୧୦୫ କୋଟିର ପ୍ରକଳ୍ପ ଅନୁମୋଦିତ

ଭୁବନେଶ୍ୱର,୧୮।୬(ବ୍ୟୁରୋ): ବର୍ତ୍ତମାନ ସୁଦ୍ଧା ‘ମୋ ସ୍କୁଲ୍‌ ଅଭିଯାନ’ରେ ୩୪ ହଜାରରୁ ଊର୍ଦ୍ଧ୍ୱ ସ୍କୁଲ୍‌ରେ ୫ ଲକ୍ଷ ୨୪ ହଜାର ପୁରାତନ ଛାତ୍ରୀଛାତ୍ର ସାମିଲ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଆରମ୍ଭ ହୋଇଥିବା ପୋଷ୍ୟ ବିଦ୍ୟାଳୟ କାର୍ଯ୍ୟକ୍ରମକୁ ସଫଳ କରିବାକୁ ‘ମୋ ସ୍କୁଲ୍‌ ଅଭିଯାନ’ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଗୁରୁବାର ସ୍କୁଲ ଓ ଗଣଶିକ୍ଷା ବିଭାଗ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ‘ମୋ ସ୍କୁଲ୍‌ ଅଭିଯାନ’ର ୨୫ତମ କାର୍ଯ୍ୟନିର୍ବାହୀ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଓଡ଼ିଶାର ୨୩ଟି ଜିଲାର ମୋଟ ୧୦୫ କୋଟି ଟଙ୍କାର ପ୍ରକଳ୍ପକୁ ଅନୁମୋଦନ କରାଯାଇଛି।
ଗତ ୧ ମାସ ମଧ୍ୟରେ ୧୭ ହଜାରରୁ ଊର୍ଦ୍ଧ୍ୱ ପୁରାତନ ଛାତ୍ରୀଛାତ୍ର ମୋ ସ୍କୁଲ୍‌ ଅଭିଯାନ ସହ ଯୋଡ଼ି ହୋଇଥିବାବେଳେ ସେମାନେ ନିଜ ନିଜ ବିଦ୍ୟାଳୟର ବିକାଶ ପାଇଁ ୫ କୋଟି ୨ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। ବାଲେଶ୍ୱରରେ ସର୍ବାଧିକ ୨.୨୮ କୋଟି, ଭଦ୍ରକରେ ୩୫ ଲକ୍ଷ ୮୧ ହଜାର, ମୟୂରଭଞ୍ଜରେ ୨୫ ଲକ୍ଷ ୧ ହଜାର, ଜଗତ୍‌ସିଂହପୁରରେ ୨୫ ଲକ୍ଷ ଏବଂ ନୟାଗଡ଼ରେ ୨୧ ଲକ୍ଷ ୮୮ ହଜାର ଟଙ୍କା ପୁରାତନ ଛାତ୍ରୀଛାତ୍ରମାନେ ପ୍ରଦାନ କରିଛନ୍ତି। ଅନ୍ୟ ପକ୍ଷରେ ବିଭିନ୍ନ ସିଏସ୍‌ଆର୍‌ ପାଣ୍ଠିରୁ ରାଜ୍ୟର ସରକାରୀ ବିଦ୍ୟାଳୟଗୁଡ଼ିକର ବିକାଶ ପାଇଁ ମୋ ସ୍କୁଲ୍‌ ଅଭିଯାନକୁ ୩୦କୋଟି ଟଙ୍କାର ଅନୁଦାନ ଆସିଛି। ପୁରାତନ ଛାତ୍ରୀଛାତ୍ର ଏବଂ ସିଏସ୍‌ଆର୍‌ ପାଣ୍ଠି ଅନୁଦାନ ସହ ରାଜ୍ୟ ସରକାରଙ୍କ ଦୁଇଗୁଣା ଆର୍ଥିକ ସହାୟତାକୁ ମିଶାଇ ମୋଟ ୧୦୫ କୋଟି ଟଙ୍କାର ପ୍ରକଳ୍ପକୁ କାର୍ଯ୍ୟନିର୍ବାହୀ ପରିଷଦ ଅନୁମୋଦନ କରିଛି।