୭ ଦିନରେ ଧରାହେଲାଣି ୧୦୯୬ ସ୍କୁଲ ଗାଡ଼ି

ଭୁବନେଶ୍ୱର,୨୫ା୪(ବ୍ୟୁରୋ): ସ୍କୁଲପିଲାଙ୍କୁ ନେଉଥିବା ବସ୍‌ ଏବଂ ଅନ୍ୟ ଗାଡିଗୁଡ଼ିକର ଫିଟ୍‌ନେସ୍‌ ଉପରେ ରାଜ୍ୟ ପରିବହନ ପ୍ରାଧିକରଣ(ଏସ୍‌ଟିଏ) ଅଧିକ ଗୁରୁତ୍ୱ ଦେବା ଆରମ୍ଭ କରିଛି। ସେଥିଲାଗି କିଛିଦିନ ହେଲା ରାଜ୍ୟର ବିଭିନ୍ନ ଜିଲାରେ ସ୍କୁଲ ବସ୍‌ଗୁଡ଼ିକ ଉପରେ ଜୋର୍‌ଦାର ଚଢ଼ାଉ କରାଯାଉଛି। ଗତ ୭ ଦିନ ମଧ୍ୟରେ ୧୦୯୬ ସ୍କୁଲ ଗାଡ଼ି ନିୟମ ଉଲ୍ଲଂଘନ କରି ଦଣ୍ଡିତ ହୋଇଛନ୍ତି ବୋଲି ପରିବହନ ଓ ସଡ଼କ ସୁରକ୍ଷା ଯୁଗ୍ମ କମିଶନର ସଞ୍ଜୟ ବିଶ୍ୱାଳ ସୂଚନା ଦେଇଛନ୍ତି।
ଏକ ପ୍ରେସ୍‌ ବିଜ୍ଞପ୍ତି ମାଧ୍ୟମରେ ସଞ୍ଜୟ କହିଛନ୍ତି, ଦଣ୍ଡିତ ହୋଇଥିବା ୧୦୯୬ ଗାଡ଼ି ମଧ୍ୟରୁ ଫିଟ୍‌ନେସ ସାର୍ଟିଫିକେଟ ବିନା ୮୨୦ଟି ଗାଡ଼ି ଚାଲୁଥିଲା। ସେହିପରି ୩୮୭ ଗାଡ଼ିର ବୈଧ ଅନୁମତି ନାହିଁ। ଏହାସହ ୩୧୧ ଡ୍ରାଇଭରଙ୍କ ବୈଧ ଡ୍ରାଇଭିଂ ଲାଇସେନ୍ସ ନାହିଁ। ସେ ଆହୁରି କହିଛନ୍ତି, ସ୍କୁଲ ପିଲାଙ୍କ ପରିବହନ ପ୍ରସଙ୍ଗକୁ ହାଲୁକା ଭାବେ ଗ୍ରହଣ କରାଯାଇପାରିବ ନାହିଁ। ଛାତ୍ରୀଛାତ୍ରଙ୍କ ଅସୁବିଧା ପାଇଁ ସମ୍ପୃକ୍ତ ସ୍କୁଲ ବସ୍‌ ଚାଳକ ଏବଂ ସ୍କୁଲ ମ୍ୟାନେଜମେଣ୍ଟ ଦାୟୀ ହେବେ। ସେହିପରି ବିଦ୍ୟାଳୟଗୁଡ଼ିକୁ ଏସ୍‌ଟିଏ ପକ୍ଷରୁ ସ୍କୁଲ ବସ୍‌ଗୁଡ଼ିକର ଫିଟ୍‌ନେସ ଉପରେ ଗୁରୁତ୍ୱ ଦେବା ସହ ସମସ୍ତ ମୋଟର ଯାନ ନିୟମ ପାଳନ କରିବା ପାଇଁ ନିବେଦନ କରାଯାଇଛି। ଗାଡ଼ି ଚଳାଇବା ପାଇଁ ଡ୍ରାଇଭରମାନଙ୍କ ବୈଧ ଲାଇସେନ୍ସ ଅଛି ନା ନାହିଁ ତାହା ଉପରେ ନଜର ରଖିବାକୁ ମଧ୍ୟ କୁହାଯାଇଛି।
ଏହିସବୁ ଯାଞ୍ଚ ପ୍ରକ୍ରିୟା ୨୭ରେ ଶେଷ ହେବା ପରେ ୨୮ ତାରିଖ ସୁଦ୍ଧା ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପିଲାଙ୍କୁ ନେଇ ଯାଉଥିବା ଗାଡ଼ିର ଫିଟ୍‌ନେସ, ପରମିଟ୍‌, ବୀମା ଆଦିର ଯାଞ୍ଚ କରାଯାଉଛି। ଧାର୍ଯ୍ୟ ନିୟମଠାରୁ ଅଧିକ ପିଲାଙ୍କୁ ନେଇ ଯାଉଥିଲେ ଜରିମାନା ହେବ। ବିଶେଷକରି ସ୍କୁଲ ପିଲାଙ୍କ ସୁରକ୍ଷିତ ଯାତାୟାତକୁ ଏସ୍‌ଟିଏ ଗୁରୁତ୍ୱ ଦେଇଛି। ରାଜ୍ୟର ଅନେକ ସ୍କୁଲରେ କାଗଜପତ୍ର ଠିକ୍‌ ନ ଥିବା ଗାଡ଼ି ଛୋଟ ପିଲାମାନଙ୍କୁ ବିପଦସଙ୍କୁଳ ଅବସ୍ଥାରେ ପରିବହନ କରୁଥିବା ଅଭିଯୋଗ ହୋଇଛି, ଯେଉଁଥିଲାଗି ଅନେକ ସମୟରେ ବହୁ ଗାଡ଼ି ଦୁର୍ଘଟଣାର ଶିକାର ହେଉଛନ୍ତି। ଏହା ଉପରେ ରୋକ ଲଗାଇବା ପାଇଁ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ସ୍କୁଲ ଗାଡ଼ିର କାଗଜପତ୍ର ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।