୧୧ ଲକ୍ଷ କୋଟି

ଏମ୍ପ୍ଲଇଜ୍‌ ପ୍ରୋଭିଡେଣ୍ଟ ଫଣ୍ଡ୍‌ ଅର୍ଗାନାଇଜେଶନ୍‌ (ଇପିଏଫ୍‌ଓ) ବା କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଙ୍ଗଠନ ଏକ ସରକାରୀ ବ୍ୟବସ୍ଥା, ଯେଉଁଥିରେ ଉଭୟ ନିଯୁକ୍ତିଦାତା ଏବଂ କର୍ମଚାରୀଙ୍କ ଅର୍ଥ ପ୍ରତ୍ୟେକ ମାସରେ ଏକ ନିର୍ଦ୍ଦିଷ୍ଟ ପରିମାଣରେ ଜମା ହୋଇଥାଏ। ଏହି ସଂଗୃହୀତ ପାଣ୍ଠିରୁ କର୍ମଚାରୀ ନିଜର ଜରୁରୀ ଆବଶ୍ୟକତାକୁ ଦେଖି ବା ଅବସର ପରେ ଉଠାଇ ପାରିବେ। ଦେଖିବାକୁ ଗଲେ ଏହା ସରକାରୀ ଅର୍ଥ ନୁହେଁ। ସଦ୍ୟ ତଥ୍ୟ ଅନୁଯାୟୀ ଇପିଏଫ୍‌ଓରେ ୧୧ ଲକ୍ଷ କୋଟି ଭାରତୀୟ ଟଙ୍କା ଜମାଅଛି। ଆମେରିକୀୟ ଡଲାରରେ ଏହାର ମୂଲ୍ୟ ହେବ ୧୫୭.୮ ବିଲିୟନ। ଇତିମଧ୍ୟରେ କରୋନାଜନିତ ଆର୍ଥିକ ସଙ୍କଟ ଯୋଗୁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଏକ ଯୋଜନା ଘୋଷଣା କରିଥିଲେ। ତାଙ୍କ କହିବା ଅନୁଯାୟୀ ଘୋଷଣା ଦିନଠାରୁ ଆରମ୍ଭକରି ୩ ମାସ ପର୍ଯ୍ୟନ୍ତ ଇପିଏଫ୍‌ଓରେ କର୍ମଚାରୀମାନଙ୍କ ଜମାକୁ ସରକାର ଭରଣା କରିବେ। ଏହା ମାତ୍ର ୩ ମାସ ପାଇଁ ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ତାହାକୁ ଆଉ ତିନି ମାସ ବଢ଼ାଯାଇଛି। ତେବେ ଏଥିସହିତ ଯୋଡ଼ାଯାଇଥିବା ସର୍ତ୍ତ ଅତ୍ୟନ୍ତ ହାସ୍ୟାସ୍ପଦ। ସୀତାରାମନ କହିଛନ୍ତି ଯେ, ଯେଉଁ ଘରୋଇ କମ୍ପାନୀରେ ସର୍ବାଧିକ ୧୦୦ ଜଣ କର୍ମଚାରୀ ଥିବେ ଏବଂ ତନ୍ମଧ୍ୟରୁ ୯୦ ପ୍ରତିଶତ କର୍ମଚାରୀ ମାତ୍ର ୧୫ ହଜାର ଟଙ୍କା ପର୍ଯ୍ୟନ୍ତ ମାସିକ ଦରମା ପାଉଥିବେ ସେମାନଙ୍କର ଭବିଷ୍ୟନିଧି ଜମାକୁ ସରକାର ବହନ କରିବେ। ଏଭଳି ନିୟମାବଳୀ ଯୋଗୁ ଅଧିକାଂଶ କ୍ଷୁଦ୍ର ଏବଂ ମଧ୍ୟମ ଶିଳ୍ପ ସୁବିଧା ପାଇବାରୁ ବଞ୍ଚିତ ହେବେ। ଅର୍ଥାତ୍‌ ଏଥିପାଇଁ ବ୍ୟବସ୍ଥା କରାଯାଇଥିବା ୪, ୮୦୦ କୋଟି ଟଙ୍କା ବାଟମାରଣା ହେବାର ଦୁଆର ଫିଟାଇ ଦିଆଯାଇଛି।
