ଓପିଏଚ୍‌ଡବ୍ଲ୍ୟୁସି ପୂର୍ବତନ ଡେପୁଟି ମ୍ୟାନେଜର ପ୍ରତାପଙ୍କ ୧୧.୩୫ କୋଟିର ସମ୍ପତ୍ତି ଆଟାଚ୍‌

ଭୁବନେଶ୍ୱର,୨ା୬(ବ୍ୟୁରୋ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଗିରଫ ହୋଇଥିବା ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ୍‌ ଓ୍ବେଲ୍‌ଫେୟାର କର୍ପୋରେଶନ(ଓପିଏଚ୍‌ଡବ୍ଲ୍ୟୁସି)ର ପୂର୍ବତନ ଡେପୁଟି ମ୍ୟାନେଜର ପ୍ରତାପ କୁମାର ସାମଲଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପ୍ରତାପ, ତାଙ୍କ ସ୍ତ୍ରୀ ସସ୍ମିତା ଏବଂ ପୁଅ ପ୍ରୀତମଙ୍କ ନାମରେ ଥିବା ୧୧.୩୫ କୋଟିର ସ୍ଥାବର ଓ ଅସ୍ଥାବର ସମ୍ପତ୍ତିକୁ ଇଡି ଆଟାଚ୍‌ କରିଛି। ପ୍ରିଭେନ୍‌ଶନ ଅଫ୍‌ ମନି ଲଣ୍ଡ୍ରିଂ ଆକ୍ଟ ୨୦୦୨ (ପିଏମ୍‌ଏଲ୍‌ଏ) ଆଧାରରେ ଇଡି ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପ୍ରତାପ ତାଙ୍କ ଚାକିରି କାଳରେ ଦୁର୍ନୀତି କରି ଏହି ସମ୍ପତ୍ତି ହାତେଇଥିଲେ ବୋଲି ଇଡି ପକ୍ଷରୁ ଗୁରୁବାର ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, ଭିଜିଲାନ୍ସର ୧୦ଟି ଟିମ୍‌ ୨୦୨୧ ନଭେମ୍ବର ୯ରେ ପ୍ରତାପଙ୍କ ଭୁବନେଶ୍ୱରସ୍ଥିତ ଓପିଏଚ୍‌ଡବ୍ଲ୍ୟୁସି କାର୍ଯ୍ୟାଳୟ, ନୟାପଲ୍ଲୀ ଆଇଆର୍‌ସି ଭିଲେଜରେ ସେ ରହୁଥିବା ଆପାର୍ଟମେଣ୍ଟ ଓ ବାଲେଶ୍ୱର ସିମୁଳିଆସ୍ଥିତ ପୈତୃକ ଘର ସମେତ ୯ ସ୍ଥାନରେ ଚଢ଼ାଉ କରିଥିଲା। ଏହି ସମୟରେ ପ୍ରତାପଙ୍କ ସମେତ ସ୍ତ୍ରୀ ଓ ପୁଅଙ୍କ ନାମରେ ଅମାପ ସମ୍ପତ୍ତି ଥିବା ଜଣାପଡ଼ିଥିଲା। ଭଦ୍ରକ ବାସୁଦେବପୁରରେ ୫ଟି ପ୍ଲଟ ସହ ଗୋଟିଏ ୩ ମହଲା କୋଠା, ଭୁବନେଶ୍ୱର ଉପକଣ୍ଠ ଗୋଠପାଟଣାରେ ୩.୮୯ କୋଟିର ୫ ମହଲା କୋଠା, ଆଇଆର୍‌ସି ଭିଲେଜରେ ୪ ମହଲା କୋଠା ସହ ମୋଟ ୨୭ଟି ସ୍ଥାବର ସମ୍ପତ୍ତି ଓ ନଗଦ ୩୮.୧୨ ଲକ୍ଷ ସମେତ ଅନ୍ୟାନ୍ୟ ଅସ୍ଥାବର ସମ୍ପତ୍ତି ମିଳିଥିଲା। ଏପରିକି ଚଢ଼ାଉ ସମୟରେ ପ୍ରତାପ ୨୦ ଲକ୍ଷ ଟଙ୍କା ଛାତ ଉପରୁ ତଳକୁ ଫୋପାଡ଼ି ଦେଇଥିଲେ। ଯାଞ୍ଚ ପରେ ପ୍ରତାପ ଓ ତାଙ୍କ ପରିବାର ସଦସ୍ୟଙ୍କ ପାଖରୁ ମୋଟ ୧୪.୮୭ କୋଟି ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଭିଜିଲାନ୍ସ ଠାବ କରିଥିଲା। ଏହା ପ୍ରତାପଙ୍କ ପ୍ରକୃତ ଆୟଠାରୁ ୧୦୨୧% ଅଧିକ ବୋଲି ଭିଜିଲାନ୍ସ ସୂଚନା ଦେଇଥିଲା। ଏନେଇ ଭିଜିଲାନ୍ସ ଏକ ମାମଲା ରୁଜୁ କରି ପ୍ରତାପଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା। କିଛିଦିନ ପରେ ରାଜ୍ୟ ସରକାର ପ୍ରତାପଙ୍କୁ ତାଙ୍କ ଚାକିରିରୁ ବାଧ୍ୟତାମୂଳକ ଅବସର ଦେଇଥିଲେ। ତେବେ ଭିଜିଲାନ୍ସ ରୁଜୁ କରିଥିବା ଏଫ୍‌ଆଇଆର୍‌ ଆଧାରରେ ଇଡି ବେଆଇନ ଅର୍ଥ କାରବାର ଦିଗକୁ ନେଇ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।