ପରିଚୟପତ୍ର ନ ଥିବାରୁ ଘରକୁ ଫେରିବାକୁ ଲାଗିଲା ୧୦ ବର୍ଷ

କୁଚିଣ୍ଡା,୧୬।୧(ଡି.ଏନ.ଏ.): ସମ୍ବଲପୁର ଜିଲା ମହୁଲପାଲି ଥାନା ବାଙ୍କେ ପଞ୍ଚାୟତ ଗୋପାଳପାଲି ଗ୍ରାମର ରଞ୍ଜିତ କିଷାନ(୨୪) ୧୦ ବର୍ଷ ପରେ ଘରକୁ ଫେରିଛନ୍ତି। ଦୀର୍ଘବର୍ଷ ପରେ ପୁଅକୁ ପାଇ ପରିବାର ଓ ଗାଁରେ ଆନନ୍ଦର ଲହରି ଖେଳିଯାଇଛି।

୨୦୧୨ ଡିସେମ୍ବର ୧୩ରେ ଗ୍ରାମର ସୁରେନ୍ଦ୍ର କିଷାନଙ୍କ ପୁଅ ରଞ୍ଜିତ ବାଙ୍କେ ହାଇସ୍କୁଲରେ ୧୦ମ ଶ୍ରେଣୀରେ ପଢୁଥିବା ବେଳେ ସ୍କୁଲକୁ ଯାଇ ଆଉ ଘରକୁ ଫେରି ନ ଥିଲେ। ପରିବାର ବର୍ଗ ବହୁ ଖୋଜାଖୋଜି କରିବା ପରେ ବି କୌଣସି ସନ୍ଧାନ ପାଇ ନ ଥିଲେ। ଏନେଇ ପରିବାର ଲୋକେ ମହୁଲପାଲି ଥାନାରେ ଏକ ଅଭିଯୋଗ କରିଥିଲେ। ପୋଲିସ ଏକ ନିଖୋଜ ମାମଲା ରୁଜୁ କରିଥିଲେ। ହେଲେ କିଛିଦିନ ପରେ ରଞ୍ଜିତ ସୁରଟକୁ ଚାଲିଯାଇଥିବା ଖବର ମିଳିଥିଲା।

ହେଲେ ତାଙ୍କ ସହ ସାଙ୍ଗରେ ଯାଇଥିବା ବନ୍ଧୁ ତାଙ୍କୁ ମାରପିଟ କରି ଟଙ୍କା ପଇସା ଛଡାଇ ନେଇଥିଲେ। ଫଳରେ ସେ ସେଠାରୁ କୌଶଳ କ୍ରମେ ଲୁଚି ମୁମ୍ବାଇ ପଳାଇଥିଲେ। ହେଲେ ପାଖରେ କୌଣସି ପରିଚୟ ପତ୍ର ନ ଥିବାରୁ ସେ ସେଠାରୁ ଫେରି ନ ପାରି କାମଧନ୍ଦା କରି ବଞ୍ଚୁଥିଲେ।

ଏପରି ସମୟରେ ମହାରାଷ୍ଟ୍ର ଝାଲୋର ଜିଲା ରାଣିବାଡା ଗ୍ରାମର ରାକେଶ ଚୌହାନଙ୍କୁ ସେ ଘରୁ ଲୁଚି ପଳାଇ ଆସିଥିବା କହିଥିଲେ। ଏହା ଜାଣିବା ପରେ ରାକେଶ ତାଙ୍କୁ ଘରେ ଛାଡିବାକୁ ସହଯୋଗର ହାତ ବଢାଇଥିଲେ। ଦୁହେଁ ମିଶି ଟ୍ରେନରେ ଝାରସୁଗୁୁଡା ଆସି ସେଠାରୁ ବସ୍‌ ଯୋଗେ ଗୋପାଳପାଲି ଆସିଥିଲେ। ମହୁଲପାଲି ଥାନା ଅଧିକାରୀ ସୁଶାନ୍ତ ଦାସ ରଞ୍ଜିତଙ୍କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି। ବାପା ସୁରେନ୍ଦ୍ର ଓ ମା’ ସରସ୍ବତୀ ୧୦ ବର୍ଷ ପରେ ପୁଅକୁ ପାଖରେ ପାଇ ଖୁସିରେ ଆତ୍ମହରା ହୋଇପଡିଥିଲେ। ସହଯୋଗ କରିଥିବା ରାକେଶଙ୍କୁ ପରିବାର ଓ ଗ୍ରାମବାସୀ ପ୍ରଶଂସା କରିଥିଲେ।