ଏହା ବ୍ୟତୀତ ଏବେ ଜାତୀୟ ଗଣମାଧ୍ୟମରେ ଅନ୍ୟ ଏକ ଦିଗ ସମ୍ପର୍କରେ ଖବର ପ୍ରକାଶ ପାଇବା ଚିନ୍ତାଜନକ। ଦେଶରେ ଏପ୍ରିଲରୁ ଜୁଲାଇ ତୃତୀୟ ସପ୍ତାହ ମଧ୍ୟରେ ଇପିଏଫ୍‌ଓରୁ ୮୦ ଲକ୍ଷ କର୍ମଚାରୀ ୩୦,୦୦୦ କୋଟି ଟଙ୍କା ଉଠାଣ କରିସାରିଲେଣି। ମହାମାରୀଜନିତ ନିଯୁକ୍ତିହାନି ଓ ଦରମାକାଟ ଯୋଗୁ କର୍ମଚାରୀମାନେ ଚଳିବାରେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଡାକ୍ତରୀ ଖର୍ଚ୍ଚ ମେଣ୍ଟାଇବା ପାଇଁ ମଧ୍ୟ ଅନେକେ ଇପିଏଫ୍‌ଓରେ ଥିବା ଅର୍ଥ ଉଠାଣ କରିବାକୁ ବାଧ୍ୟ ହେଉଛନ୍ତି। ସାଧାରଣତଃ କର୍ମଚାରୀମାନେ ଚାକିରିର ଶେଷ ଆଡ଼କୁ ଘର କରିବା, ଝିଅ ବାହାଘର କିମ୍ବା କୌଣସି ଦୁରାରୋଗ୍ୟ ବ୍ୟାଧି ହୋଇଥିଲେ ଚିକିତ୍ସା ନିମନ୍ତେ ଏହି ପାଣ୍ଠି କଥା ଭାବିଥାଆନ୍ତି। ହେଲେ ଦୈନନ୍ଦିନ ଖର୍ଚ୍ଚ ମେଣ୍ଟାଇବା ପାଇଁ ଅର୍ଥର ଆବଶ୍ୟକତା ପଡ଼ିବାରୁ ଶେଷ ଭରସାଟିକୁ ଆବୋରି ନେଇଗଲେଣି। କୋଭିଡ୍‌-୧୯ ସଂକ୍ରମଣ ବଢ଼ୁଥିବାରୁ ତତ୍‌ଜନିତ ଲକ୍‌ଡାଉନ୍‌ ଯୋଗୁ ଅନେକ କାର୍ଯ୍ୟାଳୟ ମନ୍ଥର ହୋଇ ଚାଲିବା କିମ୍ବା ବନ୍ଦ ହୋଇଯାଇଥିବାରୁ କର୍ମଚାରୀ ଜୀବିକା ହରାଇ ବେରୋଜଗାର ପାଲଟିଯାଉଛନ୍ତି। ପିଲାଛୁଆଙ୍କୁ ନେଇ ଚଳିବା ଯେତେବେଳେ କଷ୍ଟକର ହୋଇପଡ଼ୁଛି ସେତେବେଳେ ଅନନ୍ୟୋପାୟ ହୋଇ କର୍ମଚାରୀ ଇପିଏଫ୍‌ ଉଠାଣ କରୁଛନ୍ତି ବୋଲି ଗଣମାଧ୍ୟମରୁ ଜଣାପଡ଼ୁଛି। ଆଗକୁ ଆହୁରି ୧ କୋଟି ଲୋକ ଇପିଏଫ୍‌ଓରେ ଜମା ରଖିଥିବା ଅର୍ଥ ଉଠାଇବା ପାଇଁ ଆବେଦନ କରିଛନ୍ତି ବୋଲି ଖବର ମିଳୁଛି।
ଏଠାରେ ଭାରତୀୟ ବ୍ୟବସ୍ଥା ସମ୍ପର୍କରେ ଏକ ବିରାଟବଡ଼ ପ୍ରଶ୍ନ ଉଠୁଛି। ଅନେକ ଦେଶରେ ସୋସିଆଲ ସିକ୍ୟୁରିଟି ବା ସାମାଜିକ ନିରାପତ୍ତା ବ୍ୟବସ୍ଥା କଡ଼ାକଡ଼ି ଥିବାରୁ ତାହା ସେହି ଦେଶର ନାଗରିକଙ୍କୁ କଷ୍ଟ ସମୟରେ ବଞ୍ଚାଇଥାଏ। ଭାରତର କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଙ୍ଗଠନ ଭଳି ଆମେରିକା ଓ ଅନ୍ୟ ଦେଶରେ ସାମାଜିକ ନିରାପତ୍ତା ପ୍ରଶାସନ କାର୍ଯ୍ୟ କରିଥାଏ। ସେହି ପାଣ୍ଠି ଉପରେ ସମ୍ପୃକ୍ତ ଦେଶର କେନ୍ଦ୍ର ବା ସଂଘୀୟ ସରକାରଙ୍କ ନିୟନ୍ତ୍ରଣ ରହେ ନାହିଁ। କିନ୍ତୁ ସରକାର ତାହାକୁ ଏକପ୍ରକାର ପ୍ରୋତ୍ସାହନ ଦେଉଥିବା ହେତୁ ତାହା କର୍ମଚାରୀମାନଙ୍କ ଚାକିରି ଚାଲିଗଲେ, ଶାରୀରିକ ଭିନ୍ନକ୍ଷମ କିମ୍ବା ମୃତ୍ୟୁ ଘଟିଲେ ପରିବାରବର୍ଗଙ୍କୁ ସାହାଯ୍ୟ ମିଳିଥାଏ। ଭାରତର ଇପିଏଫ୍‌ ବ୍ୟବସ୍ଥାରେ ସମାନ ପ୍ରକାର ସୁବିଧା ଦିଆଯାଇଥିଲେ ମଧ୍ୟ କର୍ମଚାରୀମାନେ ସେମାନଙ୍କ ବିପଦ ସମୟରେ ସହଯୋଗ ପାଇ ନ ଥାନ୍ତି। ଏହା ବ୍ୟତୀତ ଅନେକ ମାଲିକ ଇପିଏଫ୍‌ଓ ଅର୍ଥକୁ ଉଚିତ୍‌ ଭାବେ ଜମା କରୁ ନ ଥିବା ହେତୁ ସେମାନଙ୍କ କର୍ମଚାରୀମାନେ ଅସୁବିଧାରେ ପଡ଼ିଥାନ୍ତି। କିନ୍ତୁ ଭାରତର ଏହି ପ୍ରବଳମାତ୍ରାରେ ପାଣ୍ଠି ଉଠାଇବା ପଛରେ ଆର୍ଥିକ ଦୁରବସ୍ଥା ବ୍ୟତୀତ ଅନ୍ୟ ଚିନ୍ତା ମଧ୍ୟ ରହିଛି। ଜମାକାରୀ କର୍ମଚାରୀମାନେ ସ୍ବାଭାବିକ ଭାବେ ସନ୍ଦେହ କରିବସିଲେଣି ଯେ ଭବିଷ୍ୟନିଧି ପାଣ୍ଠିକୁ ହାତ ନ ମାରି ଅଧିକ ଦିନ ସରକାର ରହିପାରିବେ ନାହିଁ। ଏହି ଆଶଙ୍କାର ସତ୍ୟାସତ୍ୟ ଏବେ କହିବା କଷ୍ଟକର। ବିଶେଷକରି ଯେଉଁଭଳି ଭାବେ କେନ୍ଦ୍ର ସରକାର ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଓ ଉଦ୍ୟୋଗଗୁଡ଼ିକୁ ଘରୋଇକରଣ କରିବାରେ ତତ୍ପରତା ପ୍ରଦର୍ଶନ କରୁଛନ୍ତି, ସେଥିରୁ ମନେହେଉଛି ଗଚ୍ଛିତ ୧୧ ଲକ୍ଷ କୋଟି କେବେ ହେଲେ ଦୃଷ୍ଟି ବାହାରକୁ ଯାଇ ନ ଥିବ। ସମ୍ଭବତଃ କର୍ମଚାରୀମାନେ ସରକାରଙ୍କ ଏହି ଗତିମତି ଦେଖି ଇପିଏଫ୍‌ଓ ଅର୍ଥକୁ ଉଠାଇବାରେ ଲାଗିଲେଣି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଆନ୍ଧ୍ରପ୍ରଦେଶ ଅନନ୍ତପୁର ଜିଲାର ମରୁଡ଼ିପ୍ରବଣ ଅଞ୍ଚଳରେ ଭାରତୀୟ ବନ ସେବା ଅଧିକାରୀ(ଆଇଏଫ୍‌ଏସ୍‌) ବିନିତ କୁମାର ଓ ତାଙ୍କ ସ୍ତ୍ରୀ ତଥା ବନ୍ୟପ୍ରାଣୀ ସଂରକ୍ଷକ ରୂପା ଯାଦବ ଜଳାଶୟ…

