ଲିଜ୍‌ଧାରୀ ପୈଠ କରିବେ ୧କୋଟି

ବାଲେଶ୍ୱର ଅଫିସ, ୧୫।୧୦: ବାଲେଶ୍ୱର ଜିଲା ବସ୍ତା ତହସିଲ ଅଧୀନ ସୁବର୍ଣ୍ଣରେଖା ନଦୀର ବେଣାପୁର(କ)ବାଲିଖାଦାନ ଲିଜ୍‌ରୁ ବେଆଇନ ଭାବେ ଅଧିକ ବାଲି ଉତ୍ତୋଳନ ମାମଲାର ଏନଜିଟି ରାୟ ପ୍ରକାଶ ପାଇଛି। ନିୟମ ଉଲ୍ଲଂଘନ କରିଥିବା ଲିଜ୍‌ଧାରୀମାନେ ୧ ମାସ ମଧ୍ୟରେ ୧କୋଟି ଟଙ୍କା ଜରିମାନା ପୈଠ କରିବେ। ଏଥିସହିତ ବେଆଇନ କାର୍ଯ୍ୟରେ ସାମିଲ ଥିବା ତତ୍କାଳୀନ ବସ୍ତା ତହସିଲଦାରଙ୍କ ବିରୋଧରେ ମାମଲା ରୁଜୁ ପାଇଁ ବାଲେଶ୍ୱର ଜିଲାପାଳ ଦତ୍ତାତ୍ରେୟ ଭାଉସାହେବ ଶିନ୍ଦେଙ୍କୁ ଗତ ୧୩।୧୦।୨୦୨୨ରେ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି।
ସୁବର୍ଣ୍ଣରେଖା ନଦୀର ବେଣାପୁର(କ)ବାଲିଖାଦାନକୁ ବସ୍ତା ତହସିଲ ପକ୍ଷରୁ ଗତ ୨୦୧୭ରୁ ୨୦୨୧ ପର୍ଯ୍ୟନ୍ତ ବାଲି ଉତ୍ତୋଳନ ପାଇଁ ରାଜେଶ ଖଟୁଆଙ୍କୁ ଲିଜ୍‌ ଦିଆଯାଇଥିଲା। ସର୍ତ୍ତାବଳୀ ଅନୁସାରେ ଲିଜ୍‌ଧାରୀ ନିର୍ଦ୍ଦିଷ୍ଟ ସ୍ଥାନରୁ ୭ହଜାର ୫ଶହ କ୍ୟୁବିକ୍‌ ମିଟର ବାଲି ଉତ୍ତୋଳନ କରିବା ନେଇ ଧାର୍ଯ୍ୟ ରହିଥିଲା। ମାତ୍ର ଲିଜ୍‌ଧାରୀ ବେଆଇନ ଭାବେ ମେଶିନ ଲଗାଇ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ନିର୍ଦ୍ଦିଷ୍ଟ ସ୍ଥାନର ଆଗ ଓ ପଛ ଅଞ୍ଚଳରୁ ୨୦ହଜାର କ୍ୟୁବିକ୍‌ ମିଟର ବାଲି ଉତ୍ତୋଳନ କରିଥିଲେ। ଏହା ପରିବେଶ ପାଇଁ ବିପଦ ସୃଷ୍ଟି କରିଥିବାରୁ ବସ୍ତା ଥାନା ବାଉଁଶମୁଖା ଗ୍ରାମର ପରିବେଶବିତ୍‌ ସରଳ କୁମାର ପରିଡ଼ା ଗତ ୨୦୨୧ରେ ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ (ଏନ୍‌ଜିଟି)ର ଦ୍ୱାରସ୍ଥ ହୋଇ ୧୧ଜଣଙ୍କ ନାମରେ ଲିଖିତ ଅଭିଯୋଗ କରିଥିଲେ। ଏନ୍‌ଜିଟି ଏହି ଦରଖାସ୍ତକୁ ପଞ୍ଜୀକୃତ କରି ମାମଲା (ନଂ. ୯/୨୧/ଇଜେଡ୍‌) ରୁଜୁ କରିଥିଲେ। ଏହି ମାମଲାର ବିଚାର କରି ଏନ୍‌ଜିଟି ଲିଜ୍‌ଧାରୀଙ୍କୁ ଏକ ମାସ ମଧ୍ୟରେ ୧କୋଟି ଟଙ୍କା ଜରିମାନା ପୈଠ ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ୧ କ୍ୟୁବିକ୍‌ ମିଟରକୁ ୧୧୦୩ ଟଙ୍କା ହିସାବରେ ୨କୋଟି ୨୦ଲକ୍ଷ ୬୦ହଜାର ଟଙ୍କା ପ୍ରତିବର୍ଷ ମୋଟ ୫ ବର୍ଷରେ ୧୧କୋଟି ୩ଲକ୍ଷ ଟଙ୍କା ପୈଠ କରିବାକୁ ରାୟରେ କୁହାଯାଇଛି। ଏହାସହିତ ପ୍ରତିପକ୍ଷ ଆଇନଜୀବୀଙ୍କ ଅଭିଯୋଗ ଅନୁଯାୟୀ ପୁନର୍ବାର କେତେ ବାଲି ବାର୍ଷିକ ଉତ୍ତୋଳନ କରାଯାଇଛି ସର୍ଭେ କରିବା ପାଇଁ ମାଇନିଂ ବିଭାଗର ସିଫାକୁ ନିର୍ଦ୍ଦେଶ ଦେଇଥିବା ଏନ୍‌ଜିଟିର ନିର୍ଦ୍ଦେଶାବଳୀରେ ଉଲ୍ଲେଖ କରାଯାଇଛି।