ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ୧୧ ଏମ୍‌ଓୟୁ ସ୍ବାକ୍ଷରିତ

ଭୁବନେଶ୍ବର, ୩ା୩(ବ୍ୟୁରୋ):କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ତାଙ୍କର ଅଷ୍ଟ୍ରେଲିଆ ପ୍ରତିପକ୍ଷ ଜେସନ କ୍ଲେର୍‌ଙ୍କ ମଧ୍ୟରେ ଗୁରୁବାର ନୂଆଦିଲ୍ଲୀଠାରେ ୧୧ଟି ଏମ୍‌ଓୟୁ ସ୍ବାକ୍ଷରିତ ହୋଇଛି। ଉଭୟ ଦେଶ ମଧ୍ୟରେ ଗବେଷଣାକୁ ପ୍ରୋତ୍ସାହନ ଦେବା, ଶିକ୍ଷାନୁଷ୍ଠାନରେ ସହଯୋଗୀ ହେବା, ଶିକ୍ଷାକ୍ଷେତ୍ରରେ ସମ୍ପର୍କ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ଏହି ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଥିବା ଧର୍ମେନ୍ଦ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି, ଦେଶର କୃଷି କ୍ଷେତ୍ରରେ ଲୋକଙ୍କ ଦକ୍ଷତା ବୃଦ୍ଧି କରିବା ପାଇଁ ଆଗାମୀ ଦେଢ଼ ବର୍ଷରେ ଅଷ୍ଟ୍ରେଲିଆ ସରକାର ୧.୮୯ ମିଲିୟନ ଡଲାର ଖର୍ଚ୍ଚ କରିବେ। ଅଷ୍ଟ୍ରେଲିଆ ବିଶ୍ୱବିଦ୍ୟାଳୟ ସହ ଭାରତର ଶିକ୍ଷାନୁଷ୍ଠାନ ମିଳିତ ଭାବେ ନୂଆ ପାଠ୍ୟକ୍ରମ ତିଆରି କରିବା, ପ୍ରଶିକ୍ଷକ ସୃଷ୍ଟି କରିବା ଏବଂ ସେମାନଙ୍କ କ୍ଷମତା ବୃଦ୍ଧି କରିବା ଉପରେ ଯୋଜନା ପ୍ରସ୍ତୁତ ହେବ। ଅଷ୍ଟ୍ରେଲିଆ ଏବଂ ଭାରତରେ ପାଠ ପଢୁଥିବା ଛାତ୍ରୀଛାତ୍ରଙ୍କ ଯୋଗ୍ୟତାକୁ ମାନ୍ୟତା ଦେବା ସହ କ୍ରିଟିକାଲ ସ୍କିଲ ପ୍ରୋଜେକ୍ଟ ଘୋଷଣା କରାଯାଇଛି। ଏହି ଦ୍ୱିପାକ୍ଷିକ ବୈଠକ ଉଭୟ ଦେଶର ପିଲାଙ୍କ ପାଇଁ ଶିକ୍ଷା କ୍ଷେତ୍ରରେ ନୂଆ ସୁଯୋଗ ଆଣିବ। ଉଭୟ ଦେଶର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କୁ ନେଇ ଏକ ଟାସ୍କଫୋର୍ସ ଗଠନ କରାଯାଇଛି। ଏହା ଦୁଇ ଦେଶରେ ଶିକ୍ଷା ଏବଂ ଦକ୍ଷତାର ଯୋଗ୍ୟତାକୁ ନେଇ ପାରସ୍ପରିକ ସ୍ବୀକୃତି ପାଇଁ ଏକ ବିସ୍ତୁତ ଢାଞ୍ଚା ପ୍ରସ୍ତୁତ କରିଛନ୍ତି। ଏହି ଚୁକ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତିବଦ୍ଧତାର ଅଂଶବିଶେଷ ବୋଲି ଧର୍ମେନ୍ଦ୍ର କହିଛନ୍ତି। ଜୁନରେ ହେବାକୁ ଥିବା ଜି-୨୦ ଶିକ୍ଷା ବୈଠକ ଏବଂ ସେପ୍ଟେମ୍ବରରେ ଅନୁଷ୍ଠିତ ହେବାକୁ ଥିବା ସପ୍ତମ ଏଆଇଇଏସଇସି ବୈଠକରେ ଯୋଗଦେବା ପାଇଁ ଅଷ୍ଟ୍ରେଲିଆ ଶିକ୍ଷାମନ୍ତ୍ରୀଙ୍କୁ ଧର୍ମେନ୍ଦ୍ର ନିମନ୍ତ୍ରଣ କରିଛନ୍ତି।