ପାରଳାଖେମୁଣ୍ଡି,୩୦ା୮(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଗୋଷାଣି ବ୍ଲକ ଲାବାଣ୍ୟଗଡ଼ ପଞ୍ଚାୟତ ଅନ୍ତର୍ଗତ ମାରିଙ୍ଗିସ୍ଥିତ ସରକାରୀ ପ୍ରାଥମିକ ଆବାସିକ ବିଦ୍ୟାଳୟ ବହୁ ଅବ୍ୟବସ୍ଥାରେ ଚାଲିଛି। ୧୯୯୯ ମସିହାରେ ପ୍ରତିଷ୍ଠା ହୋଇଥିବା ଏହି ବିଦ୍ୟାଳୟରେ ମାତ୍ର ୨ଟି ଶ୍ରେଣୀଗୃହରେ ୫ ଶ୍ରେଣୀର ୧୦୪ ଛାତ୍ରୀଛାତ୍ର ପାଠ ପଢୁଛନ୍ତି। ଏତେସଂଖ୍ୟକ ଛାତ୍ରୀଛାତ୍ରଙ୍କ ପାଇଁ ମାତ୍ର ୨ଜଣ ଶିକ୍ଷକ ଅଛନ୍ତି। ଏଥିସହ ଶିକ୍ଷକଙ୍କ ଉପରେ ହଷ୍ଟେଲ ପରିଚାଳନା ଦାୟିତ୍ୱ ମଧ୍ୟ ରହିଛି। ଫଳରେ ପାଠପଢ଼ା ବିଶେଷଭାବେ ପ୍ରଭାବିତ ହେଉଥିବା ଅଭିଯୋଗ ହେଉଛି। ୨୦୨୧ରେ ବିଦ୍ୟାଳୟର ୨ଜଣ ଶିକ୍ଷକ ଡେପୁଟେଶନରେ ଯାଇଥିଲେ। ସେମାନଙ୍କ ସ୍ଥାନରେ ଏଯାଏ ନୂଆ ଶିକ୍ଷକ ନିଯୁକ୍ତି ହୋଇନାହାନ୍ତି। ଏ ସମ୍ପର୍କରେ ବ୍ଲକ ଶିକ୍ଷା ଅଧିକାରୀଙ୍କଠାରୁ ଆରମ୍ଭ କରି ଜିଲା ଶିକ୍ଷା ଅଧିକାରୀ ଓ ସ୍ଥାନୀୟ ରାଜନେତାଙ୍କୁ ଅବଗତ କରାଯାଇଥିଲେ ସୁଦ୍ଧା କିଛି ସୁଫଳ ମିଳିନାହିଁ ବୋଲି ଭାରପ୍ରାପ୍ତ ପ୍ରଧାନଶିକ୍ଷକ ନିତ୍ୟାନନ୍ଦ ପଲେଇ କହିଛନ୍ତି।
ଏହି ବିଦ୍ୟାଳୟରେ କେବଳ ଶିକ୍ଷକ ଅଭାବ ନୁହେଁ, ବରଂ ଅସଜଡ଼ା ଭିତ୍ତିଭୂମି ମଧ୍ୟ ଅଭିଭାବକଙ୍କ ଚିନ୍ତା ବଢ଼ାଇଛି। ରାସ୍ତାପାର୍ଶ୍ୱରେ ଥିବା ଏହି ବିଦ୍ୟାଳୟର ସୁରକ୍ଷା ପାଚେରି ନାହିଁ। ବିଦ୍ୟାଳୟ ନିକଟରେ ଥିବା ବିଦ୍ୟୁତ୍ ଟ୍ରାନ୍ସଫର୍ମର ମୁକୁଳା ପଡ଼ିଛି। ଫଳରେ ଛାତ୍ରୀଛାତ୍ରଙ୍କ ସୁରକ୍ଷା ପ୍ରତି ବିପଦ ଆଶଙ୍କା ପ୍ରକାଶ ପାଇଛି। ସେହିପରି ବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କ ବ୍ୟବହାର ଉପଯୋଗୀ ଶୌଚାଳୟଟିଏ ନାହିଁ। ନୂଆ ଶୌଚାଳୟ ନିର୍ମାଣ ଆରମ୍ଭ ହୋଇ ଦୀର୍ଘଦିନ ଧରି ଅଧାପନ୍ତରିଆ ଅବସ୍ଥାରେ ପଡ଼ି ରହିଛି। ପାନୀୟ ଜଳ ସଙ୍କଟ ବିଦ୍ୟାଳୟର ଅନ୍ୟ ଏକ ପ୍ରମୁଖ ସମସ୍ୟା ପାଲଟିଛି। ପାହାଡ଼ିଆ ଅଞ୍ଚଳ ହୋଇଥିବାରୁ ବିଦ୍ୟାଳୟ ନିକଟସ୍ଥ ନଳକୂପରୁ ଆବଶ୍ୟକ ପରିମାଣର ପାଣି ମିଳୁନାହିଁ। ଫଳରେ ପାଖ ଗାଁର ପାନୀୟଜଳ ପ୍ରକଳ୍ପ ଉପରେ ନିର୍ଭର କରିବାକୁ ପଡୁଛି। ଅନ୍ୟତ୍ର ନଳକୂପ ଖୋଳିବା ପାଇଁ ପ୍ରଶାସନ ନିଷ୍ପତ୍ତି ନେଇଥିଲେ ମଧ୍ୟ ତାହା ଏଯାଏ କାର୍ଯ୍ୟକାରୀ ହୋଇନାହିଁ।
