ଆନନ୍ଦପୁରରେ ପୋଲିସକୁ ବଡ଼ ସଫଳତା: ୧ କୁଇଣ୍ଟାଲ ଗଞ୍ଜେଇ ଜବତ, ୨୦ ଗିରଫ

କେନ୍ଦୁଝର/ହାଟଡିହୀ/ଆନନ୍ଦପୁର, ୨୨/୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଅଧୀନ ବିଭିନ୍ନ ଥାନା ଅଞ୍ଚଳରୁ ପୋଲିସ ଚୋରା ଗଞ୍ଜେଇ ବିକ୍ରି ଘଟଣାରେ ୨୦ ଜଣଙ୍କୁ ଗିରଫ କରିଛି। କେନ୍ଦୁଝର ଏସ୍‌ପି ନୀତିନ କୁଶଲ ଦାଗୁଡୁଙ୍କ ନିର୍ଦ୍ଦେଶ କ୍ରମେ ଆନନ୍ଦପୁର ଏସ୍‌ଡିପିଓ କମଲ କୁମାର ପଣ୍ଡା ଏହାର ନେତୃତ୍ୱ ନେଇଥିଲେ। ସ୍ପେଶାଲ ସ୍କ୍ବାର୍ଡ ଏବଂ ଉପଖଣ୍ଡ ଅଧୀନ ବିଭିନ୍ନ ଥାନା ଅଧିକାରୀଙ୍କୁ ନେଇ ଏକ ଟିମ ଗଠନ କରାଯାଇଥିଲା। ରାମଚନ୍ଦ୍ରପୁର ଥାନା ଅଧୀନ ବିଭିନ୍ନ ଅଞ୍ଚଳରୁ ମୋଟ ୧୯ ଜଣ ଗଞ୍ଜେଇ ବେପାରୀଙ୍କୁ ଧରାଯାଇଥିଲା। ସେମାନଙ୍କଠାରୁ ଗୋଟିଏ କାର୍‌, ଦୁଇଟି ବାଇକ ଜବତ କରିବା ସହ ୪୦ କେଜି ଗଞ୍ଜେଇ, ୨୦ଟି ମୋବାଇଲ, ନଗଦ ୫ ହଜାର ଟଙ୍କା ଜବତ କରାଯାଇଥିଲା । ଏନେଇ ରାମଚନ୍ଦ୍ରପୁର ଥାନାରେ କେସ୍‌ ନଂ ୧୩୦/୨୦୨୬ ରେ ଏକ ମାମଲା ରୁଜୁ ହୋଇଛି। ସେହିପରି ଘସିପୁରା ଥାନା ଅନ୍ତର୍ଗତ ବେଲବାହାଳି ନିକଟରୁ ଏକ ଗଞ୍ଜେଇ ବୋଝେଇ କାରକୁ ଜବତ କରାଯିବା ସହ ଜଣକୁ ଗିରଫ କରାଯାଇଛି। ସେମାନଙ୍କ ପାଖରୁ ୬୯ କେଜି ୪୫୦ଗ୍ରାମ ଗଞ୍ଜେଇ, ଗୋଟିଏ ମୋବାଇଲ,ନଗଦ ୭ ହଜାର ୪୦୦ ଟଙ୍କା ଜବତ କାରାଯାଇଥିଲା l ଏ ନେଇ ଘସିପୁରା ଥାନାରେ କେସ ନଂ ୧୮୭/୨୦୨୬ ରେ ଏକ ମାମଲା ରୁଜୁ ହୋଇଥିବା ଏସଡିପିଓ ପଣ୍ଡା କହିଛନ୍ତି l ଉଭୟ ଘଟଣାରେ ମୋଟ ୧ କୁଇଣ୍ଟାଲ ୯କେଜି ୪୫୦ଗ୍ରାମ ଗଞ୍ଜେଇ,୨ଟି କାର, ୨ଟି ବାଇକ, ୨୧ ଟି ମୋବାଇଲ ଫୋନ୍‌ ଓ ନଗଦ ୧୨ହଜାର ଟଙ୍କା ଜବତ ହୋଇଛି ।

Dharitri – Odisha’s No.1 Odia Daily

Share