁ ସନ୍ତୋଷ ବାଲା ହିଁ ପ୍ରମୁଖ ଦାବିଦାର ବୋଲି କୁହାଯାଉଛି। ଅନ୍ୟମାନଙ୍କ ମଧ୍ୟରେ ଭିଜିଲାନ୍ସ ଏଡିଜି ଯଶୋବନ୍ତ ଜେଠ୍ୱା ମଧ୍ୟ ଦାବିଦାର ରହିଛନ୍ତି। ସେ ବହୁ ବଡ଼ ବଡ଼ ଦୁର୍ନୀତିଗ୍ରସ୍ତ ସରକାରୀ ଅଫିସରଙ୍କୁ ବାନ୍ଧି ରର୍ଚ୍ଚାରେ ଅଛନ୍ତି। ତେଣୁ ତାଙ୍କ ଟ୍ରାକ୍ ରେକର୍ଡ ଭଲ ଥିବାରୁ ସରକାର ତାଙ୍କୁ ଡିଜିପି କରିପାରନ୍ତି ବୋଲି ଅଧିକାରୀସ୍ତରରେ ଆଲୋଚନା ହେଉଛି।
ଡିଜିଙ୍କ କାର୍ଯ୍ୟକାଳ ଶେଷହେବାର ଅତିକମ୍ରେ ଅଢ଼େଇ ମାସ ପୂର୍ବରୁ ନୂଆ ଡିଜିପି ଚୟନ ନିମନ୍ତେ ପ୍ରସ୍ତାବ ପଠାଇବାକୁ ରାଜ୍ୟଗୁଡ଼ିକୁ ଗତ ଜାନୁଆରୀରେ ୟୁପିଏସ୍ସି କର୍ତ୍ତୃପକ୍ଷ ପରାମର୍ଶ ଦେଇଥିଲେ। ଏଥିସହ ରାଜ୍ୟର ନୂଆ ପୋଲିସ ଡିଜି ପଦବୀ ନିମନ୍ତେ ତାଲିକାଭୁକ୍ତ ଆଇପିଏସ୍ଙ୍କ ବିବରଣୀ ପଠାଇବା ପାଇଁ ୟୁପିଏସ୍ସି କର୍ତ୍ତୃପକ୍ଷ ନିକଟରେ ରାଜ୍ୟ ସରକାରଙ୍କୁ ଚିଠି ପଠାଇଥିଲେ। ଏହାପରେ ଡିଜିପି ପଦବୀ ନିମନ୍ତେ ନିର୍ଦ୍ଧାରିତ ମାନଦଣ୍ଡ ଆଧାରରେ ଆଇପିଏସ୍ ସେବାରେ ୩୦ ବର୍ଷ କାର୍ଯ୍ୟକାଳ ପୂରଣ କରିଥିବା ୧୧ଜଣ ବରିଷ୍ଠ ଆଇପିଏସ୍ ଅଫିସର(୧୯୯୦ରୁ ୧୯୯୬ ବ୍ୟାଚ୍ ପର୍ଯ୍ୟନ୍ତ)ଙ୍କ ସିସିଆର୍ଠୁ ଆରମ୍ଭକରି ସମସ୍ତ ତଥ୍ୟକୁ ଗୃହ ବିଭାଗ ଦୁଇଦିନ ପୂର୍ବରୁ ସାଧାରଣ ପ୍ରଶାସନ ବିଭାଗକୁ ପଠାଇଥିଲା, ଯାହାକୁ ସାଧାରଣ ପ୍ରଶାସନ ବିଭାଗର ଜଣେ ବରିଷ୍ଠ ଅଧିକାରୀ ଆଜି ଦିଲ୍ଲୀ ଯାଇ ଦାଖଲ କରିଛନ୍ତି। ରାଜ୍ୟ ସରକାର ନିର୍ଦ୍ଧାରିତ ଅବଧି ମଧ୍ୟରେ ତାଲିକା ଦାଖଲ କରିଥିବାରୁ ଅଗଷ୍ଟ ପୂର୍ବରୁ ରାଜ୍ୟକୁ ନୂଆ ପୋଲିସ ଡିଜି ମିଳିଯିବ ବୋଲି କୁହାଯାଉଛି।