ବର୍ଷା ଦିନେ ସମସ୍ୟା ଆହୁରି ଜଟିଳ ହୋଇପଡୁଛି। ପୁରୁଣା ଶ୍ରେଣୀଗୃହର ଛାତରୁ ପାଣି ଗଳୁଥିବାବେଳେ ପାହାଡ଼ରୁ ବର୍ଷାଜଳ ବିଦ୍ୟାଳୟ ପରିସରକୁ ବୋହି ଆସୁଛି। ଗୋଟିଏ ଶ୍ରେଣୀଗୃହର ମରାମତି ହୋଇଥିଲେ ମଧ୍ୟ ଅନ୍ୟ ଶ୍ରେଣୀଗୃହ କୋଠାର ସମସ୍ୟା ସେହିପରି ରହିଛି। ଏଭଳି ସ୍ଥିତିରେ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଗଢ଼ିବା କେତେଦୂର ସମ୍ଭବ ତାହାକୁ ନେଇ ଅଭିଭାବକ ପ୍ରଶ୍ନ ଉଠାଇଛନ୍ତି। ବ୍ଲକ ସଦର ମହକୁମାଠାରୁ ମାତ୍ର ୬ କି.ମି. ଦୂରରେ ଥିବା ଏହି ଆବାସିକ ବିଦ୍ୟାଳୟର ଏଭଳି ଅବ୍ୟବସ୍ଥା ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ତୁରନ୍ତ ଶିକ୍ଷକ ନିଯୁକ୍ତି, ଶ୍ରେଣୀଗୃହ ମରାମତି, ସୁରକ୍ଷା ପାଚେରି ନିର୍ମାଣ, ଶୌଚାଳୟ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା, ପାନୀୟ ଜଳ ସମସ୍ୟା ସମାଧାନ ଏବଂ ମୁକୁଳା ଟ୍ରାନ୍ସଫର୍ମରକୁ ସୁରକ୍ଷିତ ରଖିବା ଦିଗରେ ପ୍ରଶାସନ ପଦକ୍ଷେପ ନେବାକୁ ଅଭିଭାବକମାନେ ଦାବି କରିଛନ୍ତି। ଏନେଇ ଜିଲା ଶିକ୍ଷାଧିକାରୀ ମାୟାଧର ସାହୁଙ୍କୁ ପଚାରିବାରୁ ସେ କହିଛନ୍ତି, ସମ୍ପୃକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ୨ମାସ ତଳେ ଅବସର ଗ୍ରହଣ କରିଛନ୍ତି। ଖୁବ୍ଶୀଘ୍ର ବିଦ୍ୟାଳୟରେ ନୂତନ ପ୍ରଧାନଶିକ୍ଷକଙ୍କ ସହ ଆବଶ୍ୟକ ସଂଖ୍ୟକ ଶିକ୍ଷକ ନିଯୁକ୍ତ କରାଯିବ। ବିଦ୍ୟାଳୟର ଶିକ୍ଷାଦାନ ବ୍ୟବସ୍ଥାରେ ଯେପରି ବ୍ୟାଘାତ ନ ଘଟେ ସେନେଇ ପଦକ୍ଷେପ ନିଆଯାଉଛି ବୋଲି ସେ କହିଛନ୍ତି। ଏନେଇ ବ୍ଲକ ମଙ୍ଗଳ ଅଧିକାରୀ ସ୍ୱାଧୀନ ପରିଡ଼ା କହିଛନ୍ତି, ଏହା ଆବାସିକ ବିଦ୍ୟାଳୟ ହୋଇଥିବାରୁ ପ୍ରତ୍ୟେକ ବର୍ଷ ୧ ଲକ୍ଷ ଟଙ୍କା ଲେଖାଏ ସହାୟତା ମିଳୁଛି। ଏହି ଅର୍ଥ ହଷ୍ଟେଲର ରକ୍ଷଣାବେକ୍ଷଣ ପାଇଁ ଖର୍ଚ୍ଚ ହେଉଛି ବୋଲି ପରିଡ଼ା କହିଛନ୍ତି। ଅନ୍ୟପକ୍ଷରେ ୧୫ ସିଏଫ୍ସି ୨୦୨୫-୨୦୨୬ ଅନୁଦାନରେ ବ୍ଲକ ପ୍ରଶାସନ ପକ୍ଷରୁ ୨ ଲକ୍ଷ ଟଙ୍କା ଶ୍ରେଣୀଗୃହ ରକ୍ଷଣାବେକ୍ଷଣ ପାଇଁ ଖର୍ଚ୍ଚ ହୋଇଛି ବୋଲି ଭାରପ୍ରାପ୍ତ ପ୍ରଧାନଶିକ୍ଷକ ପଲେଇ କହିଛନ୍ତି।

