ପ୍ରଥମ ନୀଳାଚଳ ଅବଢ଼ା ବାହାରିଲା

ପୁରୀ ଅଫିସ,୨୫।୭: ମହାବାହୁଙ୍କ ପ୍ରଥମ ନୀଳାଚଳ ଅବଢ଼ା ଶନିବାର ବାହାରିଛି। ଏଥର ପାଖାପାଖି ୧୦ହଜାର ଶ୍ରଦ୍ଧାଳୁଙ୍କ ପାଇଁ ଅବଢ଼ା ପ୍ରସ୍ତୁତ ହୋଇଥିଲା। ସାଧାରଣତଃ ନୀଳାଚଳ ଅବଢ଼ା ସେବାୟତ ପରିବାରର ସମସ୍ତ ସଦସ୍ୟ ସେବନ କରିଥାନ୍ତି। ପାଖାପାଖି ୪ ହଜାର ସେବାୟତ ପରିବାର ସଦସ୍ୟଙ୍କ ଉଦ୍ଦେଶ୍ୟରେ ନୀଳାଚଳ ଅବଢ଼ା ଶ୍ରୀମନ୍ଦିରରୁ ଯାଇଥିବା ବେଳେ ଶ୍ରଦ୍ଧାଳୁମାନେ ଉତ୍ତରଦ୍ୱାର ଦେଇ ଅବଢ଼ା ନେଇଥିଲେ। ଅଧିକ ସଂଖ୍ୟାରେ ଶ୍ରଦ୍ଧାଳୁ ଆସିଥିବାରୁ ଅବଢ଼ା ନିଅଣ୍ଟ ପଡ଼ିଥିଲା।
ପୁରୀବାସୀ ଶ୍ରୀଜଗନ୍ନାଥଙ୍କ ଦର୍ଶନ ଓ ରଥଯାତ୍ରାରେ ସାମିଲ ହେବାରୁ ବଞ୍ଚିତ ହୋଇଥିଲେ। ଆଡ଼ପ ଅବଢ଼ା ବେଳେ ମଧ୍ୟ ସହରରେ କର୍ଫ୍ୟୁ ଲାଗିଥିଲା। ଯଦିଓ ଶ୍ରଦ୍ଧାଳୁଙ୍କୁ ଅବଢ଼ା ନେବାକୁ ଅନୁମତି ଥିଲା ତଥାପି ଅଧିକାଂଶ ଲୋକେ ଆଡ଼ପ ମହାପ୍ରସାଦରୁ ବଞ୍ଚିତ ହୋଇଥିଲେ। ଶନିବାର ସକାଳ ଧୂପରେ ମହାପ୍ରଭୁଙ୍କର ରାଜଭୋଗ ବାହାରିଥିଲା। ରାଜଭୋଗରେ ଖେଚୁଡ଼ି, ମିଷ୍ଟାନ୍ନ, ସରାପିଠା, ଏଣ୍ଡୁରି, କାନ୍ତିପିଠା, କଦଳୀ ଭଜା, ଝିଲ୍ଲୀ ଇତ୍ୟାଦି ଭୋଗ ହୋଇଥିଲା। ଶ୍ରୀମନ୍ଦିର ସେବାୟତମାନେ ରାଜଭୋଗ ସେବନ କରିଥିବା ବେଳେ ମଧ୍ୟାହ୍ନ ଧୂପରେ ଅପରାହ୍ନ ୪ଟାରେ ନୀଳାଚଳ ଅବଢ଼ା ବାହାରିଥିବା ସୁଆର ମହାସୁଆର ନିଯୋଗର ସମ୍ପାଦକ କୃଷ୍ଣଚନ୍ଦ୍ର ପ୍ରତିହାରୀ କହିଛନ୍ତି। ନୀଳାଚଳ ଅବଢ଼ା ନେବା ପାଇଁ ଅସଂଖ୍ୟ ଶ୍ରଦ୍ଧାଳୁ ଆସିଥିବାବେଳେ ଟୋକନ କାଟି ମହାପ୍ରସାଦ ନେଇଥିଲେ। ଶ୍ରଦ୍ଧାଳୁମାନେ ଅବଢ଼ା ସେବନ କରିବା ପରେ ଅନେକେ ସୋସିଆଲ୍‌ ମିଡିଆରେ ଫଟୋ ପୋଷ୍ଟ କରିବାର ଦେଖିବାକୁ ମିଳିଛି। ଶ୍ରୀମନ୍ଦିର ନୀତିକାନ୍ତି ଠିକ୍‌ ଭାବେ ହୋଇଥିବା ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି। ସେହିପରି ସେବାୟତ ଶରତଚନ୍ଦ୍ର ମହାନ୍ତି କହିଛନ୍ତି ଯେ, ମହାପ୍ରଭୁଙ୍କ ନୀତିକାନ୍ତି ଶୃଙ୍ଖଳିତ ଭାବେ ହୋଇଛି। ଗତବର୍ଷ ମହାପ୍ରଭୁଙ୍କ ନୀଳାଚଳ ଅବଢ଼ା ବାହାରିବା ବେଳକୁ ରାତ୍ର ୯ଟା ପାଖାପାଖି ହୋଇଯାଇଥିଲା। ଚଳିତ ବର୍ଷ ଭକ୍ତମାନେ ଅପରାହ୍ନ ୪ଟାରେ ମହାପ୍ରସାଦ ପାଇଛନ୍ତି।