ବଲାଙ୍ଗୀର,୧୭।୪(ବୀରେନ୍ଦ୍ର କୁମାର ଝାଙ୍କର/ସୁନୀଲ କୁମାର ମହାନ୍ତି): ସିବିଏସ୍ଇ ଦଶମ ଶ୍ରେଣୀ ପରୀକ୍ଷାରେ ବଲାଙ୍ଗୀର ପଥରଚେପା ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟର ଛାତ୍ରୀଛାତ୍ର ରେକର୍ଡ କରିଛନ୍ତି । ଏହି ସ୍କୁଲର ପରୀକ୍ଷାର୍ଥୀ ଶହେ ପ୍ରତିଶତ ସଫଳତା ହାସଲ କରି ଉତୀର୍ଣ୍ଣ ହୋଇଛନ୍ତି । ବିଦ୍ୟାଳୟର ଶ୍ରେୟାଂସ ନନ୍ଦ ସର୍ବାଧିକ ୯୯.୬ ପ୍ରତିଶତ (୪୯୮) ମାର୍କ ରଖି ରେକର୍ଡ କରିଛନ୍ତି । ସେହିପରି ବିଦ୍ୟାଳୟ ଛାତ୍ରୀ ସୋନାକ୍ଷୀ ପାଢ଼ୀ ୯୯.୪ ପ୍ରତିଶତ (୪୯୭ ମାର୍କ), ପ୍ରୟାଗ ନାୟକ ୯୯.୨ ପ୍ରତିଶତ (୪୯୬), ବୈଭବୀ ପାଣିଗ୍ରାହୀ ୯୮.୬ (୪୯୩), ଶତରୂପା ପାଣିଗ୍ରାହୀ ୯୮.୪ (୪୯୨), ସ୍ବାଗତ ପଣ୍ଡା ୯୮.୦ ପ୍ରତିଶତ (୪୯୦), ବେଦାଂଶ ନାଏକ ୯୭.୪ ପ୍ରତିଶତ (୪୮୭) ଓ ଶ୍ରେୟାଂଶ ଉଦ୍ଗାତା ୯୭.୦ ପ୍ରତିଶତ (୪୮୫) ପ୍ରତିଶତ ମାର୍କ ରଖି ଉତୀର୍ଣ୍ଣ ହୋଇଛନ୍ତି ।
ଚଳିତ ଦଶମ ଶ୍ରେଣୀ ପରୀକ୍ଷାରେ ଏହି ବିଦ୍ୟାଳୟର ୭୭ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ସେଥିରୁ ଶତପ୍ରତିଶତ ପରିକ୍ଷାର୍ଥୀ ପାସ୍ କରିଛନ୍ତି । ଉତୀର୍ଣ୍ଣ ହୋଇଥିବା ୧୧ ଜଣ ଛାତ୍ରୀଛାତ୍ର ୯୫ରୁ ୯୯.୬ ପ୍ରତିଶତ, ୨୨ ଜଣ ଛାତ୍ରୀଛାତ୍ର ୯୦ରୁ ୯୪.୮ ପ୍ରତିଶତ, ୨୦ ଜଣ ଛାତ୍ରୀଛାତ୍ର ୮୦ରୁ ୮୯.୮ ପ୍ରତିଶତ, ୧୪ ଜଣ ୭୦ରୁ ୭୯.୮ ପ୍ରତଶତ ଏବଂ ୬ ଜଣ ୬୦ରୁ ୬୯.୮ ପ୍ରତିଶତ ମାର୍କ ରଖିଛନ୍ତି । ଚଳିତବର୍ଷର ପରୀକ୍ଷା ଫଳ ଏହି ବିଦ୍ୟାଳୟର ସର୍ବକାଳୀନ ରେକର୍ଡ ବୋଲି କୁହାଯାଇଛି । ଛାତ୍ରୀଛାତ୍ରଙ୍କ ଚମତ୍କାର ସଫଳତା ପାଇଁ ସ୍କୁଲ ଅଧ୍ଯକ୍ଷ, ସମସ୍ତ ଶିକ୍ଷୟିତ୍ରୀ, ଶିକ୍ଷକ ଏବଂ ଅଭିଭାବକଙ୍କୁ ଅଭିନନ୍ଦନ ଜଣାଯାଇଛି । ଗୁରୁବାର ସ୍କୁଲ ପରିସରରେ କୃତି ଛାତ୍ରୀଛାତ୍ର, ଅଭିଭାବକ ଓ ଶିକ୍ଷକଙ୍କ ଗହଣରେ ଖୁସି ମନା ଯାଇଥିଲା। କୃତି ଛାତ୍ରୀଛାତ୍ରଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା। ସର୍ବାଧିକ ମାର୍କ ରଖି ଉତୀର୍ଣ୍ଣ ହୋଇଥିବା ଛାତ୍ର ଶ୍ରେୟାଂଶ ନନ୍ଦ ତାଙ୍କ ସଫଳତା ପାଇଁ ତାଙ୍କ ନିଜ ମାତାପିତା, ସ୍କୁଲ ଅଧ୍ଯକ୍ଷ ଏବଂ ଶିକ୍ଷକଙ୍କୁ ଶ୍ରେୟ ଦେଇଛନ୍ତି। ଆଗାମୀ ଦିନରେ ସେ ନିଟ୍ ପାଇଁ ପ୍ରସ୍ତୁତ ହେବେ ଏବଂଜଣେ ଡାକ୍ତର ଦେବାକୁ ଲକ୍ଷ୍ୟ ରଖିଛନ୍ତି ବୋଲି କହିଥିଲେ ।
ସେହିଭଳି କୃତି ଛାତ୍ର ପ୍ରୟାଗ ନାୟକ ଓ ଛାତ୍ରୀ ଶତରୂପା ପାଣିଗ୍ରାହୀ ତାଙ୍କ ସଫଳତା ପାଇଁ ସ୍କୁଲ ଶିକ୍ଷକଙ୍କୁ କୃତଜ୍ଞତା ଜଣାଇଛନ୍ତି। ସ୍କୁଲ ଅଧ୍ଯକ୍ଷ କ୍ଷମାନିଧି ଝାଙ୍କର ଚଳିତବର୍ଷର ରେଜଷ୍ଟକୁ ସ୍କୁଲର ସର୍ବକାଳୀନ ସପଳତା ବୋଲି କହିବା ସହ ଏହି ସଫଳତା ପାଇଁ ଦୀର୍ଘ ତିନିବର୍ଷ ଧରି ସେ ଏବଂ ତାଙ୍କ ସ୍କୁଲ ସହକର୍ମୀ ମାନେ କଠିନ ପରିଶ୍ରମ କରୁଥିଲେ ବୋଲି କହିଛନ୍ତି। ଅଷ୍ଟମ ଶ୍ରେଣୀରୁ ଛାତ୍ରୀଛାତ୍ରଙ୍କୁ ଦଶମ ଶ୍ରେଣୀ ପାଇଁ ପ୍ରସ୍ତୁତ କରାଯାଇ ସ୍ବତନ୍ତ୍ର ଶିକ୍ଷା ବ୍ୟବସ୍ଥା ଦିଆଯାଉଛି ବୋଲି ସେ କହି ସମସ୍ତ କୃତି ଛାତ୍ରୀଛାତ୍ର ଏବଂ ଅଭିଭାବକଙ୍କୁ ଅଭିନନ୍ଦନ ଜଣାଇଥିଲେ ।