ନୂଆପଡ଼ା,୨୬ା୪ (ମକାରୁ ବେମାଲ): ଛତିଶଗଡ଼ ରାଜ୍ୟ ରାୟପୁରଠାରୁ ନୂଆପଡ଼ା ଜିଲା ଦେଇ ଗୋପାଳପୁରକୁ ସଂଯୋଗ କରୁଥିବା ଜାତୀୟ ରାଜପଥରେ ଅତ୍ୟଧିକ ହମ୍ପ୍ସ (ସ୍ପିଡ୍ ବ୍ରେକର) ଯୋଗୁ ଯାତାୟାତରେ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି ବୋଲି ଅଭିଯୋଗ ହେଉଛି। ଉକ୍ତ ହମ୍ପ୍ସ ସମ୍ମୁଖରେ କୌଣସି ଚିହ୍ନ (ମାର୍କ) କରାଯାଇ ନ ଥିବାରୁ ଚାଳକ ଜାଣି ନ ପାରି ଛୋଟବଡ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି। ରାୟପୁର-ଗୋପାଳପୁର ୩୫୩ ନମ୍ବର ଜାତୀୟ ରାଜପଥ ନୂଆପଡା ଜିଲା ସଦର ମହକୁମାଠାରୁ ଖରିଆର ରୋଡ ୧୦ କିଲୋମିଟର ପର୍ଯ୍ୟନ୍ତ ରାସ୍ତାରେ ସିଳଦା ବ୍ରିଜଠାରୁ ନ୍ୟାଶନାଲ ମାଧ୍ୟମିକ ମହାବିଦ୍ୟାଳୟ ପର୍ଯ୍ୟନ୍ତ ଦେଢ କିଲୋମିଟର ଭିତରେ ୧୦ଟି ସ୍ଥାନରେ ହମ୍ପ୍ସ ରହିଛି। ଜାତୀୟ ରାଜପଥ ଉପରେ ହମ୍ପ୍ସ ନ ରହିବା କଥା। କିନ୍ତୁ ଜିଲାରେ ଅଧିକାଂଶ ସ୍ଥାନରେ ହମ୍ପ୍ସ ବ୍ୟବହାର କରାଯାଉଛି। ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ହମ୍ପ୍ସ ପୂର୍ବରୁ ଚିହ୍ନ ମାରିବାକୁ ବିଭିନ୍ନ ମହଲରେ ଦାବି ହେଉଛି।