ଥୁଆମୂଳ ରାମପୁର, ୨୪।୦୭ (ଦୁର୍ଗା କୀର୍ତ୍ତି): ବିଦ୍ୟୁତ୍ ବିଭାଗ ଓ ଟାଟା ପାୱାରର ଚରମ ଅବହେଳା ଯୋଗୁ ଝୁଲନ୍ତା ୧୧ କେ.ଭି. ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ମହିଳାଙ୍କ ମୃତ୍ୟୁ ଘଟଣାକୁ ଗମ୍ଭୀରତାର ସହ ନେଇଛନ୍ତି ଜାତୀୟ ମାନବାଧିକାର କମିଶନ। କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ ମାଲିଗାଁ ପଞ୍ଚାୟତ ଅନ୍ତର୍ଗତ ଡି. ଚେପଟାଘାଟ ଗ୍ରାମରେ ଘଟିଥିବା ଏହି ଦୁଃଖଦ ଦୁର୍ଘଟଣାରେ କମିଶନ ଓଡ଼ିଶା ସରକାରଙ୍କ ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ, କଳାହାଣ୍ଡି ଜିଲାପାଳ ଏବଂ ଜିଲା ପୋଲିସ ଅଧୀକ୍ଷକଙ୍କୁ ନୋଟିସ ଜାରି କରି ୪ ସପ୍ତାହ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଗତ ୨୦୨୫ ଅକ୍ଟୋବର ୧୫ ତାରିଖ (ବୁଧବାର) ଅପରାହ୍ନ ପ୍ରାୟ ୨ଟା ସମୟରେ ଡି. ଚେପଟାଘାଟ ଗ୍ରାମର କୁମ ଝୋଡ଼ିଆଙ୍କ ସ୍ତ୍ରୀ ଗୁରୁବାରୀ ଝୋଡ଼ିଆ (୪୫) ନିଜ ବାଡ଼ିରେ ଥିବା ଅମୃତଭଣ୍ଡା ଗଛରୁ ବାଡ଼ି ସାହାଯ୍ୟରେ ଅମୃତଭଣ୍ଡା ତୋଳୁଥିଲେ। ଏହି ସମୟରେ ଅଜାଣତରେ ସେଠାରେ ଅତ୍ୟନ୍ତ କମ୍ ଉଚ୍ଚତାରେ ଝୁଲୁଥିବା ଅସୁରକ୍ଷିତ ୧୧ କେ.ଭି. ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିବାରୁ ଘଟଣାସ୍ଥଳରେ ହିଁ ଅଚେତ ହୋଇ ପଡ଼ିଥିଲେ। ପରିବାର ଲୋକେ ଓ ପଡ଼ୋଶୀଙ୍କ ସହାୟତାରେ ତାଙ୍କୁ ତୁରନ୍ତ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲେ ହେଁ, ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ନେଇ ଥୁଆମୂଳ ରାମପୁର ଥାନାରେ ଏକ ମାମଲା (ନଂ- ୮/୨୦୨୫) ରୁଜୁ କରାଯାଇଥିଲା। ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଗ୍ରାମ ଓ ଜନବସତି ନିକଟରେ ଉଚ୍ଚ କ୍ଷମତାସମ୍ପନ୍ନ ବିଦ୍ୟୁତ୍ ତାରଗୁଡ଼ିକ ବିପଜ୍ଜନକ ଭାବେ ଝୁଲି ରହିଥିବା ନେଇ ପୂର୍ବରୁ ବାରମ୍ବାର ବିଦ୍ୟୁତ୍ ବିଭାଗ ଓ ଟାଟା ପାୱାର କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଥିଲା। ନିୟମାନୁସାରେ ଜନବସତି ଅଞ୍ଚଳରେ ଇନ୍ସୁଲେଟେଡ୍ ତାର ଲଗାଇବା କଥା, ମାତ୍ର ବିଭାଗ ଏହାକୁ ସମ୍ପୂର୍ଣ୍ଣ ଅଣଦେଖା କରିଥିଲା। ବିଭାଗୀୟ କର୍ତ୍ତୃପକ୍ଷଙ୍କ ଏହି ଚରମ ଅବହେଳା ଯୋଗୁଁ ନିରୀହ ଗୁରୁବାରୀଙ୍କ ପ୍ରାଣ ଚାଲିଗଲା, ଯାହା ସ୍ପଷ୍ଟ ଭାବେ ମାନବାଧିକାରର ଉଲ୍ଲଂଘନ ଅଟେ। ଏହି ଘଟଣାକୁ ନେଇ ମାନବାଧିକାର କର୍ମୀ ଦିଲ୍ଲୀପ କୁମାର ଦାସ ଜାତୀୟ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇଥିଲେ। ସେ ପୀଡ଼ିତ ପରିବାରକୁ ୨୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବା ସହ ଅବହେଳା ପ୍ରଦର୍ଶନ କରିଥିବା ସମ୍ପୃକ୍ତ ବିଦ୍ୟୁତ୍ ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ ଫୌଜଦାରୀ ମକଦ୍ଦମା ଚଳାଇବାକୁ ଦାବି କରିଥିଲେ। ମାନବାଧିକାର ସୁରକ୍ଷା ଆଇନ୍, ୧୯୯୩ର ଧାରା-୧୨ ଅନୁଯାୟୀ କମିଶନଙ୍କ ସଦସ୍ୟ ଶ୍ରୀଯୁକ୍ତ ପ୍ରିୟଙ୍କ କାନୁନଗୋଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ମାମଲା କେଶ୍ ନମ୍ବର ୧୯୮୧/୧୮/୨୦୨୫ର ଶୁଣାଣି କରିଛନ୍ତି। ଶୁଣାଣି ପରେ କମିଶନଙ୍କ ପକ୍ଷରୁ ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବ, କଳାହାଣ୍ଡି ଜିଲ୍ଲାପାଳ ଏବଂ ଏସ.ପି.ଙ୍କୁ ନୋଟିସ ପଠାଯାଇ ୪ ସପ୍ତାହ ମଧ୍ୟରେ ସମ୍ପୂର୍ଣ୍ଣ ତଦନ୍ତ ରିପୋର୍ଟ ଓ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନ ବାବଦରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।