ଶବ୍ଦଘାତକର ଯୁଗଯନ୍ତ୍ରଣା

ଡାକବାଜି,, ଡିଜେ, ବାଣ ଆଦି ଶବ୍ଦ ପ୍ରଦୂଷଣ ସୃଷ୍ଟିକାରୀ ଉପାଦାନ ଏବେ କେବଳ ଆଉ ପାର୍ବଣ ପାଳନ ମଧ୍ୟରେ ସୀମିତ ରହିନାହିଁ। ସହର ବଜାରରୁ ଆରମ୍ଭ କରି…

ପ୍ଲାଷ୍ଟିକମୟ ପୃଥିବୀ

ପୃଥିବୀ ସମ ଏକ ସୁନ୍ଦର ଗ୍ରହ ନାହିଁ କହିଲେ ଅତ୍ୟୁକ୍ତି ହେବନାହିଁ, ଯେଉଁଠାରେ ଆମେ ଜନ୍ମ ଗ୍ରହଣ କରି ନିଜକୁ ଭାଗ୍ୟବାନ ମନେକରୁ। କାରଣ ପୃଥିବୀ ଆମକୁ…

ବିଦ୍ରୋହୀ ରାଜା

୧୯୮୯ରେ ଆମେରିକାରେ ଗ୍ରୀଷ୍ମଋତୁ (ଜୁନ-ଅଗଷ୍ଟ)ରେ ଫ୍ରାନ୍ସିସ ଫୁକୁୟାମା ‘ଇତିହାସର ଶେଷ’ ସିଦ୍ଧାନ୍ତ ଉପସ୍ଥାପନ କରିଥିଲେ। ତାଙ୍କ ଦୃଷ୍ଟିକୋଣରେ ଉଦାରବାଦୀ ଗଣତାନ୍ତ୍ରିକ ପୁଞ୍ଜିବାଦ ବା ପାଶ୍ଚାତ୍ୟ ଉଦାରବାଦ ଗଣତନ୍ତ୍ର…

ଭାରତୀୟ ଗଣତନ୍ତ୍ରରେ ଅଭାବୀ ବିକଳ୍ପ

ଏକ ଚା’ ଖଟିରେ ଦୁଇ ବନ୍ଧୁ ପରସ୍ପର ରାଜନୀତି ବିଷୟରେ ଚର୍ଚ୍ଚା କରୁଥିଲେ ଏବଂ ଜଣେ ବନ୍ଧୁ ଅନ୍ୟ ଜଣେ ବନ୍ଧୁଙ୍କ ସହିତ କଥୋପକଥନ ଛଳରେ କହୁଥା’ନ୍ତି-…

ପୁରୁଷ, ନାରୀ ଓ ସଭ୍ୟତା

ଓଡ଼ିଶା ଆଜି ନିଜକୁ ଉନ୍ନତି ପଥରେ ଆଗେଇ ନେବାକୁ ଦୃଢ଼ ଚେଷ୍ଟା କରୁଛି। ନୂଆ ରାସ୍ତା, ବଡ଼ ବଡ଼ କୋଠା, ଶିଳ୍ପ ପାର୍କ, ଡିଜିଟାଲ ସେବା, ସରକାରୀ…

ଚିତାରେ ସତୀ

ୟୁରୋପରେ ସଇତାନଙ୍କୁ ପୂଜା କରୁଥିବା ସନ୍ଦେହରେ ମହିଳାଙ୍କୁ ଡାହାଣୀ ଆଖ୍ୟା ଦେଇ ଖ୍ରୀଷ୍ଟିଆନ୍‌ ଧର୍ମଯାଜକମାନେ ସେମାନଙ୍କୁ ଜିଅନ୍ତା ପୋଡ଼ିଦେଉଥିଲେ। ଆରବରେ ଇସ୍‌ଲାମ ଛାଡ଼ିବାକୁ ମନା କରୁଥିବା ଲୋକଙ୍କୁ…

ଏଇ ଭାରତରେ

ଭାରତରେ ଜଳ ସଙ୍କଟ ବିଷୟ ଆଲୋଚନା କଲାବେଳେ ମହାରାଷ୍ଟ୍ର ଲାଟୁର ଜିଲା ସ୍ଥିତି ସାମ୍ନାକୁ ଆସେ। ତେବେ ଏହି ଜିଲାର ବଂଶଓ୍ବାରଗ୍ରାମର ଗ୍ରାମବାସୀ ଜଳସଙ୍କଟ ଦୂର କରିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri